Gardening Know How
ଦୁଃଖୀ ସୁଖୀ ନିର୍ବିଶେଷରେ ସମସ୍ତଙ୍କ ମନରେ ଏକ ଅବ୍ୟକ୍ତ ଆନନ୍ଦ ଭରିଦେଉଥିବା ସଂଗୀତ ମାନବ ସମାଜର ଏକ ଅବିଚ୍ଛେଦ୍ୟ ଅଂଗ ହୋଇ ରହି ଆସିଛି। ଏହା ସ୍ଥଳବିଶେଷରେ ଭାରାକ୍ରାନ୍ତ ମନରେ ଫୂର୍ତ୍ତି ଯୋଗାଇବା ସହ ବିଷାଦଗ୍ରସ୍ତ ମନରେ ଉଲ୍ଲାସ ଭରିଦେଇଥାଏ। ଏପରିକି ଆଧୁନିକ ଚିକିତ୍ସା ବିଜ୍ଞାନରେ ମଧ୍ୟ ଅନେକ ଦୁଃସାଧ୍ୟ ରୋଗରୁ ଉପଶମ ପାଇଁ ସଂଗୀତର ବହୁଳ ବ୍ୟବହାର ଏବେ ଦେଖିବାକୁ ମିଳୁଛି। ତେବେ କେବଳ ମନୁଷ୍ୟ କାହିଁକି, ଅନ୍ୟ ଜୀବଜନ୍ତୁଙ୍କ ଉପରେ ମଧ୍ୟ ସଂଗୀତର ଉଲ୍ଲେଖନୀୟ ପ୍ରଭାବ ପଡ଼ିଥିବା ନାନା ପରୀକ୍ଷା ନିରୀକ୍ଷାରୁ ସ୍ପଷ୍ଟ ହୋଇଛି। ବୃକ୍ଷଲତାମାନଙ୍କ ଅଭିବୃଦ୍ଧିରେ ମଧ୍ୟ ସଂଗୀତର ଭୂମିକା ରହିଛି ବୋଲି ଜଣାଯାଇଛି। ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ମାନର ସଂଗୀତ ଗଛର ବୃଦ୍ଧିକୁ ଦ୍ରୁତ କରାଇଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି। ସୂଚନାଯୋଗ୍ୟ, କିଛି ଗଛଲତା ପାଖରେ ବିଭିନ୍ନ ଶବ୍ଦ ପ୍ରୟୋଗ କଲେ ସେମାନଙ୍କ ବିକାଶ ହୋଇଥାଏ ବୋଲି ପୂର୍ବରୁ ଜଣାଯାଇଥିଲା। ତେବେ ସଂଗୀତ ଦ୍ବାରା ମଧ୍ୟ ଅନୁରୂପ ପ୍ରଗତି ସାଧିତ ହେଉଥିବା ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। କାରଣ ସଂଗୀତ ଦ୍ବାରା ସୃଷ୍ଟ ଧ୍ବନି ତରଙ୍ଗ ବହନ କରୁଥିବା କମ୍ପନ ହିଁ ଆଖପାଖରେ ରହିଥିବା ବୃକ୍ଷଲତାର ବୃଦ୍ଧିକୁ ଉତ୍ତେଜିତ କରିଥାଏ। ସେମାନଙ୍କର ବିକାଶ ପ୍ରକ୍ରିୟା ଦ୍ରୁତତର ହୋଇଥାଏ। ବୃକ୍ଷଲତାଙ୍କ ସମ୍ପର୍କରେ ଆଉ ଏକ ରୋଚକ କଥା ହେଲା, ବିବର୍ତ୍ତନ ଦ୍ବାରା ସେମାନେ ଏଭଳି ଏକ ଶ୍ରବଣଶକ୍ତି ଆହରଣ କରିଛନ୍ତି, ଯାହା ସେମାନଙ୍କୁ ହିଂସ୍ର ଜନ୍ତୁମାନଙ୍କ ସମ୍ପର୍କରେ ସତର୍କ କରିପାରିଥା’ନ୍ତି।
Follow Us