ମହାପ୍ରଭୁଙ୍କ ମଥାରେ ଚିତା ଲଗାଇବାର ସେବା ପାଇ ଧନ୍ୟ ହୋଇଛୁ: ଜଗନ୍ନାଥ ସେନାପତି (ପୋଦ୍ଦାର ସେବା)

Advertisment
ମହାପ୍ରଭୁଙ୍କ ମଥାରେ ଚିତା ଲଗାଇବାର ସେବା ପାଇ ଧନ୍ୟ ହୋଇଛୁ: ଜଗନ୍ନାଥ ସେନାପତି (ପୋଦ୍ଦାର ସେବା)

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାରଯାତ୍ରାରେ ତେର ପର୍ବ ପାଳନ କରାଯାଇଥାଏ। ସେ ମଧ୍ୟରୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନ୍ୟତମ। ତେବେ ଏହି ପର୍ବର ଶୁଭାରମ୍ଭ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ନୀଳାଦ୍ରି ବିଜେ ନୀତିରେ ସମାପନ ହୋଇଥାଏ। ଏହି ଦିନମାନଙ୍କରେ ଶ୍ରୀଜୀଉମାନଙ୍କର ବିଭିନ୍ନ ନୀତି ବଢ଼ିଥାଏ। ସେଥିମଧ୍ୟରୁ ମହାପ୍ରଭୁଙ୍କ ମଥାରେ ଲାଗିଥିବା ଚିତା ପରିବର୍ତ୍ତନ ମଧ୍ୟ ଗୋଟିଏ ନୀତି ଥାଏ। ଏଥିପାଇଁ ମଧ୍ୟ ପାରମ୍ପରିକ ଭାବରେ ସେବା ଖଞ୍ଜା ଅଛି। ମହାପ୍ରଭୁଙ୍କ ଚିତା ପରିବର୍ତ୍ତନ କରିବାକୁ ପୋଦ୍ଦାର ସେବକଙ୍କୁ ନିୟୋଜିତ କରାଯାଇଛି। ‌

ମହାପ୍ରଭୁ ସ୍ନାନମଣ୍ଡପରୁ ଅଣସର ପିଣ୍ଡିକୁ ପହଣ୍ଡିରେ ପ୍ରତ୍ୟାବର୍ତ୍ତନ କରବାପରେ ସେମାନଙ୍କର ମଥାରେ ଲାଗିଥିବା ସୁନାଚିତାକୁ ଓଲାଗି କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ଥିବା ସମୟରେ ତାଙ୍କ ମଥାରେ ଚିତା ରହିନଥାଏ। ଏପରିକି ନବଯୌବନ ଦର୍ଶନ ସମୟରେ ମଧ୍ୟ ମହାପ୍ରଭୁଙ୍କ ମଥାରେ ସୁବର୍ଣ୍ଣ ଚିତା ଲାଗିନଥାଏ।

ରଥଯାତ୍ରା ଦିନ ମହାପ୍ରଭୁ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ନେଇ ରଥଯାତ୍ରା ପାଇଁ ରଥାରୂଢ଼ ହେବା ପରେ ପୋଦ୍ଦାର ସେବକଙ୍କ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ସମୟରେ ବିଜେ କାହାଳୀ, ଛତାର, ଓଲାର, ବଜୟନ୍ତୀ ଆଦି ନେଇ ଜଗନ୍ନାଥ ମନ୍ଦିର ପୋଲିସ ଯାଇ ପୋଦ୍ଦାର ସେବକଙ୍କ ଘରେ ପହଞ୍ଚିଥାନ୍ତି। ସେଠାରେ ପୂର୍ବରୁ ପ୍ରସ୍ତୁତି କରାଯାଇଥିବା ସୋଲ ଚିତାକୁ ପୋଦ୍ଦାର ସେବକ ନେଇ ରଥ ଉପରେ ଦଇତାପତି ସେବକଙ୍କୁ ଦେଇଥାନ୍ତି। ଦଇତାପତି ସେବକ ଏହି ସୋଲ ଚିତା ନେଇ ମହାପ୍ରଭୁଙ୍କ ମଥାରେ ଲାଗି କରାଇଥାନ୍ତି। ଏହାପରେ ହିଁ ରଥଯାତ୍ରା ଆରମ୍ଭ ହୋଇଥାଏ। ତେବେ ଏହା ପୂର୍ବରୁ ଅଣସର ସମୟରେ ପୋଦ୍ଦାର ସେବକ ଗାରଦରୁ ମହାପ୍ରଭୁଙ୍କ ପୁରୁଣା ସୋଲ ଚିତା ଗାରଦରୁ ଲେଖା କରି ଆଣିଥାନ୍ତି। ଏହାକୁ ନେଇ ସେ ଅବିକଳ ନୂତନ ଚିତା ପ୍ରସ୍ତୁତ କରାଇଥାନ୍ତି। ଏହ ଚିତା ପ୍ରସ୍ତୁତ ପରେ ସେଥିରେ ମୂଲ୍ୟବାନ ପଥର(କଚ୍ଚା ହୀରା) ଲଗାଯାଇଥାଏ। ଚିତା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇଯିବା ପରେ ପୋଦ୍ଦାର ସେବକ ସେହି ଚିତାକୁ ବ୍ରାହ୍ମଣଙ୍କ ଦ୍ବାରା ପୂଜାର୍ଚ୍ଚନା କରାଇବା ପରେ ସାହି ପଡ଼ୋଶୀ ଆସି ସେହି ‌ସୋଲ ଚିତାକୁ ବନ୍ଦାପନା କରିଥାନ୍ତି। ଏହାପରେ ହିଁ ପୋଦ୍ଦାର ସେବକ ‌ସୋଲ ଚିତାକୁ ନେଇ ରଥ ଉପରକୁ ଯାଇଥାନ୍ତି। ଏହା ପୋଦ୍ଦାର ସେବକଙ୍କର ମୁଖ୍ୟ ସେବା ହୋଇଥିବା ବେଳେ ରାହୁରେଖା ଲାଗିଦିନ ସେଗୁଡ଼ିକୁ ସଫା ସୁତରା କରିବା ସହିତ ମରାମତି କାର୍ଯ୍ୟ ମଧ୍ୟ ପୋଦ୍ଦାର ସେବକ କରିଥାନ୍ତି। ଏପରିକି ଶ୍ରୀଜୀଉମାନଙ୍କର ଅଳଙ୍କାର ଆଦି ଯଦି କୌଣସି ସ୍ଥାନରେ ଭାଙ୍ଗିରୁଜି ଯାଇଥାଏ, ତେବେ ସେଗୁଡ଼ିକ ମରାମତି ମଧ୍ୟ ପୋଦ୍ଦାର ସେବକ କରିଥାନ୍ତି। ଏହି ସେବା ପୁରୀରେ ପ୍ରାୟ ୧୨ ଘର କରିଥାନ୍ତି।

ମହାପ୍ରଭୁ ଆମକୁ ଏକ ମୂଲ୍ୟବାନ ସେବା ଯୋଗାଇ ଦେଇଛନ୍ତି। ମହାପ୍ରଭୁଙ୍କ ମଥାକୁ ସୌନ୍ଦର୍ଯ୍ୟମୟ କରାଇବାର ଅଧିକାର ଆମ ପୋଦ୍ଦାର ସେବକଙ୍କୁ ଦେଇଛନ୍ତି। ଏହି ସେବା କରି ଆମେ ନିଜକୁ ଧନ୍ୟ ମନେ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe