ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୁଣା ଭୁବନେଶ୍ବର : ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା କରିଛନ୍ତି। କଡ଼ା ସୁରକ୍ଷାବଳୟ ମଧ୍ୟରେ ରାଷ୍ଟ୍ରପତି ସକାଳ ୯ଟା ୧୭ ମିନିଟ୍‌ରେ ଦେବୀପାଦହରା ପୁଷ୍କରିଣୀ ନିକଟରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ, ଖୋର୍ଦ୍ଧା ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଏମ୍‌ସି କମିସନର୍‌ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ତାଙ୍କୁ ସ୍ବାଗତ କରିବା ସହ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧନା କରିଥିଲେ। ପରେ ରାଷ୍ଟ୍ରପତି ସେଠାରୁ ଖାଲି ପାଦରେ ଚାଲିଚାଲି ବିନ୍ଦୁସାଗର ପର୍ଯ୍ୟନ୍ତ ଯାଇଥିଲେ। ବିନ୍ଦୁସାଗରରେ ଜଳ ଛିଞ୍ଚି ହେବା ପରେ ରାଷ୍ଟ୍ରପତି ଚାଲି ଚାଲି ଲିଙ୍ଗରାଜ ମନ୍ଦିର ନିକଟରେ ପହଞ୍ଚିଥିଲେ। ବଡୁ ନିଯୋଗ, ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗର ସମ୍ପାଦକମାନେ ରାଷ୍ଟ୍ରପତିଙ୍କୁ ସିଂହଦ୍ବାର ନିକଟରୁ ପାଛୋଟି ନେଇଥିଲେ।

publive-image
ମନ୍ଦିର ଭିତରେ ପ୍ରଥମେ ସେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଗର୍ଭଗୃହ ଭିତରକୁ ପ୍ରବେଶ କରିଥିଲେ। ସେଠାରେ ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ ମହାପ୍ରଭୁଙ୍କୁ ଜଳାଭିଷେକ ଓ କ୍ଷୀର ଅଭିଷେକ କରାଇଥିଲେ। ରାଷ୍ଟ୍ରପତି ବିଭିନ୍ନ ପ୍ରକାର ପୁଷ୍ପ, ବେଲପତ୍ର ଅର୍ପଣ ପୂର୍ବକ ଧୂପ, ଦୀପ ପ୍ରଜ୍ଜ୍ୱଳନ କରି ପୂଜାର୍ଚ୍ଚନା କରିବା ସହ ପୁଷ୍ପାଞ୍ଜଳି ଦେଇଥିଲେ। ପରେ ରାଷ୍ଟ୍ରପତି ମନ୍ଦିର ବେଢ଼ା ପରିକ୍ରମା କରି ଦେବୀ ମା’ ପାର୍ବତୀ ମନ୍ଦିର ଦର୍ଶନ କରି ସେଠାରେ କିଛି କ୍ଷଣ ବସିଥିଲେ। ପରେ ପରେ ମା’ ଭୁବନେଶ୍ବରୀ, ବେଢ଼ାରେ ଥିବା ଲକ୍ଷ୍ମୀନାରାୟଣ, ବୃଷଭଙ୍କୁ ଦର୍ଶନ କରିଥିଲେ। ସେଠାରୁ ଆସି ଗରୁଡ଼ ସ୍ତମ୍ଭ ନିକଟ‌ରେ ପ୍ରଣିପାତ କରି ଦର୍ଶନ ସାରିଥିଲେ।

publive-image

ଗରୁଡ଼ ସ୍ତମ୍ଭ ନିକଟରେ ମହାପ୍ରଭୁ ମନ୍ଦିର ଟ୍ରଷ୍ଟବୋର୍ଡର ସଦସ୍ୟ, ବିଭିନ୍ନ ନିଯୋଗର କର୍ମକର୍ତ୍ତା ଏବଂ ସେବାୟତ ପ୍ରତିନିଧିଙ୍କ ସହ ଫଟୋ ଉଠାଇଥିଲେ। ଏହି ଅବସରରେ ବଡୁ ସେବାୟତଙ୍କ ତରଫରୁ ପ୍ରଦତ୍ତ ଶ୍ରୀଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର କାର୍ତ୍ତିକ ମାସର ରାଇଦାମୋଦର ବେଶର ଏକ ଫଟୋ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ଗତକାଲି ପରି ଆଜି ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରୋଟୋକଲ୍‌ ଭାଙ୍ଗି ବ୍ୟାରିକେଡ୍ ବାହାରେ ଥିବା ଛୋଟ ପିଲାଙ୍କୁ ଚକଲେଟ୍‌ ଦେବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ।

ଶୃଙ୍ଖଳିତ ଦର୍ଶନ ପାଇଁ ଘଟଣାସ୍ଥଳରେ ପୁଲିସ୍‌ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର ଟ୍ରଷ୍ଟବୋର୍ଡର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe