ବିଶ୍ବର ପ୍ରାଚୀନତମ ପାନ୍ଥଶାଳା

ବିଶ୍ବର ପ୍ରାଚୀନତମ ପାନ୍ଥଶାଳା

ଇତିହାସରେ ହୋଟେଲ ଶିଳ୍ପ କଥା ଖୋଜିଲେ ଅନେକ ପ୍ରାଚୀନ କାଳରୁ ତାହା ରହିଥିବା ଜଣାପଡ଼େ। ପ୍ୟାରିସ ଓ ରୋମ ପରି ଅତି ପୁରାତନ ସହରରେ ହୋଟେଲ ସଂକ୍ରାନ୍ତ ରୋଚକ ତଥ୍ୟ ଥାଇପାରେ, ମାତ୍ର ଜାପାନର ଏକ ପାନ୍ଥଶାଳା ଭିନ୍ନ ଗୁଣ ପାଇଁ ସର୍ବାଗ୍ରେ ରହିବ। ଜାପାନର ଫୁଜି ପର୍ବତ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ‘ନିଶିୟାମା ଅନ୍‌ସେନ୍‌ କ୍ୟୁଁକାନ୍‌’ ନାମକ ପାନ୍ଥଶାଳାଟି ୭୦୫ ଖ୍ରୀଷ୍ଟାବ୍ଦରୁ ହିଁ ନିରନ୍ତର ସେବା ଯୋଗାଇ ଆସୁଛି। ଏହା ବିଶ୍ବର ପ୍ରାଚୀନତମ ଅବିରତ କାର୍ଯ୍ୟକ୍ଷମ ହୋଟେଲ ହେବାର ଗୌରବ ଅର୍ଜନ କରି ୨୦୧୧ ମସିହାରେ ବିରଳ ଗିନିସ୍‌ ବିଶ୍ବ ରେକର୍ଡର ଅଧିକାରୀ ହୋଇପାରିଛି। ଦୀର୍ଘ ୧୫ ଶତାବ୍ଦୀ ତଳେ ଫୁଜିଵାରା ମାହିତୋ ଏହାକୁ ସ୍ଥାପନ କରିଥିଲେ ଏବଂ ସେବେଠାରୁ ତାହା ଗ୍ରାହକମାନଙ୍କୁ ଅନନ୍ୟ ଆତିଥ୍ୟ ପ୍ରଦାନ କରିଆସୁଛି।

ଫୁଜିଵାରାଙ୍କ ପରେ ତାଙ୍କର ୫୨ ପିଢ଼ି ଯାଏ ତାହା ଗୋଟିଏ ପରିବାର ଦ୍ବାରା ହିଁ ପରିଚାଳିତ ହୋଇ ଆସୁଛି। ଯଦିଓ ସମୟାନୁକ୍ରମେ ସେଥିରେ ଆଧୁନିକତାର ସ୍ପର୍ଶ ବାଜି କିଛି ନବୀକରଣ କରାଯାଇଛି, ତେବେ ତାହାର ମୂଳ ତଥା ମୁଖ୍ୟ ଆକର୍ଷଣ ସୁଖଦାୟକ ‘ଉଷ୍ମ ପ୍ରସ୍ରବଣ’ ଏବଂ ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବେ ବି ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ରହିଛି। ହୋଟେଲରେ ଥିବା ୩୭ଟି ପ୍ରକୋଷ୍ଠକୁ ଜାପାନର ପାରମ୍ପରିକ ଶୈଳୀରେ ସଜ୍ଜିତ କରାଯାଇ ପ୍ରତି କୋଠରିର ରାତି ପିଛା ଭଡ଼ା ସର୍ବନିମ୍ନ ୪୦୫ ଡଲାର ରଖାଯାଇଛି। ସଂଖ୍ୟାଧିକ ଐତିହାସିକ ଯୋଦ୍ଧାଙ୍କ ଠାରୁ ଆରମ୍ଭ କରି ପ୍ରଥମ ଶ୍ରେଣୀର ରାଜନେତା ଓ ସମ୍ଭ୍ରାନ୍ତ ବର୍ଗର ବ୍ୟକ୍ତିବିଶେଷ ଏହି ପାନ୍ଥଶାଳାର ଉପଶମକାରୀ ଉଷ୍ମ ସ୍ନାନର ମଜା ନେଇଛନ୍ତି। ‘ମୋଚିତାନି ନୋ ୟୁ’ ନାମରେ ପରିଚିତ କ୍ୟୁଁକାନ୍‌ର ପ୍ରସିଦ୍ଧ ସ୍ନାନରେ କ୍ୟୁଟୋ ପାହାଡ଼ର ପାଦଦେଶରେ ଥିବା ଉଷ୍ମ ପ୍ରସ୍ରବଣର ଜଳକୁ ସିଧାସଳଖ ଉପଭୋଗ କରିବାର ପ୍ରାବଧାନ ରହିଛି। ଏପରିକି ଅତିଥି ଅଭ୍ୟାଗତମାନଙ୍କୁ ମଧ୍ୟ ଏହି ପ୍ରସ୍ରବଣରୁ ସିଧାସଳଖ ଜଳ ପାନ କରିବାକୁ ନିମନ୍ତ୍ରଣ କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe