ସବୁଠୁ ପରିବେଶ ଅନୁକୂଳ ଅଲିମ୍ପିକ୍‌ସ

Advertisment
ସବୁଠୁ ପରିବେଶ ଅନୁକୂଳ ଅଲିମ୍ପିକ୍‌ସ

୨୦୨୦ ଟୋକିଓ ଅଲିମ୍ପିକ୍ସ, ୨୦୧୭ ରିଓ ଅଲିମ୍ପିକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପରିବେଶକୁ ହାରାହାରି ୩୫ ଲକ୍ଷ ଟନ୍‌ ଅଙ୍ଗାର ନିର୍ଗମନ ହୋଇଥିବା ବେଳେ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ତାହା ସାଢ଼େ ୧୭ ଲକ୍ଷ ଟନ୍‌ରେ ସୀମିତ ରହିବ ବୋଲି ଆକଳନ କରାଯାଇଛି। ଏଥିପାଇଁ ସୌର ଓ ଭୂତାପ ପରି ଶକ୍ତି ଉତ୍ସର ବିନିଯୋଗ ସାଙ୍ଗକୁ ନାନା ପରିବେଶ ଅନୁକୂଳ ପଦକ୍ଷେପ ନିଆଯାଇଛି

ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସ ଏହି ବିଶ୍ବସ୍ତରୀୟ କ୍ରୀଡ଼ା ଇତିହାସର ସବୁଠୁ ସବୁଜ ବା ପରିବେଶ ଅନୁକୂଳ ଆୟୋଜନ ହେବାକୁ ଯାଉଛି। ତୁଳନାତ୍ମକ ଭାବେ ୨୦୨୦ ଟୋକିଓ ଅଲିମ୍ପିକ୍ସ, ୨୦୧୭ ରିଓ ଅଲିମ୍ପିକ୍ସ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ପରିବେଶକୁ ହାରାହାରି ୩୫ ଲକ୍ଷ ଟନ୍‌ ଅଙ୍ଗାର ନିର୍ଗମନ ହୋଇଥିବା ବେଳେ ଏଥର ତାହା ସାଢ଼େ ୧୭ ଲକ୍ଷ ଟନ୍‌ରେ ସୀମିତ ରହିବ ବୋଲି ଆକଳନ କରାଯାଇଛି।

ଫିଫା ବିଶ୍ବକପ୍‌ ଓ ଅଲିମ୍ପିକ୍‌ ପରି କ୍ରୀଡ଼ାରେ ବିପୁଳ ଅର୍ଥ ବ୍ୟୟ ହେଉଥିବା ବେଳେ ମାନବ ସମାଜର ହିତ ପାଇଁ ପରିବେଶ ଉପରେ ତାହାର କୁପ୍ରଭାବକୁ ହ୍ରାସ କରିବା ଉପରେ ଗୁରୁତ୍ବାରୋପ କରାଯାଇ ଆସୁଛି। ତେଣୁ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ବିଭିନ୍ନ କ୍ରୀଡ଼ାସ୍ଥଳରେ ମୁଖ୍ୟତଃ ସବୁଜଗୃହ ବାଷ୍ପ ଅଙ୍ଗାରକାମ୍ଳର ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ସୌରଶକ୍ତି ଓ ଭୂତାପ ଶକ୍ତି ପରି ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବିନିଯୋଗ ସମେତ ସଂଖ୍ୟାଧିକ ପରିବେଶ ଅନୁକୂଳ ପଦକ୍ଷେପ ନିଆଯାଇଛି। ଏହି କ୍ରୀଡ଼ାରେ ବିଭିନ୍ନ ଦେଶର ପ୍ରାୟ ୧୫ ହଜାର କ୍ରୀଡ଼ାବିତ୍‌, ୪୫ ହଜାର ସ୍ବେଚ୍ଛାସେବୀ, ୨୬ ହଜାର ଗଣମାଧ୍ୟମ ପ୍ରତିନିଧି ଭାଗ ନେଉଥିବା ବେଳେ କୋଟିଏରୁ ଅଧିକ ଅତିଥି ମଧ୍ୟ ପରିଭ୍ରମଣରେ ଆସିବେ ବୋଲି ଆକଳନ କରାଯାଇଛି। ତେବେ ଏତେ ସଂଖ୍ୟକ କ୍ରୀଡ଼ାବିତ୍‌, ସହଯୋଗୀ ଓ ଦେଖଣାହାରୀ ଅତିଥିମାନଙ୍କ ଭୋଜନ ପାଇଁ ଉଦ୍ଭିଦ ଆଧାରିତ ସ୍ଥାନୀୟ ଧାରଣକ୍ଷମ ଖାଦ୍ୟକୁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଅତିଥି ଅଭ୍ୟାଗତମାନଙ୍କ ପରିଭ୍ରମଣ ଜନିତ ଯାନବାହନରୁ ଅଙ୍ଗାର ନିର୍ଗମନ କମାଇବା ଉଦ୍ଦେଶ୍ୟରେ ହଜାରେ କିଲୋମିଟର ଦୀର୍ଘ ସ୍ବତନ୍ତ୍ର ସାଇକେଲ ପଥ ନିର୍ମାଣ କରାଯିବା ସହ ଅଳ୍ପ ଭଡ଼ାରେ ୩,୦୦୦ ସାଇକେଲ ମିଳିବାର ସୁବିଧା କରାଯାଇଛି। ସେହିପରି ଅଧିକ ଅଙ୍ଗାର ନିର୍ଗମନ କରୁଥିବା କୋଠା ନିର୍ମାଣ ଉପରେ ମଧ୍ୟ କଟକଣା ଲଗାଯାଇଛି। ଅଲିମ୍ପିକ୍‌ କ୍ରୀଡ଼ାକୁ ଆକର୍ଷଣୀୟ କରିବା ଲାଗି ଲଣ୍ଡନ ଓ ଟୋକିଓ ଅଲିମ୍ପିକରେ ଯଥାକ୍ରମେ ୮ଟି ଓ ୧୧ଟି ନୂତନ ସ୍ଥାୟୀ କ୍ରୀଡ଼ାସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ପ୍ୟାରିସ ଅଲିମ୍ପିକ୍‌ର ୯୫ ପ୍ରତିଶତ କ୍ରୀଡ଼ା ପୁରୁଣା କୋଠା ବା ଅସ୍ଥାୟୀ ଶିବିରରେ କରାଯାଉଛି। ଉଷ୍ମ ପ୍ୟାରିସ୍‌ ପରିବେଶରେ ଅତିଥିମାନଙ୍କ ରହଣି ପାଇଁ ୨,୫୦୦ ଅସ୍ଥାୟୀ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ସହ ୨,୮୦୦ଟି ନୂତନ କୋଠା ନିର୍ମାଣ କରାଯାଇଛି, ଯାହା ପରେ ବାସଗୃହରେ ରୂପାନ୍ତରିତ ହେବ। ସେହିପରି ଶଯ୍ୟାଗୁଡ଼ିକ ପୁନର୍ବ୍ୟବହାରକ୍ଷମ ଟାଣ କାର୍ଡବୋର୍ଡ ଓ ଗଦିଗୁଡ଼ିକୁ ପୁନଃପ୍ରକ୍ରିୟାକୃତ ମାଛଧରା ଜାଲରେ ନିର୍ମାଣ କରାଯାଇଛି। ଚୌକି, ଟେବୁଲ ଓ ବିଭିନ୍ନ ଫର୍ଣ୍ଣିଚରଗୁଡ଼ିକୁ ନୂଆ ନିର୍ମାଣ ନକରି ଭଡ଼ାରେ ଅଣାଯାଇଛି ଏବଂ ସେଗୁଡ଼ିକ କ୍ରୀଡ଼ା ପରେ ଅନ୍ୟତ୍ର ବ୍ୟବହାର ହୋଇପାରିବ। ବିଭିନ୍ନ ଦେଶରୁ ଉଡ଼ାଜାହାଜରେ ଅତିଥିମାନଙ୍କ ଆଗମନ ହେତୁ ଉଲ୍ଲେଖନୀୟ ପରିମାଣର ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିବା ସତ୍ତ୍ବେ ପ୍ୟାରିସ ଅଲିମ୍ପିକ୍‌ ହିଁ ସବୁଠୁ ନିର୍ମଳ ତଥା ପରିବେଶ ଅନୁକୂଳ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe