ଧନୁଭଙ୍ଗ ପରେ ବିଶ୍ବାମିତ୍ରଙ୍କ ନିର୍ଦ୍ଦେଶରେ ରାମଙ୍କ ସହିତ ସୀତାଙ୍କର ବିବାହ ଏବଂ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କର ବିବାହ ମଧ୍ୟ ଉର୍ମିଳା, ମାଣ୍ଡବୀ ଓ ଶ୍ରୂତକୀର୍ତ୍ତିଙ୍କ ସହିତ ସଂପନ୍ନ ହେଲା। ଜନକ ବହୁ ଧନରତ୍ନ, ହାତୀଘୋଡ଼ା, ଦାସଦାସୀଙ୍କ ସହିତ ଦଶରଥଙ୍କର ଚାରିପୁତ୍ର ଓ ପୁତ୍ରବଧୂମାନଙ୍କୁ ବିଦାୟ ଦେବାର ମହାର୍ଘ ଶୋଭାଯାତ୍ରାର ଆୟୋଜନ କଲେ। ସେତେବେଳେ ହଠାତ୍ ବହୁ ବିତ୍ପାତ ଓ ବିଲକ୍ଷଣ ଦେଖାଦେଲା। ଚତୁର୍ଦ୍ଦିଗ ଅନ୍ଧକାର ହୋଇଗଲା। ଆକାଶରେ ମେଘ ବିଦ୍ୟୁତ୍ର ପ୍ରଳୟଙ୍କରୀ ରୂପ ପ୍ରତିଭାତ ହେଲା। ଭୟଙ୍କର ପବନର ପ୍ରବାହରେ ବିଶାଳ ବୃକ୍ଷମାନେ ଭୂମିରେ ଲୋଟି ପଡ଼ିଲେ। ପକ୍ଷୀମାନଙ୍କର କାତର ଚିତ୍କାରରେ ମିଥିଳା ଉପବନ ପ୍ରକମ୍ପିତ ହେଲା।
କେହି କିଛି ବୁଝିବା ପୂର୍ବରୁ ପ୍ରଳୟକାଳୀନ ରୁଦ୍ରମୂର୍ତ୍ତି ଧରି ପର୍ଶୁରାମ ଉପସ୍ଥିତ ହେଲେ ଏବଂ ରାମଙ୍କର ପଥରୋଧ କରି ସମ୍ମୁଖରେ ଦଣ୍ଡାୟମାନ ହେଲେ। ଦଶରଥ ପର୍ଶୁରାମଙ୍କୁ ଆକସ୍ମିକ ଭାବରେ ଦେଖି ବିମର୍ଷ ହୋଇ ପଡ଼ିଲେ। ବଶିଷ୍ଠ ଚିନ୍ତା କଲେ, ବହୁ ପୂର୍ବରୁ ପିତୃପୁରୁଷମାନଙ୍କ ଅନୁରୋଧରେ ପର୍ଶୁରାମ କ୍ଷତ୍ରିୟସଂହାର ପ୍ରତିଜ୍ଞାରୁ ବିମୁକ୍ତ ହୋଇ ତପସ୍ବୀ ଜୀବନ ଅତିବାହିତ କରୁଥିଲେ। ଏବେ ପୁଣି କେଉଁ ଉଦ୍ଦେଶ୍ୟରେ ତାଙ୍କର ଏହି କରାଳ ମୂର୍ତ୍ତି! ତଥାପି ବଶିଷ୍ଠ ଆଦି ମୁନିଋଷିମାନେ ପର୍ଶୁରାମଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ସନ୍ତୁଷ୍ଟ କରିବାକୁ ଚେଷ୍ଟା କଲେ। କିନ୍ତୁ ପର୍ଶୁରାମ ସେଥିପ୍ରତି ଦୃକ୍ପାତ ନ କରି ଶ୍ରୀରାମଙ୍କୁ ଲକ୍ଷ୍ୟକରି କହିଲେ–ମୁଁ ଶୁଣିଲି ତୁମର ପରାକ୍ରମ ଅଦ୍ଭୁତ। ତୁମ ଦ୍ବାରା ଶିବଧନୁ ଦୁଇଖଣ୍ଡ ହୋଇ ଭାଙ୍ଗି ଯାଇଛି। ତୁମ ଦ୍ବାରା ଅଚିନ୍ତ୍ୟ ଶିବଧନୁ ଭାଙ୍ଗିବା ଶୁଣି ମୁଁ ଅନ୍ୟ ଏକ ଧନୁ ଧରି ଆସିଛି, ଯାହା ଶିବଧନୁଠାରୁ ଆହୁରି ମହତ୍ତ୍ବପୂର୍ଣ୍ଣ। ଏହି ଧନୁ ଭଗବାନ ବିଷ୍ଣୁଙ୍କର ସାରଙ୍ଗ ଧନୁ। ଏହାକୁ ସୁରକ୍ଷିତ ରଖିବା ପାଇଁ ସ୍ବୟଂ ବିଷ୍ଣୁ ମୋର ପିତାମହଙ୍କୁ ଏହା ଦେଇଥିଲେ। ବର୍ତ୍ତମାନ ଏହି ଧନୁ ମୋ ପାଖରେ ଅଛି। ତୁମେ ଯଦି ଏହି ଦିବ୍ୟଧନୁରେ ଶରସନ୍ଧାନ କରିପାରିବ ମୁଁ ତୁମକୁ ଦ୍ବନ୍ଦ୍ବ ଯୁଦ୍ଧପାଇଁ ଅବସର ଦେବି।
ପର୍ଶୁରାମ ବାରମ୍ବାର ଏପରି କହିବାରୁ, ରାମ ତାଙ୍କଠାରୁ ବୈଷ୍ଣବଧନୁ ନେଇଗଲେ। ସେ ସେହି ଧନୁ ଧାରଣ କରୁ କରୁ ପର୍ଶୁରାମଙ୍କର ସମସ୍ତ ତେଜ ଅପସୃତ ହୋଇଗଲା। ଏହା ଅନୁଭବ କଲା ପରେ ପର୍ଶୁରାମ ଅନୁଭବ କଲେ, ରାମ ଆଉ କେହି ନୁହନ୍ତି, ସେ ସ୍ବୟଂ ନାରାୟଣ। ବୈଷ୍ଣବଧନୁକୁ ଶ୍ରୀରାମଙ୍କୁ ଅର୍ପଣ କରି ସେ ମହେନ୍ଦ୍ର ପର୍ବତକୁ ତପସ୍ୟା କରିବାକୁ ଚାଲିଗଲେ। ବୈଷ୍ଣବଧନୁ ଧାରଣ ପରେ ଶ୍ରୀରାମ େହଲେ କୋଦଣ୍ଡଧାରୀ। ମହର୍ଷି ପର୍ଶୁରାମଙ୍କଠାରୁ କଳା ଗ୍ରହଣ କରିବା ପରେ ଶ୍ରୀରାମ ପରିପୂର୍ଣ୍ଣ ହୋଇଗଲେ। ମିଥିଳାରୁ ଅଯୋଧ୍ୟା, ପୁନଶ୍ଚ ଅଯୋଧ୍ୟାରୁ ଦଣ୍ଡକାରଣ୍ୟ। ଦଣ୍ଡକାରଣ୍ୟରୁ ସ୍ବର୍ଣ୍ଣ ଲଙ୍କା ଏବଂ ରାବଣ ବଧ। କାନ୍ଧରୁ ବୈଷ୍ଣବଧନୁ ଓହ୍ଲାଇଦେଲେ ଶ୍ରୀରାମ। ବସି ପଡ଼ିଲେ ଅନନ୍ତ ସମୁଦ୍ରର ବାଲିବନ୍ତ ଉପରେ। ମନେ ମନେ ସାଗରରାଜ ବରୁଣଙ୍କୁ ସ୍ମରଣ କଲେ। ବରୁଣ ଉପସ୍ଥିତ ହେବାରୁ ଶ୍ରୀରାମ ତାଙ୍କୁ ସେହି ବୈଷ୍ଣବଧନୁ ଓ ଅକ୍ଷୟ ତୂଣୀର ସମର୍ପଣ କରି ସ୍ବସ୍ତିରେ ନିଶ୍ବାସ ମାରିଲେ। ବିଶ୍ବାମିତ୍ରଙ୍କ ସହିତ ବନଗମନରେ ତାଙ୍କର ଯେଉଁ ଯାତ୍ରାର ପ୍ରାରମ୍ଭ ହୋଇଥିଲା, ତାହାର ପୂର୍ଣ୍ଣଚ୍ଛେଦ ପଡ଼ିଲା। ଏବେ ତାଙ୍କର ଏକମାତ୍ର ଲକ୍ଷ୍ୟ- ଭ୍ରାତା ଭରତଙ୍କ ନିବିଡ଼ ଆଲିଙ୍ଗନ।
- ଡକ୍ଟର ତୁଳସୀ ଓଝା।
Follow Us