ଉପସ୍ଥାପନା: ପ୍ରଦୀପ କୁମାର ରାୟ

୧୮୮୯ ମସିହା, ମାତ୍ର ୪୫ ବର୍ଷ ବୟସରେ ହଠାତ୍ ସ୍ବାମୀଙ୍କୁ ହରାଇ ପାଞ୍ଚଟି ସନ୍ତାନଙ୍କୁ ନେଇ ପ୍ରାୟ ନିରାଶ୍ରୟା ହୋଇ ପଡ଼ିଥିଲେ ଆମେରିକାର ଆନା ବିସେଲ୍‌। ଆକସ୍ମିକ ଏକ ଅନିଶ୍ଚିତ ଭବିଷ୍ୟତର ପାଦଦେଶରେ ଛିଡ଼ା ହୋଇ କିଂକର୍ତ୍ତବ୍ୟବିମୂଢ଼ ଆନାଙ୍କୁ ସମସ୍ତେ ନାନା ଉପଦେଶ ଓ ବୁଦ୍ଧିରେ ଜର୍ଜରିତ କରି ତୋଳିଥିଲେ। ତାଙ୍କର ଫ୍ୟାକ୍ଟ୍ରିଟିଏ ଥିଲା। ତାକୁ ବିକ୍ରି କରିବାକୁ ସଭିଏଁ କହୁଥିଲେ। ଯେହେତୁ ସେ ଜଣେ ନାରୀ ତେଣୁ ବ୍ୟାଙ୍କ ମଧ୍ୟ ତାଙ୍କୁ ସେହି ଫ୍ୟାକ୍ଟ୍ରି ଚଳାଇ ପାରିବେନାହିଁ ବୋଲି ମତାମତ ଦେଇଥିଲେ। ସମାଜ ଓ ପରିବାରର ଏକମାତ୍ର ଚିନ୍ତା, ଏତେ ବିରାଟ ବ୍ୟବସାୟ ଜଣେ ନାରୀ କିଭଳି ସମ୍ଭାଳିବେ? କାରଣ ପୁରୁଷତାନ୍ତ୍ରିକ ସମାଜ ସେହି ସମୟରେ ମଧ୍ୟ ବିଶ୍ବାସ କରୁଥିଲା ଯେ, ବ୍ୟବସାୟ ଚଳାଇବା ନାରୀମାନଙ୍କର କାମ ନୁହେଁ। କିନ୍ତୁ ଆନା ଆଦୌ ହତାଶ ନହୋଇ ଦୃଢ଼ ଭାବରେ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କର ଓ ସ୍ବାମୀଙ୍କ ହାତରେ ଗଢ଼ା ବ୍ୟବସାୟକୁ ହିଁ ସେ ଜାବୁଡ଼ି ଧରି ହାର୍‌ ନମାନି ଆଗେଇ ଯିବେ ଏବଂ ପରିଣତି ଯାହାବି ହେଉନା କାହିଁକି, ସେ ସେହି ପରିଣତିର ସାମ୍ନା କରିବେ।

Advertisment

Neglected: ଜରାଜୀର୍ଣ୍ଣ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ଏକମାତ୍ର ଏବଂ ପ୍ରଥମ ଶୀତଳ ଭଣ୍ଡାର

ଆନାଙ୍କ ଜୀବନ କାହାଣୀ ଅସଲରେ ଆରମ୍ଭ ହୋଇଥିଲା ଖୁବ୍‌ ସାଧାରଣ ଭାବରେ। ୧୮୪୬ ମସିହାରେ କାନାଡାର ନୋଭା ସ୍କଟିଆଠାରେ ଜନ୍ମଗ୍ରହଣ କରିବା ପରେ ପିଲାଦିନରୁ ପରିବାର ସହ ଉଇସକନ୍‌ସିନ୍ ସହରକୁ ଚାଲି ଆସିଥିଲେ। ଶିକ୍ଷାଲାଭ ପରେ କିଛିଦିନ ଶିକ୍ଷକତା କରନ୍ତି ଏବଂ ୧୯ ବର୍ଷ ବୟସରେ ମେଲଭିଲ୍‌ ରିଉବେନ୍‌ ବିସେଲ୍‌ଙ୍କ ସହିତ ତାଙ୍କର ବିବାହ ହୋଇଯାଏ। ବିବାହ ପରେ ସ୍ବାମୀସ୍ତ୍ରୀ ମିଶି ଗୋଟିଏ ଛୋଟ କ୍ରୋକରି ଓ ଚିନାମାଟି ପାତ୍ରର ବ୍ୟବସାୟ ଆରମ୍ଭ କରନ୍ତି। ରାସ୍ତାକଡ଼ରେ ଗୋଟିଏ କାଠ କ୍ୟାବିନ୍‌ କରି ସେମାନେ ବ୍ୟବସାୟ ଆରମ୍ଭ କରିଥିଲେ। ରାସ୍ତା କଡ଼ରେ ସେମାନଙ୍କର ଦୋକାନ ଥିବାରୁ ଅନବରତ ତାଙ୍କ ଦୋକାନର କାର୍ପେଟ୍‌ ଉପରେ ଧୂଳି ଜମୁଥିଲା। ସେହି ଧୂଳି ଭୀଷଣ ବିବ୍ରତ କରୁଥିଲା ଆନାଙ୍କୁ। ଆନାଙ୍କ ବିରକ୍ତି ହେତୁ ଚିନ୍ତିତ ତାଙ୍କର ସ୍ବାମୀ ୧୮୭୬ ମସିହାରେ ତିଆରି କରିଥିଲେ ଏକ ଯୁଗାନ୍ତକାରୀ ଯନ୍ତ୍ର କାର୍ପେଟ୍‌ ସୁଇପର୍‌। ପ୍ରଥମେ ପ୍ରଥମେ ସେମାନେ ନିଜ ଦୋକାନ ସଫା କରିବା ପାଇଁ ସେହି ଯନ୍ତ୍ର ବ୍ୟବହାର କରୁଥିଲେ; କିନ୍ତୁ ସେହି ଯନ୍ତ୍ରର ଅଭୂତପୂର୍ବ କାର୍ଯ୍ୟଦକ୍ଷତା ଦେଖି ସେମାନେ ଯନ୍ତ୍ରଟିକୁ ବିକ୍ରି କରିବା ଆରମ୍ଭ କରିବାକୁ ସିଦ୍ଧାନ୍ତ ନେଲେ।

ଯନ୍ତ୍ରଟିର ପ୍ରଚାରପ୍ରସାର ଦାୟିତ୍ୱ ବହନ କରିଥିଲେ ଆନା। ୧୮୮୩ ମସିହାରୁ ଆନା ସହର ସହର ବୁଲି ଯନ୍ତ୍ରଟି ବିକ୍ରି କରିବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ଯଦିଓ ଆନା ବିଶେଷ ସଫଳତା ହାସଲ କରିନଥିଲେ, କିନ୍ତୁ କ୍ରମଶଃ ଲୋକେ ଯନ୍ତ୍ରଟିର ଉପାଦେୟତା ଅନୁଭବ କରିଥିଲେ। ତା’ପରେ ଆନା ଆମେରିକାର ସବୁଠାରୁ ବଡ଼ ବ୍ୟବସାୟୀ ଜନ୍‌ ୱାନାମେକାର୍‌ ସହିତ ଯନ୍ତ୍ରଟିର ବିତରଣ ପାଇଁ ଚୁକ୍ତି କରିଥିଲେ। ବେଶ୍‌ ଜମି ଉଠିଥିଲା ସେମାନଙ୍କର ବ୍ୟବସାୟ। କିନ୍ତୁ ହଠାତ୍‌ ନିଆଁ ଲାଗି ଧ୍ବଂସ ହୋଇଯାଇଥିଲା ଆନା ଓ ତାଙ୍କ ସ୍ବାମୀଙ୍କର ସ୍ବପ୍ନରେ ଗଢ଼ା କାରଖାନା। ତଥାପି ଭାଙ୍ଗି ପଡ଼ିନଥିଲେ ଆନା। ବ୍ୟାଙ୍କରୁ ବ୍ୟାଙ୍କ ବୁଲି ଲୋନ୍‌ ଆଣି ମାତ୍ର ତିନି ସପ୍ତାହ ଭିତରେ ନୂତନ ଭାବରେ କାରଖାନା ଗଢ଼ି କାମ ଆରମ୍ଭ କରି ଦେଇଥିଲେ।

Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି

ଆନାଙ୍କ ନେତୃତ୍ୱରେ ‘ବିସେଲ୍‌’ କମ୍ପାନି ଆମେରିକାର ସୀମା ଅତିକ୍ରମ କରି ବିଦେଶରେ ପାଦ ଥାପିଥିଲା। ପେଟେଣ୍ଟ ରକ୍ଷାଠାରୁ ଆରମ୍ଭ କରି ଉତ୍ପାଦନ, ବିକ୍ରୟ ସବୁକିଛି ତଦାରଖ କରୁଥିଲେ ଆନା ନିଜେ। ଏହି ସଫଳତାର ହାତଧରି ହିଁ ଆମେରିକାର ଇତିହାସରେ ପ୍ରଥମ ନାରୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଇଓ) ଭାବରେ ନାମ ପଞ୍ଜୀକରଣ ହୋଇଥିଲା ଆନାଙ୍କର। ତେବେ ତାଙ୍କର ସବୁଠାରୁ ବଡ଼ ପରିଚୟ ଜଣେ ସଫଳ ବ୍ୟବସାୟୀ ହିସାବରେ ନୁହେଁ, ସେ ଥିଲେ ଜଣେ ଦରଦୀ ମଣିଷ। ଗ୍ରାଣ୍ଡ ରା‌ପିଡ୍‌ସର ନାରୀ ଓ ତରୁଣୀମାନଙ୍କ ପାଇଁ ‘ବିସେଲ୍‌ ହାଉସ୍‌’ ନାମରେ ଏକ ଆଶ୍ରୟ ଓ ଶିକ୍ଷାନୁଷ୍ଠାନ ସେ ଗଢ଼ିଥିଲେ। କର୍ମଚାରୀଙ୍କ ପେନ୍‌ସନ୍‌ ଆଇନ ଅନୁମୋଦିତ ହେବାର ବହୁ ପୂର୍ବରୁ ସେ ତାଙ୍କ କମ୍ପାନିର କର୍ମଚାରୀଙ୍କ ପାଇଁ ପେନସନ୍‌, ୱାର୍କର୍ସ କମ୍ପନ୍‌ସେସନ୍‌ସ, ପେଡ୍‌ ଭେକେସନ୍‌ ଆରମ୍ଭ କରିଥିଲେ, ଯାହା ସେ ସମୟରେ ଥିଲା ଅକଳ୍ପନୀୟ। ୧୮୯୩ ମସିହାର ମହାମାନ୍ଦା ବେଳେ ଯେତେବେଳେ ପ୍ରାୟସବୁ ବ୍ୟବସାୟ କ୍ଷେତ୍ରରେ ମାନ୍ଦାବସ୍ଥା, ସେତେବେଳେ ମଧ୍ୟ ସେ ତାଙ୍କର କୌଣସି କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିନଥିଲେ। ଫଳରେ କର୍ମଚାରୀମାନଙ୍କ ଅଜସ୍ର ଭଲପାଇବା ସେ ପାଇଥିଲେ। ତାହାର ଫଳସ୍ବରୂପ ତାଙ୍କ କମ୍ପାନିରେ କେବେହେଲେ କୌଣସି ଧର୍ମଘଟ ହୋଇନଥିଲା।

ତିରିଶ ବର୍ଷ କମ୍ପାନିର ସିଇଓ, ତା’ପରେ ଆହୁରି ଅନେକବର୍ଷ ବୋର୍ଡ ଚେୟାର୍‌ମ୍ୟାନ୍‌ ରହିବା ପରେ ୧୯୩୪ ମସିହାରେ ତାଙ୍କ ବିଜୟ ରଥ ଅଟକି ଯାଇଥିଲା। ଜୀବନକାଳ ଭିତରେ କିନ୍ତୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଗୋଟିଏ ଧୂଳି ଆଚ୍ଛାଦିତ କାଠ କ୍ୟାବିନ୍‌ର ଛୋଟ ଦୋକାନରୁ ଧୂଳି ଝାଡ଼ିବାର ପ୍ରୟାସରୁ ତାଙ୍କର ବିଶ୍ବବିଜୟର କାହାଣୀ। ସମ୍ପ୍ରତି ଭ୍ୟାକୁମ୍‌ କ୍ଲିନର୍‌ ହୁଏତ ଏକ ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ମେସିନ୍‌, କିନ୍ତୁ ଜଣେ ସାଧାରଣ ନାରୀ ଯେ ତାହାର ଆଦ୍ୟ ଉନ୍ମେଷ କରିଥିଲେ, ସେହି ଉନ୍ମେଷର କାହାଣୀ ଯେ ଏତେ ସଂଘର୍ଷପୂର୍ଣ୍ଣ ଓ ରୋଚକ, ଆନାଙ୍କ ଜୀବନ କାହାଣୀ ତାହା ହିଁ କହିଥାଏ।