କୋଟିପତି କୃଷକ : କିଏ ଇଂଜିନିୟର, କିଏ ଚାଟାର୍ଡ ତ ପୁଣି କିଏ ଉଚ୍ଚଶିକ୍ଷିତ; ଚାଷକୁ ବେଉସା କରି ସଭିଏଁ ସଫଳ

କୋଟିପତି କୃଷକ : କିଏ ଇଂଜିନିୟର, କିଏ ଚାଟାର୍ଡ ତ ପୁଣି କିଏ ଉଚ୍ଚଶିକ୍ଷିତ; ଚାଷକୁ ବେଉସା କରି ସଭିଏଁ ସଫଳ

ଚଳିତ ବର୍ଷ ଓଡ଼ିଶାର ଚାଷୀ ପଟ୍ଟାୟତ ସାହୁ ପଦ୍ମଶ୍ରୀ ସମ୍ମାନ ଲାଭ କରିଛନ୍ତି। ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ ଦିଗରେ ତାଙ୍କର ଉଦ୍ୟମ ଉଚ୍ଚ ପ୍ରଶଂସିତ ହୋଇଛି। ଚାଷରୁ ଆଜିର ଯୁବପିଢ଼ି ବୀତସ୍ପୃହ ହେଉଥିବା ବେଳେ ଦେଶରେ ଏଭଳି କେତେକ କୃଷକଙ୍କ ଉଦାହରଣ ଅଛି ଯେଉଁମାନେ ଚାଷରୁ କୋଟି କୋଟି ଟଙ୍କା ଉପାର୍ଜନ ପୂର୍ବକ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ପ୍ରମୋଦ ଗୌତମ
ପୂର୍ବରୁ ଅଟୋମୋବାଇଲ୍‌ ଇଞ୍ଜିନିୟର ଭାବେ ଚାକିରି କରୁଥିବା ନାଗପୁରର ପ୍ରମୋଦ ଗୌତମ ୨୦୦୬ରେ କୃଷି କ୍ଷେତ୍ରରେ ମନ ବଳାଇଥିଲେ। ଏବେ ଚାଷରୁ ସେ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି। ଚାକିରି ଛାଡ଼ିଲା ପରେ ସେ ନିଜ ପୈତୃକ ସମ୍ପତ୍ତି ୨୬ ଏକର ଜମିରେ ଚାଷ କରିଥିଲେ। ଆରମ୍ଭ ସମୟରେ ଧଳା ବାଦାମ ଏବଂ ହଳଦୀ ଚାଷକରି ସେ ବିଫଳ ହୋଇଥିଲେ। ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ୨୦୦୮ରେ କମଳା, ପିଜୁଳି, ଲେମ୍ବୁ, ହରଡ଼ ଡାଲି ଆଦି ଲାଭଜନକ ଚାଷ କଲେ। ତାଙ୍କର ନିଜସ୍ବ ଡାଲି ଫ୍ୟାକ୍ଟ୍ରି ଅଛି। ଚାଷରେ ବର୍ଷକୁ ସେ ଏକ କୋଟିରୁ ଅଧିକ ଟଙ୍କାର କାରବାର କରୁଛନ୍ତି ଯେଉଁଥିରୁ ୧୨ ଲକ୍ଷ ଟଙ୍କା ନିଶ୍ଚିତ ଭାବରେ ଲାଭ ମିଳିଥାଏ।

publive-image

ସଚିନ କାଲେ
ପ୍ରମୋଦଙ୍କ ପରି ସଚିନ ମଧ୍ୟ ନାଗପୁରର। ସେ ମେକାନିକାଲ୍‌ ଇଞ୍ଜିନିୟର ଭାବେ କାମ କରୁଥିଲେ। ଗୁଡ଼ଗାଓଁର ପୁଞ୍ଜ ଏଲଏଡ୍‌ କମ୍ପାନିରେ ବର୍ଷକୁ ଚବିଶ ଲକ୍ଷ ଟଙ୍କା ଦରମା ପାଉଥିଲେ। ପନ୍ଦର ବର୍ଷର ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ରେ ଜମାଥିବା ପାଣ୍ଠି ବ୍ୟବହାର କରି ସେ କୃଷି‌େର କ୍ଲିନ୍ ଏନର୍ଜି ମଡେଲ୍‌ ଆରମ୍ଭ କଲେ। ଏଥିରେ ବର୍ଷସାରା ଉତ୍ପାଦନ ହେବାରୁ ଲାଭ ବଢ଼ିଥିଲା। ୨୦୧୪ରେ କାଲେ ଆରମ୍ଭ କରିଥିବା କମ୍ପାନି ଚାଷୀମାନଙ୍କୁ ସହାୟତା ପ୍ରଦାନ କରୁଛି। ତାଙ୍କ କମ୍ପାନିରେ ୧୩୭ ଜଣ ଚାଷୀ ଯୋଡ଼ି ହୋଇଛନ୍ତି। ୨୦୦ ଏକର ଜମିରୁ ବର୍ଷକୁ ଦୁଇ କୋଟି ଟଙ୍କା ଉପାର୍ଜନ ହେଉଛି।

publive-image

ହରିଶ ଧନଦେଭ
ଏଲୋଭେରା ଚାଷ କରି ସଫଳ ହୋଇଛନ୍ତି ରାଜସ୍ଥାନୀ ଚାଷୀ ହରିଶ ଧନଦେଭ। ସରକାରୀ ଚାକିରି ଛାଡ଼ି ଜଏଶାଲମେରରେ ସେ ଚାଷ ଆରମ୍ଭ କରିଥିଲେ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରାହକ ଏବଂ ବିକ୍ରେତା ଯୋଗାଡ଼ କରିବାରେ ତାଙ୍କର ଦକ୍ଷତା ରହିଛି। ପ୍ରଥମେ ସେ ୮୦ ହଜାର ଗଛ ଲଗାଇଥିଲେ। ଛଅ ମାସ ମଧ୍ୟରେ ତାହା ସାତ ଲକ୍ଷ ହୋଇଗଲା। ଏବେ ଶହେ ଏକର ଜମିରେ ସେ ଏଲୋଭେରା ଚାଷ କରି ବର୍ଷକୁ ଦେଢ଼ କୋଟିରୁ ଦୁଇ କୋଟି ଟଙ୍କା ରୋଜଗାର କରୁଛନ୍ତି।

publive-image

ରାମ ଶରନ ବର୍ମା
କେବଳ ଉଚ୍ଚଶିକ୍ଷିତ ଚାଷୀ ଯେ ସଫଳ ହେଉଛନ୍ତି ତାହା ନୁହେଁ, କମ୍ ପାଠ ପଢ଼ିଥିବା ରାମ ଶରନ ବର୍ମାଙ୍କ ଭଳି ଚାଷୀ ମଧ୍ୟ ଅତ୍ୟାଧୁନିକ ଜ୍ଞାନ ‌େକୗଶଳ ବ୍ୟବହାର କରି ବେଶ୍‌ ଭଲ ରୋଜଗାର କରୁଛନ୍ତି। ସେ ହେଉଛନ୍ତି ପ୍ରଥମ ଚାଷୀ ଯେ କ୍ଷୁଦ୍ର ଓ ଗ୍ରାମୀଣ ଚାଷୀଙ୍କ ପାଇଁ ନୂଆ କୌଶଳ ଉଦ୍ଭାବନ କରିଛନ୍ତି। ୨୦୦୯ରେ ତାଙ୍କ ପାଖରେ ମାତ୍ର ପାଞ୍ଚ ଏକର ଜମି ଥିଲା। ଏବେ ଶହେ ଏକର ଜମିରେ କଦଳୀ ଏବଂ ଆଉ ଶହେ ଏକରରେ ବିଲାତି ବାଇଗଣ ଓ ଆଳୁ ଚାଷ କରୁଛନ୍ତି। ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

publive-image

ରାଜୀବ ବିଟ୍ଟୁ
ରାଜୀବ ପୂର୍ବରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ଥିଲେ। ଦିନେ ସେ ଗାଁକୁ ଯାଇଥିଲେ। ସାଙ୍ଗରେ ତିନି ବର୍ଷର ଝିଅ ମଧ୍ୟ ଯାଇଥିଲା। କିନ୍ତୁ ଝିଅଟି ଗାଁର ଚାଷୀ ପରିବାର ସହିତ ମିଶି ରହିବାକୁ ପସନ୍ଦ କଲା ନାହିଁ। ଏହା ରାଜୀବଙ୍କ ମନ ପରିବର୍ତ୍ତନ କରିଦେଇଥିଲା। ‌େସ ଝିଅର ମନୋଭାବ ବଦଳାଇବା ପାଇଁ ନିଷ୍ପତ୍ତି ନେଇ ନିଜେ ଚାଷ କରିବାକୁ ଚାହିଁଲେ। ରାଞ୍ଚିରୁ ୩୨ କିଲୋମିଟର ଦୂର କୁଚୁ ଗାଁରେ କିଛି ଜମି ଲିଜ୍ ନେଲେ। ସେତେବେଳେ ଜମିର ଭଡ଼ା ଦେବା ଭଳି ଲାଭ ସୁଦ୍ଧା ମିଳୁ ନ ଥିଲା। ତାପରେ ସେ ବୁନ୍ଦା ଜଳସେଚନ ମାଧ୍ୟମରେ ଚାଷ କରି ବେଶ୍‌ ସଫଳ ହେଲେ। ୨୦୧୪ରେ ତରଭୁଜ ଚାଷରେ ଭଲ ଅମଳ ହୋଇଥିଲେ ସୁଦ୍ଧା ବିଶେଷ ଲାଭ ପାଇ ନ ଥିଲେ। ତାପରେ ସେ ଜମିକୁ ଭାଗ ଭାଗ କରି ଚାଷ କରିବାକୁ ଯୋଜନା କଲେ। ଏବେ ୩୨ ଏକର ଜମିରେ ବାଇଗଣ, କାକୁଡ଼ି, ତରଭୁଜ ଏବଂ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ୧୫-୧୬ ଲକ୍ଷ ଟଙ୍କା ଲାଭ ହେଉଛି।

publive-image

ବିଶ୍ବନାଥ ବୋବାଡ଼େ
ମହାରାଷ୍ଟ୍ରର ଚାଷୀ ବିଶ୍ବନାଥ ବୋବାଡ଼େଙ୍କ ଜମି ମରୁଡ଼ିପ୍ରବଣ ଅଞ୍ଚଳରେ ଥିଲା। ସେଠାରେ ସେ ବିକଳ୍ପ ଚାଷ କରି ଏକ ଏକରରୁ ସାତ ଲକ୍ଷ ଟଙ୍କା ଲାଭ ପାଇଥିଲେ। ସେ ରେଜ୍‌ଡ ବେଡ୍‌ (କାଠରେ ତିଆରି ଆୟତାକାର କ୍ଷେତ୍ର ଭିତରେ ଚାଷ) ଏବଂ ମଲ୍‌ଚିଂ (ମାଟି ଉପରେ ଏକ ପତଳା ଆସ୍ତରଣ ପକାଇ ଚାଷ) ପଦ୍ଧତି ଆପଣାଇ ସଫଳ ହୋଇଛନ୍ତି।

publive-image

ରମେଶ ଚୌଧୁରୀ
ଜୟପୁର, ରାଜସ୍ଥାନର ଚାଷୀ ରମେଶ ଚୌଧୁରୀଙ୍କର ଏକାଧିକ ବଙ୍ଗଳା ଏବଂ କାର୍‌ ରହିଛି। ବଙ୍ଗଳା ଭିତରେ ତାଙ୍କର ମଇଁଷି ମଧ୍ୟ ରହନ୍ତି। ପଲି ହାଉସ୍ ଏବଂ ଗ୍ରୀନ୍ ହାଉସ୍ ନିର୍ମାଣ କରି ସେ ବେଶ୍‌ ସଫଳ ହୋଇଛନ୍ତି। ଏଥି ସହିତ ସେ ମକା ଚାଷ କରନ୍ତି। ଏସବୁରୁ ସେ ବର୍ଷକୁ ଦୁଇ କୋଟି ଟଙ୍କା ଉପାର୍ଜନ କରିଥାନ୍ତି।

publive-image

ଧ୍ୟାନେଶ୍ବର ‌ବୋଡ୍‌କେ
ବୋଡ୍‌କେଙ୍କ ଦ୍ବାରା ପ୍ରତିଷ୍ଠିତ ଅଭିନବ ଫାର୍ମର୍ସ କ୍ଲବ୍ ଜାତୀୟ ପୁରସ୍କାର ଲାଭ କରିଛି। ଚାଷୀମାନେ ନିଜ ଜମିକୁ ବନ୍ଧକ ରଖୁଥିବା ଘଟଣା ତାଙ୍କୁ ବ୍ୟଥିତ କରିଥିଲା। ତାପରେ ସେ ଏଭଳି ଏକ କ୍ଲବ୍ ଗଠନ କରିଥିଲେ। ତାଙ୍କ ସହିତ ଅନ୍ୟ ଚାଷୀମାନଙ୍କର ଉତ୍ପାଦ ବିନା ଦଲାଲରେ ସିଧାସଳଖ ବଜାରରେ ବିକ୍ରି ହୋଇଥାଏ।

publive-image
ଖେମା ରାମଜୀ
ରାଜସ୍ଥାନର ଆଉ ଜଣେ ଚାଷୀ ଖେମା ରାମଜୀ ପଲିହାଉସ୍ ମାଧ୍ୟମରେ ବର୍ଷକୁ ‌େକାଟିଏ ଟଙ୍କା ଉପାର୍ଜନ କରୁଛନ୍ତି। ତାଙ୍କର ଦୁଇ ଶହ ପଲିହାଉସ୍ ରହିଛି। ଇସ୍ରାଏଲ୍ ମଡେଲ୍‌ ଅନୁସରଣ କରି ସେ ପଲିହାଉସ୍ କ୍ଷେତ୍ରରେ ସଫଳ ହୋଇଛନ୍ତି।

publive-image

ଜୀନା ଭାଇ ପଟେଲ୍
ଜୀନା ଭାଇ ହେଉଛନ୍ତି ଜଣେ ଦିବ୍ୟାଙ୍ଗ ଚାଷୀ। ନିଜେ ଡାଳିମ୍ବ ଚାଷ କରିବା‌ ସହିତ ସେ ହଜାର ହଜାର ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି। ଜନ୍ମରୁ ଉଭୟ ଗୋଡ଼ ପୋଲିଓଗ୍ରସ୍ତ, କିନ୍ତୁ ସେ ଅନେକ ଲୋକଙ୍କୁ ରୋଜଗାରର ଗୋଡ଼ ଦେଇଛନ୍ତି। ଏଥିପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe