ୱାସିଂଟନ୍: ଉପରେ ଫଟୋରେ ପ୍ରଦର୍ଶିତ ବ୍ୟକ୍ତିଙ୍କ ନାମ ପୋଲ କାରାସନ୍। ପୋଲ୍ ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ୱାସିଂଟନ୍ର ଅଧିବାସୀ ଥିଲେ। ସେ ଏକଦା ଏକ ସ୍ବାସ୍ଥ୍ୟ ପତ୍ରିକାରେ ପଢ଼ିଲେ ଯେ ସିଲଭର୍ କ୍ଲୋରାଇଡ୍ କଲୋଏଡ୍ ପିଇବା ଓ ଦେହରେ ଲଗାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟପ୍ରଦ ଫଳ ମିଳିପାରିବ। ତେଣୁ ସେ ଏସିଡିଟି, ଗଣ୍ଠିବାତ, ଚର୍ମପ୍ରଦାହ ଭଳି ବିଭିନ୍ନ ରୋଗରୁ ନିସ୍ତାର ପାଇବା ଲାଗି ଘରେ ପ୍ରସ୍ତୁତ ଔଷଧ ପିଇବା ଆରମ୍ଭ କଲେ। ଉକ୍ତ ଔଷଧ ଯୋଗୁଁ ଏସିଡିଟି ଓ ଚର୍ମପ୍ରଦାହ ପରି ସମସ୍ୟା ଦୂର ହୋଇଯାଇଥିଲା ସତ କିନ୍ତୁ ପ୍ରାୟ ଏକ ଦଶନ୍ଧି ନିୟମିତ ଭାବେ ଏହାକୁ ପିଇବା ଦ୍ବାରା ତାଙ୍କର ଦେହର ରଙ୍ଗ ଧଳାରୁ ନୀଳ ପାଲଟିଗଲା।
ଔଷଧରେ ଥିବା କଲୋଇଡାଲ୍ ସିଲଭର୍ ଯୋଗୁଁ ଏପରି ପାର୍ଶ୍ବପ୍ରତିକ୍ରିୟା ହୋଇଥିଲା। ଏହି ପ୍ରକ୍ରିୟା ଅପରିବର୍ତ୍ତନୀୟ ହୋଇଥିବାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ରଙ୍ଗ ସଂପୂର୍ଣ୍ଣ ନୀଳ ରହିଥିଲା। ୨୦୦୮ରେ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ତାଙ୍କର ଏହି କାହାଣୀ ଲୋକଲୋଚନକୁ ଆସିଥିଲା। ତାଙ୍କ ଦେହର ଆଶ୍ଚର୍ଯ୍ୟଜନକ ରଙ୍ଗ ପାଇଁ ଲୋକେ ତାଙ୍କୁ ‘ବ୍ଲୁ ମ୍ୟାନ୍’ ବା ନୀଳ ମଣିଷ ନାମରେ ଡାକୁଥିଲେ। କିନ୍ତୁ ସେ ଏହି ନାମକୁ ପସନ୍ଦ କରୁ ନ ଥିଲେ। ୨୦୧୩ରେ ୬୨ ବର୍ଷ ବୟସରେ ପୋଲ୍ ମୃତ୍ୟୁବରଣ କରିଥିଲେ। ମୃତ୍ୟୁର କାରଣ ଥିଲା ହୃଦ୍ଘାତ ପରେ ନିମୋନିଆ ସଂକ୍ରମଣ ବୋଲି ଜଣାପଡ଼ିଥିଲା।
Follow Us