କୁସୁମ ଉପତ୍ୟକାର କାହାଣୀ

ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ ବା ‘କୁସୁମ ଉପତ୍ୟକା’ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବଦ୍ରିନାଥ ନିକଟରେ ଅବସ୍ଥିତ। ଧବଳ ଗିରିଶୃଙ୍ଗବେଷ୍ଟିତ ବନ୍ୟପୁଷ୍ପ ସମ୍ଭାର ନିମନ୍ତେ କୁସୁମ ଉପତ୍ୟକା ବିଶ୍ବ ଐତିହ୍ୟ ସ୍ଥଳୀ ମାନ୍ୟତା ପାଇଛି। ପ୍ରତିବର୍ଷ ଜୁନ୍‌ରୁ...

uk

ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ ବା ‘କୁସୁମ ଉପତ୍ୟକା’ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ବଦ୍ରିନାଥ ନିକଟରେ ଅବସ୍ଥିତ। ଧବଳ ଗିରିଶୃଙ୍ଗବେଷ୍ଟିତ ବନ୍ୟପୁଷ୍ପ ସମ୍ଭାର ନିମନ୍ତେ କୁସୁମ ଉପତ୍ୟକା ବିଶ୍ବ ଐତିହ୍ୟ ସ୍ଥଳୀ ମାନ୍ୟତା ପାଇଛି। ପ୍ରତିବର୍ଷ ଜୁନ୍‌ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ନିମନ୍ତେ ଉନ୍ମୁକ୍ତ ରହୁଥିବା ଏହି ଉପତ୍ୟକା ଅସାଧାରଣ ଔଷଧୀୟ ଗୁଳ୍ମ ନିମନ୍ତେ ପ୍ରସିଦ୍ଧ।
ଜନଶ୍ରୁତି କହେ, ଆହତ ଲକ୍ଷ୍ମଣଙ୍କ ଉପଚାର ଲାଗି ହନୁମାନ ଏହି କୁସୁମ ଉପତ୍ୟକାରୁ ହିଁ ସଞ୍ଜୀବନୀ ନେଇଥିଲେ। ବହୁସଂଖ୍ୟକ ହିମାଳୟ ଜଳପ୍ରପାତ, ନଦୀ ଓ ସବୁଜ ପ୍ରାନ୍ତର ବୁଲି ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମନେ ଏ ସ୍ଥାନଟି ସତରେ ଖୁବ୍‌ ମନୋଜ୍ଞ।

ଆବିଷ୍କାର ଓ ନାମକରଣ: ହିମାଳୟ ପର୍ବତ ଶ୍ରେଣୀ ଜନସ୍‌କର୍‌ ଏବଂ ପଶ୍ଚିମ ଓ ପୂର୍ବ ହିମାଳୟର ମିଳନସ୍ଥାନରେ ଥିବା ଏହି ଉପତ୍ୟକା ଅଗମ୍ୟ ଅଞ୍ଚଳରେ ଥିବାରୁ ଲୋକଲୋଚନକୁ ଆସିପାରି ନ ଥିଲା। ୧୯୩୧ ମସିହାରେ ବ୍ରିଟିସ୍‌ ପର୍ବତାରୋହୀ ଫ୍ରାଙ୍କ୍‌ ଏସ୍‌. ସ୍ମିଥ୍, ଏରିକ୍‌ ସିପ୍‌ଟନ୍‌ ଓ ଅାର୍‌. ଏଲ୍‌. ହୋଲଡ୍‌ସୱର୍ଥ କାମେଟ୍‌ ଶୃଙ୍ଗରୁ ସଫଳ ଅଭିଯାନ ଶେଷକରି ଫେରିବା ବେଳେ ବାଟବଣା ହୋଇ ଏହି ଉପତ୍ୟକା ଆବିଷ୍କାର କରିଥିଲେ। ଫୁଲ ପରିପୂର୍ଣ୍ଣ ଥିବାରୁ ଏ ଉପତ୍ୟକାର ନାଁ ରଖାଗଲା ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ ବା ‘କୁସୁମ ଉପତ୍ୟକା’। ୧୯୮୦ରେ ଭାରତ ସରକାର ଏହାକୁ ଜାତୀୟ ଉଦ୍ୟାନ ଘୋଷଣା କଲେ। ୧୯୮୨ରେ ଏହି ଉଦ୍ୟାନର ନାମ ପରିବର୍ତ୍ତନ କରି ରଖାଗଲା ‘ନନ୍ଦାଦେବୀ ଜାତୀୟ ଉଦ୍ୟାନ’।
ଉଦ୍ଭିଦ ସମ୍ଭାର: ସମୁଦ୍ର ପତ୍ତନଠାରୁ ପ୍ରାୟ ୫୨୦ ଫୁଟ୍‌ ଉଚ୍ଚରେ ଥିବା ଏହି ଉପତ୍ୟକାରେ ଦେଖାଯାଏ ଅନେକ ପ୍ରକାର ବିରଳ ଫୁଲ ଓ ଔଷଧୀୟ ଗଛ। ଅର୍କିଡ୍‌, ଗେଣ୍ଡୁ, ନୀଳ ଅଫିମଫୁଲ, ଡେଜିଫୁଲ, ପ୍ରିମ୍ୟୁଲାଫୁଲ, କୋବ୍ରାଲିଲି, ବ୍ରହ୍ମକମଳ ଆଦି ପ୍ରାୟ ୬୫୦ ପ୍ରକାରର ଫୁଲ ଏଠାରେ ଫୁଟେ।
ପ୍ରାଣୀ ସଂପଦ: ସଂଖ୍ୟା ଅଧିକ ନ ହେଲେ ବି ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ରେ ଥିବା ଜୀବଜନ୍ତୁମାନେ ଦୁର୍ଲଭ ଓ ବିଲୟମୁଖୀ। ସେଠାରେ ଥିବା ଅତି ମାମୁଲି ଜନ୍ତୁ ହେଉଛି ‘ଟାର୍‌’ ବା ବନ୍ୟଛାଗଳ। ଏହାଛଡ଼ା, ଏଠାରେ ସିରାଓ, ଗୋରାଲ୍‌ (ଛାଗଳ-ହରିଣ ପ୍ରଜାତିର ଜନ୍ତୁ), କସ୍ତୁରୀମୃଗ, ଭାରାଲ୍‌ ବା ନୀଳମେଷ କ୍ବଚିତ୍‌ ଦେଖାଯାଆନ୍ତି। ସେହିପରି, ତୁଷାର କଲରାପତ୍ରିଆ, ନାଲିଆକୋକି, ହନୁମାଙ୍କଡ଼, ହିମାଳୟ କଳାଭାଲୁ, ବାଦାମୀଭାଲୁ ଓ ପିକା (ମୂଷିକ-ଠେକୁଆ) ମଧ୍ୟ ‌ଏ ଅଞ୍ଚଳରେ ବାସକରନ୍ତି। ପକ୍ଷୀମାନଙ୍କ ମଧ୍ୟରେ ଅଛନ୍ତି ହିମାଳୟ ସୁବର୍ଣ୍ଣ ଇଗଲ୍‌, ଗ୍ରିଫନ୍‌ ଶାଗୁଣା, ତୁଷାର ତିତିର, ହିମାଳୟ ତୁ‌ଷାର ଗଞ୍ଜା, ହିମାଳୟ ମୋନାଲ୍‌, ତୁଷାର ପାରା ଓ ସ୍ପାରୋ ହକ୍‌ ଇତ୍ୟାଦି। ଏହା ବ୍ୟତିରେକେ ଏଠାରେ ଆଉ କେତେକ ସାଧାରଣ ପଶୁପକ୍ଷୀ, ପ୍ରଜାପତି ଓ ସରୀସୃପ ମଧ୍ୟ ଅଛନ୍ତି।

କେମିତି ଯିବେ, କେଉଁଠି ରହିବେ
‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ ମୋଟର ଯାନ ଯିବାଭଳି ସଡ଼କ ପଥ ଦ୍ବାରା ସଂଯୁକ୍ତ ନୁହେଁ। ସେ ସ୍ଥାନକୁ ସଂଯୋଗ କରୁଥିବା ନିକଟତମ ସ୍ଥାନ ହେଉଛି ଯୋଶୀମଠ ନିକଟସ୍ଥ ଗୋବିନ୍ଦଘାଟ। ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ଠାରୁ ଏହି ୧୭ କିଲୋମିଟର୍‌ ଦୂରତ୍ବ କେବଳ ଦିନବେଳା ଟ୍ରେକିଙ୍ଗ୍‌ କରି ଯିବାକୁ ପଡ଼େ। ଉପତ୍ୟକାଠାରୁ ପ୍ରାୟ ୩ କିଲୋମିଟର୍‌ ଦୂରରେ ପଡ଼େ ଗଙ୍ଗାରିଆ। ଉପତ୍ୟକା ମଧ୍ୟକୁ ପ୍ରବେଶ କରିବା ଲାଗି ସେଠାରୁ ଅନୁମତି ଆଣିବାକୁ ହୁଏ। ଯୋଶୀମଠରେ ପହଞ୍ଚିବାକୁ ଉତ୍ତରାଖଣ୍ଡର ସମସ୍ତ ସ୍ଥାନ ଏବଂ ନୂଆଦିଲ୍ଲୀରୁ ସବୁ ପ୍ରକାର ଯୋଗାଯୋଗ ବ୍ୟବସ୍ଥା ରହିଛି। ବିମାନରେ ଡେରାଡୁନ୍‌ର ଜଲି ଗ୍ରାଣ୍ଟ୍‌ ବିମାନବନ୍ଦରରେ ପହଞ୍ଚି ସେଠାରୁ କ୍ୟାବ୍‌ ଯୋଗେ ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’କୁ ଯାଇହେବ।
ବସ୍‌ ଓ ଅନ୍ୟାନ୍ୟ ମୋଟର ଯାନରେ ମଧ୍ୟ ଗୋବିନ୍ଦଘାଟରେ ପହଞ୍ଚିହେବ। ଋଷିକେଶରୁ ମଧ୍ୟ ଟ୍ରେନ୍‌ ଯୋଗେ ସେଠାକୁ ଯାଇହେବ। କିନ୍ତୁ, କୌଣସି ସ୍ଥାନରୁ ସିଧାସଳଖ ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’କୁ ଯୋଗାଯୋଗ ବ୍ୟବସ୍ଥା ନାହିଁ। ତେଣୁ, ଚାଲି ଚାଲି ଯିବା ଛଡ଼ା ବିକଳ୍ପ ନାହିଁ। ପର୍ଯ୍ୟଟକମାନଙ୍କ ରହଣି ନିମନ୍ତେ ‘ଭ୍ୟାଲି ଅଫ୍‌ ଫ୍ଲାୱାର୍ସ’ ଅଞ୍ଚଳରେ ପ୍ରାୟ ୫୦ଟି ହୋଟେଲ୍‌ ରହିଛି। ସେମାନେ ନିଜ ନିଜ ବଜେଟ୍‌କୁ ସୁହାଇବା ଭଳି ହୋଟେଲ୍‌ ବୁକ୍‌ କରି ରହିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe