ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମାଲ୍ୟବାନ

Advertisment

ଏକଦା ସୁକେଶ ନାମକ ଜଣେ ରାକ୍ଷସ ଲଙ୍କାରେ ରାଜତ୍ବ କରୁଥିଲେ। ତାଙ୍କର ପତ୍ନୀଙ୍କ ନାମ ବେଦବତୀ। ସୁକେଶଙ୍କର ତିନି ପୁତ୍ର ଥିଲେ- ମାଳି, ସୁମାଳି ଓ ମାଲ୍ୟବାନ। ବ୍ରହ୍ମା ଓ ଶିବଙ୍କ ବଳରେ ବଳୀୟାନ ହୋଇ ସେମାନେ ଦେବ, ଯକ୍ଷ, ଗନ୍ଧର୍ବ ଆଦିଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ।

ଏକଦା ସୁକେଶ ନାମକ ଜଣେ ରାକ୍ଷସ ଲଙ୍କାରେ ରାଜତ୍ବ କରୁଥିଲେ। ତାଙ୍କର ପତ୍ନୀଙ୍କ ନାମ ବେଦବତୀ। ସୁକେଶଙ୍କର ତିନି ପୁତ୍ର ଥିଲେ- ମାଳି, ସୁମାଳି ଓ ମାଲ୍ୟବାନ। ବ୍ରହ୍ମା ଓ ଶିବଙ୍କ ବଳରେ ବଳୀୟାନ ହୋଇ ସେମାନେ ଦେବ, ଯକ୍ଷ, ଗନ୍ଧର୍ବ ଆଦିଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ।

fhkhfkhfkh

ଏକଦା ସୁକେଶ ନାମକ ଜଣେ ରାକ୍ଷସ ଲଙ୍କାରେ ରାଜତ୍ବ କରୁଥିଲେ। ତାଙ୍କର ପତ୍ନୀଙ୍କ ନାମ ବେଦବତୀ। ସୁକେଶଙ୍କର ତିନି ପୁତ୍ର ଥିଲେ- ମାଳି, ସୁମାଳି ଓ ମାଲ୍ୟବାନ। ବ୍ରହ୍ମା ଓ ଶିବଙ୍କ ବଳରେ ବଳୀୟାନ ହୋଇ ସେମାନେ ଦେବ, ଯକ୍ଷ, ଗନ୍ଧର୍ବ ଆଦିଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ। ବିଷ୍ଣୁ ରାକ୍ଷସମାନଙ୍କ ସହିତ ଯୁଦ୍ଧ କଲେ। ଯୁଦ୍ଧରେ ମାଳି ମୃତ୍ୟୁବରଣ କଲେ। ମାଲ୍ୟବାନ୍‌ ଓ ସୁମାଳି ପରାଜିତ ହୋଇ ବିଷ୍ଣୁଙ୍କ ନିର୍ଦ୍ଦେଶରେ ଲଙ୍କା ପରିତ୍ୟାଗ କରି ପାତାଳଲୋକରେ ବସବାସ କଲେ। ଲଙ୍କା ରାକ୍ଷସଶୂନ୍ୟ ହୋଇଗଲା। ବ୍ରହ୍ମାଙ୍କ ଆଦେଶରେ କୁବେର ସେଠାରେ ରାଜ୍ୟସ୍ଥାପନ କରି ବାସ କଲେ। ଯେତେବେଳେ ସୁମାଳିଙ୍କ କନ୍ୟା ନିକଷାଠାରୁ ରାବଣ ଜନ୍ମ ନେଲା, କୁବେର ପିତାଙ୍କ ନିର୍ଦ୍ଦେଶରେ ରାବଣକୁ ଲଙ୍କା ସମର୍ପଣ କରି କୈଳାସ ଚାଲିଗଲେ। ପାତାଳ ଲୋକରୁ ସମସ୍ତ ରାକ୍ଷସ ଆସି ଲଙ୍କାରେ ରହିଲେ।

ସୁକେଶଙ୍କର ଜ୍ୟେଷ୍ଠପୁତ୍ର ଭାବରେ ମାଲ୍ୟବାନ ଥିଲେ ଲଙ୍କାର ରାଜା। କିନ୍ତୁ ରାବଣର ମାତାମହ ଭାବରେ ସେ ରାବଣର ପ୍ରଧାନମନ୍ତ୍ରୀ ଓ ଉପଦେଷ୍ଟା ଭାବରେ ଲଙ୍କାରେ ରହିଥିଲେ। ସେ ସଂପୂର୍ଣ୍ଣ ଭାବରେ ଜ୍ଞାନଗୁଣ ସଂପନ୍ନ ଥିଲେ। ରାକ୍ଷସ ହେଲେ ମଧ୍ୟ ବିଷ୍ଣୁଙ୍କ ପ୍ରତି ତାଙ୍କର ଥିଲା ଅଚଳାଚଳ ଭକ୍ତି। ବିଷ୍ଣୁ ଏକା ସମସ୍ତ ରାକ୍ଷସଙ୍କୁ ପରାଭୂତ କରିବାକୁ ସମର୍ଥ, ନିଜର ପୂର୍ବ ଅଭିଜ୍ଞତାରୁ ସେ ଏହା ଜାଣିଥିଲେ। ସେହି ବିଷ୍ଣୁ ଏବେ ଦଶରଥନନ୍ଦନ ରାମ, ଏହା ମାଲ୍ୟବାନ ଜାଣିଥିଲେ। ତେଣୁ ରାବଣର ଶୁଭଚିନ୍ତକ ଭାବରେ, ଯେତେବେଳେ ରାବଣ ଯୁଦ୍ଧ କରିବା ନିମିତ୍ତ ନିଜ ସଭାସଦ୍‌ମାନଙ୍କ ସହିତ ମନ୍ତ୍ରଣା ଆରମ୍ଭ କଲା, ସଭା ମଧ୍ୟରେ ଉପସ୍ଥିତ ମାଲ୍ୟବାନ ପ୍ରଥମେ ଏହାର ପ୍ରତିରୋଧ କଲେ। ମାଲ୍ୟବାନ ସ୍ବୟଂ ପରାକ୍ରମୀ ଓ ବଳବାନ। ତଥାପି ସେ  ବୀରତା ଓ ବିକ୍ରମର କଥା ନ କହି, ବୁଦ୍ଧି ଓ ଜ୍ଞାନ ଅନୁସାରେ ରାଜାର ରାଜନୀତି ଜ୍ଞାନ ସଂପର୍କରେ ସୂଚନା ଦେବାକୁ ଯାଇ କହିବାକୁ ଆରମ୍ଭ କଲେ, ‘‘ଜଣେ ରାଜା ଚତୁର୍ଦ୍ଦଶ ବିଦ୍ୟାରେ ସୁଶିକ୍ଷିତ ହେବା ସହିତ ନୀତିଜ୍ଞ ହେବା ବିଧେୟ। ଏପରି ରାଜା ଦୀର୍ଘ ଦିନ ଧରି ଶାସନ କରନ୍ତି ଏବଂ ଶତ୍ରୁକୁ ମଧ୍ୟ ବଶୀଭୂତ କରି ରଖନ୍ତି। ଆବଶ୍ୟକ ସ୍ଥଳେ ପରାକ୍ରମୀ ଶତ୍ରୁ ସହିତ ସନ୍ଧିକରିବା ବୁଦ୍ଧିମାନର କାର୍ଯ୍ୟ। ଏବଂ ମୋର ମତ, ପରାକ୍ରମୀ ଶ୍ରୀରାମଙ୍କ ସହିତ ସନ୍ଧିକରି ସୀତାଙ୍କୁ ଫେରାଇ ଦେବା ବୁଦ୍ଧିମାନର କାର୍ଯ୍ୟ ହେବ। ଦେବତା, ଋଷି, ମୁନି, ଗନ୍ଧର୍ବ, ଯକ୍ଷ, ବାନର, ଋଷି, ସମସ୍ତେ ଶ୍ରୀରାମଙ୍କର ବିଜୟ ଚାହାନ୍ତି। ତେଣୁ ଶ୍ରୀରାମଙ୍କର ବିରୋଧ କର ନାହିଁ। ସୃଷ୍ଟିକର୍ତ୍ତା ବ୍ରହ୍ମା ସୁର ଅସୁର ଯେଉଁ ଦୁଇ ପକ୍ଷ ସୃଷ୍ଟି କରିଛନ୍ତି, ସେମାନେ ଉଭୟ ଧର୍ମ ଓ ଅଧର୍ମର ଆଶ୍ରିତ। ଏବଂ ଅଧର୍ମ କିଛି ସମୟ ପାଇଁ ଧର୍ମକୁ କରାୟତ୍ତ କଲେ ମଧ୍ୟ, ପରିଶେଷରେ ଧର୍ମର ହିଁ ବିଜୟ ହୁଏ। ତୁମ ଦ୍ବାରା ଅଧର୍ମ ହୋଇଛି। ବ୍ରାହ୍ମଣ, ଦ୍ବିଜ, ଋଷି, ଦେବତା ଓ ନାରୀ, ସମସ୍ତଙ୍କର ଅମର୍ଯ୍ୟାଦା ତୁମେ କରିଆସିଛ। ଆଜି ସମସ୍ତେ ଏକତ୍ର ହୋଇ ତୁମର ବିନାଶ କାମନା କରୁଛନ୍ତି। ତୁମେ ମଧ୍ୟ ଦେବତା, ଦାନବ ଓ ଯକ୍ଷଙ୍କ ଦ୍ବାରା ଅବଧ୍ୟ ହେବାପାଇଁ ବର ପାଇଛ। ମନୁଷ୍ୟ, ବାନର, ଋଷି, ଲଙ୍ଗୁର  ପାଇଁ ନୁହଁ। ତେଣୁ ସାବଧାନ ହୁଅ। ତୁମ ଶତ୍ରୁ ସ୍ବୟଂ ବିଷ୍ଣୁ ଆଜି ମାନବ ରୂପରେ, ଦେବତାମାନେ ବାନର ଓ ଋଷି ରୂପରେ ଜନ୍ମିତ। ମୋ କଥା ମାନ। 

ରାବଣ କିନ୍ତୁ ବୃଦ୍ଧ ଜ୍ଞାନୀ ମାତାମହଙ୍କ କଥା ଶୁଣିବା ଅବସ୍ଥାରେ ନ ଥିଲା। ମାଲ୍ୟବାନଙ୍କ କଥା ଶୁଣି ଅଟ୍ଟହାସ କରି ନିଜର ଶୌର୍ଯ୍ୟ ବୀର୍ଯ୍ୟର ଆସ୍ଫାଳନ କରିବାକୁ ଆରମ୍ଭ କରିବାରୁ ମାଲ୍ୟବାନ ଆତ୍ମସମ୍ମାନ ରକ୍ଷା ଦୃଷ୍ଟିରୁ  ‘ମହାରାଜଙ୍କର ଜୟ ହେଉ’ କହି ସେଠାରୁ ଚାଲିଗଲେ। ସେ ଜାଣିଗଲେ, ରାବଣର ଲଙ୍କାଧ୍ବଂସର ସମୟ ଆସିଗଲା। ରାବଣର ମୃତ୍ୟୁ ପରେ ସେ ଧର୍ମାତ୍ମା ବିଭୀଷଣଙ୍କ ଉପଦେଷ୍ଟା ଭାବରେ ଅବସ୍ଥାପିତ ‌ହୋଇ ବିଷ୍ଣୁପୂଜନରେ ଲିପ୍ତ ହୋଇଥିଲେ। 
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe