ଷ୍ଟକ୍‍ହମ୍‍ ସିଣ୍ଡ୍ରୋମ୍ ପଛର କାହାଣୀ

ଷ୍ଟକ୍‍ହମ୍‍ ସିଣ୍ଡ୍ରୋମ୍ ପଛର କାହାଣୀ

Scary Symptoms

ସ୍ବିଡେନ୍ ରାଜଧାନୀ ଷ୍ଟକ୍‍ହମ୍‍ର ନର୍‍ମାଲ୍‍ମଷ୍ଟର୍ଗ ନିକଟରେ ଥିବା ଏକ ବ୍ୟାଙ୍କରେ ହୋଇଥିବା ଐତିହାସିକ ଲୁଟ୍ ଉଦ୍ୟମ ଓ ବନ୍ଧକ ପରିସ୍ଥିତି ମଣିଷର ଏକ ନୂଆ ଧରଣର ମାନସିକ ଅବସ୍ଥାକୁ ପ୍ରଥମ ଥର ପାଇଁ ଉନ୍ମୋଚନ କରିଥିଲା। ୧୯୭୩ ମସିହା ଅଗଷ୍ଟ ୨୩ ତାରିଖରେ ଜାନ୍-ଏରିକ୍ ଓଲ୍‍ସନ୍ ନାମକ ଅପରାଧୀ ଜେଲରୁ ଖସି ଆସି ସ୍ବିରିଜେସ୍ କ୍ରେଡିଟ୍‍ବ୍ୟାଙ୍କେନ୍ ନାମକ ବ୍ୟାଙ୍କକୁ ପ୍ରବେଶ କରିଥିଲା। ନିଜ ଜ୍ୟାକେଟ୍‍ରେ ଲୁଚାଇ ରଖିଥିବା ବନ୍ଧୁକ ଦ୍ବାରା ଜଣେ କର୍ମଚାରୀଙ୍କୁ ଆହତ କଲା ପରେ ଚାରି ଜଣ କର୍ମଚାରୀଙ୍କୁ ବନ୍ଧକ ରଖି ଓଲ୍‍ସନ୍ ସାତ ଲକ୍ଷ ସ୍ବିଡିସ୍ କ୍ରୋନର୍, ଗୋଟିଏ କାର୍ ଓ ଅପରାଧୀ ବନ୍ଧୁ କ୍ଲାର୍କ ଓଲୋଫ୍‍ସନ୍‍ଙ୍କୁ ତାଙ୍କ ପାଖକୁ ପଠାଇବାକୁ ଦାବି କରିଥିଲା। ପୁଲିସ ବାଧ୍ୟ ହୋଇ ବନ୍ଧୁ ଓଲୋଫ୍‍ସନ୍‍ଙ୍କୁ ଆଣିଲା ଏବଂ ଦାବି ମୁତାବକ ଟଙ୍କା ଓ କାର୍ ଯୋଗାଇ ଦିଆଗଲା। କିନ୍ତୁ ଓଲ୍‍ସନ୍‍ର ଦାବି ଥିଲା ବନ୍ଧକ ଥିବା ଚାରିଜଣଙ୍କୁ ମଧ୍ୟ ତାଙ୍କ ସହ ଯିବା ପାଇଁ ଦିଆଯାଉ। ପୁଲିସ୍ ଏହା ମାନି ନ ଥିଲା।

ଏପରି ପରିସ୍ଥିତିରେ ଦୁଇଜଣ ପୋଖତ ଲୁଟେରାଙ୍କ ସହିତ ଚାରିଜଣ ବନ୍ଧକ ବ୍ୟାଙ୍କ ଭୂତଳରେ ଥିବା ଭାଲ୍‍ଟରେ ଫସି ରହିଥିଲେ। ସେହି ସ୍ଥିତିରେ ଲୁଟେରା ଓ ବନ୍ଧକଙ୍କ ମଧ୍ୟରେ ଏକ ଅଦ୍ଭୁତ ସହାନୁଭୂତି ସୃଷ୍ଟି ହୋଇଥିଲା। ବନ୍ଧକମାନେ ଲୁଟେରାଙ୍କ ପାଖରେ ସୁରକ୍ଷିତ ଅନୁଭବ କଲେ। ଓଲୋଟା ପୁଲିସ ପ୍ରତି ସେମାନଙ୍କ ମନରେ ଭୟ ବଢ଼ିବାରେ ଲାଗିଲା। ଏପରିକି ବନ୍ଧକ ଥିବା କ୍ରିଷ୍ଟିନ୍ ଏନ୍‍ମାର୍କ ନାମ୍ନୀ ମହିଳା ସ୍ବିଡେନ୍ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରି ଲୁଟେରାଙ୍କ ସହିତ ସେମାନଙ୍କୁ ଯିବାକୁ ଦିଆଯାଉ ବୋଲି ଅନୁରୋଧ କରିଥିଲେ। ଶେଷରେ ପୁଲିସ ଭାଲ୍‍ଟ ମଧ୍ୟକୁ ଲୁହବୁହା ଗ୍ୟାସ ପ୍ରବେଶ କରାଇଥିଲା। ଏହା ସତ୍ତ୍ବେ ଲୁଟେରାମାନେ ବନ୍ଧକଙ୍କୁ ଆକ୍ରମଣ ନ କରି ଆତ୍ମସମର୍ପଣ କରିଥିଲେ। ମନୋବିଜ୍ଞାନୀମାନେ ଏହି ଘଟଣାର ଅନୁଧ୍ୟାନ କରି ଅପହରଣକାରୀ ଓ ବନ୍ଧକଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଆବେଗପ୍ରବଣ ସମ୍ପର୍କକୁ ‘ଷ୍ଟକ୍‍ହମ୍ ସିଣ୍ଡ୍ରମ୍’ ଭାବେ ନାମିତ କରିଥିଲେ। ଅପହରଣ, ଘରୋଇ ହିଂସା, ଯୁଦ୍ଧ ବନ୍ଦୀର ଶିକାର ଲୋକମାନେ ଏହି ମନୋବୈଜ୍ଞାନିକ ଅବସ୍ଥା ଭୋଗିଥାନ୍ତି। ତେବେ ଆମେରିକାର ‘ସାଇକିଆଟ୍ରି ଆସୋସିଏସନ୍’ ଏହାକୁ ମାନସିକ ରୋଗ ଭାବେ ଗ୍ରହଣ କରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe