ପ୍ରଦୀପ କୁମାର ରାୟ
ତାହା ଥିଲା ପ୍ରଥମ ବିଶ୍ବଯୁଦ୍ଧର ସମୟ। ବିଦେଶରେ ଭାରତୀୟ ବିପ୍ଳବୀମାନଙ୍କର କାର୍ଯ୍ୟକଳାପ କ୍ରମଶଃ ତୀବ୍ରତର ହୋଇ ଉଠୁଥିଲା। ଆମେରିକା ୧୯୧୭ ମସିହା ପୂର୍ବ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ନିରପେକ୍ଷ ରହିଥିବା ହେତୁ ଭାରତୀୟ ବିପ୍ଳବୀମାନେ ବିନା ବାଧାରେ ମାର୍କିନ୍ ମୁଲକରେ ସେମାନଙ୍କର ପ୍ରଚାର କାର୍ଯ୍ୟ ଚଳାଇ ପାରୁଥିଲେ। ତାରକ ଦାସ, ଶୈଳେନ ଘୋଷ ପ୍ରମୁଖ ବିପ୍ଳବୀମାନଙ୍କ ସହିତ ଯୋଗ ଦିଅନ୍ତି ମାର୍କିନ୍ ମହିଳା ଆଗ୍ନେସ୍ ସ୍ମେଡ୍ଲି। ତାଙ୍କର ଅପୂର୍ବ ଭାରତପ୍ରେମ, ସାହସ, ଧୈର୍ଯ୍ୟ ଓ ଆତ୍ମତ୍ୟାଗ ଦେଖି ଭାରତୀୟ ବିପ୍ଳବୀମାନେ ମୁଗ୍ଧ ହୁଅନ୍ତି। ଅଳ୍ପଦିନ ଭିତରେ ଆଗ୍ନେସ୍ ସେମାନଙ୍କ ଭିତରେ ଜଣେ ସଂଗ୍ରମୀ ହୋଇଉଠନ୍ତି। ୧୯୧୭ ମସିହାରେ ଆମେରିକା ଜର୍ମାନ ବିରୋଧରେ ଯୁଦ୍ଧକୁ ଓହ୍ଲାଇବା ପରେ ଭାରତୀୟ ବିପ୍ଳବୀମାନଙ୍କ ଅବସ୍ଥା ସେଠାରେ ସଙ୍କଟାପନ୍ନ ହୋଇପଡ଼େ। ଇଂରେଜ ପୁଲିସର ଅତ୍ୟାଚାର ସ୍ବାଭାବିକ ଭାବେ ବଢ଼ିଯାଏ। ମାନବେନ୍ଦ୍ର ରାୟ, ହିରନ୍ୟ ଗୁପ୍ତ ପ୍ରମୁଖ ଅନେକେ ମେକ୍ସିକୋ ଚାଲିଯାଆନ୍ତି। ଶୈଳେନ ଘୋଷ ସେମାନଙ୍କ ସହିତ ଯାଇଥିଲେ ବି ପୁନର୍ବାର ଗୋପନରେ ଆମେରିକା ଫେରିଆସନ୍ତି ଏବଂ ଆମେରିକାରେ ତାରକ ଦାସ ଓ ଆଗ୍ନେସ୍ଙ୍କ ସହ ସେ ମଧ୍ୟ ବ୍ରିଟିସ୍ ସରକାର ବିରୋଧରେ ଗୋଟିଏ ଷଡ୍ଯନ୍ତ୍ର ମାମଲାରେ ଗିରଫ ହୁଅନ୍ତି। ୩ ଜଣଙ୍କୁ ୪ ବର୍ଷ କାରାବାସ ହୁଏ। ତେବେ ୨ବର୍ଷ ପରେ ୧୯୧୯ ମସିହାରେ ସେମାନେ କାରାଗାରରୁ ମୁକ୍ତ ହୁଅନ୍ତି। ଭାରତର ସ୍ବାଧୀନତା ବିପ୍ଳବର ଇତିହାସରେ କୌଣସି ବିଦେଶିନୀ ବିପ୍ଳବିନୀଙ୍କର ସମ୍ଭବତଃ ତାହା ଥିଲା ପ୍ରଥମ କାରାଦଣ୍ଡ ଭୋଗ।
ସ୍ମେଡ୍ଲି ଥିଲେ ଜଣେ ସାମ୍ବାଦିକ। ରାମାନନ୍ଦ ଚଟ୍ଟୋପାଧ୍ୟାୟ ମହାଶୟଙ୍କ ‘ମଡର୍ଣ୍ଣ ରିଭ୍ୟୁ’ ପତ୍ରିକାକୁ ସେ ଲେଖା ପଠାଉଥିଲେ ଏବଂ ତାହାକୁ ପ୍ରକାଶ କରୁଥିଲେ ସଂପାଦକ ରାମାନନ୍ଦ ଚଟ୍ଟୋପାଧ୍ୟାୟ। ତେବେ ବଞ୍ଚିରହିବା ପାଇଁ ସ୍ମେଡ୍ଲି ଷ୍ଟେନୋ କାମ କରୁଥିଲେ। ଜନ୍ମଭୂମିଠାରୁ ଦୂରରେ ରହୁଥିବା ଭାରତୀୟ ସଂଗ୍ରାମୀମାନଙ୍କ ପାଇଁ ଅନ୍ନ ଯୋଗାଡ଼ କରିବା ମଧ୍ୟ ଥିଲା କଷ୍ଟକର। ଅତିରିକ୍ତ ସମୟ ଖଟି ଅର୍ଥ ଉପାର୍ଜନ କରି ସେହି ବିପ୍ଳବୀମାନଙ୍କ ଖର୍ଚ୍ଚ ତୁଲାଉଥିଲେ। ୧୯୧୯ ମସିହାରେ କାରାମୁକ୍ତ ହେବାପରେ ତାରକ ଦାସ, ସ୍ମେଡ୍ଲି, ଶୈଳେନ ଘୋଷ ପ୍ରମୁଖଙ୍କ ଉଦ୍ୟମରେ ଆମେରିକାରେ ‘ଫ୍ରେଣ୍ଡସ୍ ଅଫ୍ ଇଣ୍ଡିଆ’ ନାମରେ ଏକ ସଂସ୍ଥା ସ୍ଥାପନ କରାଯାଇଥିଲା। ସେମାନେ ସେହି ସଂସ୍ଥାରୁ ଗୋଟିଏ ସାପ୍ତାହିକ ମୁଖପତ୍ର ମଧ୍ୟ ପ୍ରକାଶ କଲେ। ସେତେବେଳେ ଡି. ଭ୍ୟାଲେରା ପ୍ରମୁଖ ଆଇରିସ୍ ବିପ୍ଳବୀମାନେ ଆମେରିକାରେ ପ୍ରବାସୀ ଥିଲେ। ଭାରତୀୟ ବିପ୍ଳବୀମାନଙ୍କ ପ୍ରଚେଷ୍ଟାକୁ ସେମାନେ ସହାନୁଭୂତି ଜଣାଇଥିଲେ। ଯାହା ସେମାନଙ୍କର ମୁଖପତ୍ର ‘ଗେଲିକ୍ ଆମେରିକାନ୍’ରେ ଲିପିବଦ୍ଧ ହୋଇରହିଛି।
୧୯୨୦ ମସିହାରେ ସ୍ମେଡ୍ଲି ବର୍ଲିନ୍କୁ ଚାଲିଆସନ୍ତି। ଡକ୍ଟର ଭୁପେନ ଦତ୍ତଙ୍କ ସହିତ ‘ବର୍ତ୍ତମାନ ଭାରତର ସ୍ବାଧୀନତା ଆନ୍ଦୋଳନରେ ସହାୟକ ହେବା ପାଇଁ ଜର୍ମାନୀର କ୍ଷମତା ନାହିଁ। ଅଥଚ ଭାରତର ସ୍ବାଧୀନତା ଆପାତଦୃଷ୍ଟିରେ ସୁଦୂର ହେଲେ ମଧ୍ୟ ବିପ୍ଳବୀମାନଙ୍କୁ ବିପ୍ଳବ ଚଳାଇ ରଖିବାକୁ ହେବ। କିନ୍ତୁ କେଉଁ ରାଷ୍ଟ୍ର ସହଯୋଗ କରିବ’ ପ୍ରସଙ୍ଗରେ ତାଙ୍କର ଆଲୋଚନା ହୁଏ। ମାନବେନ୍ଦ୍ର ପ୍ରମୁଖ ଋଷର ଆହ୍ବାନରେ ବ୍ୟାକୁଳ ହୋଇଉଠନ୍ତି। ସେ ଚାହାନ୍ତି ଭାରତ କମ୍ୟୁନିଷ୍ଟ ମତବାଦ ଗ୍ରହଣ କରି ବିଶ୍ବ ମଜଦୂର ବିପ୍ଳବରେ ସାମିଲ ହେଉ। ତାଙ୍କର ଯୁକ୍ତି, ବିଶ୍ବର ଜନଗଣଙ୍କର ମୁକ୍ତି ସହିତ ସେମାନଙ୍କ ସହଯାତ୍ରୀ ଭାରତୀୟ ଜନଗଣ ମଧ୍ୟ ମୁକ୍ତିପାଇବେ। କିନ୍ତୁ ସ୍ମେଡ୍ଲିଙ୍କ ବିଚାର ଭିନ୍ନ ଥିଲା। ତାଙ୍କ ମତଥିଲା, ପ୍ରଥମେ ଭାରତୀୟ ଜାତୀୟ ସ୍ବାଧୀନତା ହାସଲ ପାଇଁ ଯୁଦ୍ଧ ହେବ। ସ୍ବୋପାର୍ଜିତ ରାଷ୍ଟ୍ରୀୟ ସ୍ବାଧୀନତା ବ୍ୟତୀତ ଅନ୍ୟର ସଂଗ୍ରାମର ଲାଙ୍ଗୁଡ଼ ଧରି ଆଗେଇବାରେ ନିଜର ଅଧିକାର ସାବ୍ୟସ୍ତ କରାଯାଇ ପାରିବନାହିଁ। ତା’ପରେ ସ୍ବାଧୀନ ଭାରତରେ ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ଲାଗି ଦ୍ବିତୀୟ ବିପ୍ଳବ ପାଇଁ ପସ୍ତୁତ କରିବାକୁ ହେବ।
ସ୍ମେଡ୍ଲିଙ୍କ ଚିନ୍ତାଧାରା ସହିତ ମହାନ ବିପ୍ଳବୀ ବୀରେନ ଚଟ୍ଟୋପାଧ୍ୟାୟ, ଭୁପେନ ଦତ୍ତଙ୍କ ଚିନ୍ତାଧାରା ମିଶିଲା। ୧୯୨୧ ମସିହାରେ ବୀରେନ ଓ ସ୍ମେଡ୍ଲି ମସ୍କୋ ଚାଲିଗଲେ। ସେଠାରେ ଭାରତୀୟ ବିପ୍ଳବୀଙ୍କର ଗୋଟେ ଭାଗ ସ୍ମେଡ୍ଲିଙ୍କ ‘ପ୍ରଥମେ ଭାରତୀୟ ଜାତୀୟ ସ୍ବାଧୀନତାବାଦ’କୁ ଗ୍ରହଣ କଲେ ଏବଂ ଆଉ ଏକ ଭାଗ ମାନବେନ୍ଦ୍ର ପ୍ରମୁଖଙ୍କ ‘ବିଶ୍ବ ବିପ୍ଳବ’ ସହିତ ସାମିଲ ହେଲେ। ସ୍ମେଡ୍ଲି ଶେଷ ପର୍ଯ୍ୟନ୍ତ ବୀରେନ ଚଟ୍ଟୋପାଧ୍ୟାୟ ଓ ଡକ୍ଟର ଭୁପେନ୍ଦ୍ର ଦତ୍ତଙ୍କ ସହ ଭାରତର ସ୍ବାଧୀନତା ପାଇଁ ବିପ୍ଳବ କରି ଚାଲିଥିଲେ। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ସ୍ମେଡ୍ଲିଙ୍କର ଅବଦାନ ସମ୍ପର୍କରେ ଆମେ ସମ୍ପୂର୍ଣ୍ଣ ଅଜ୍ଞ। ଅଥଚ ଭାରତବାସୀ ଓ ସେମାନଙ୍କର ଦୈନନ୍ଦିନ ସମସ୍ୟା ସମ୍ପର୍କରେ ସଦାସର୍ବଦା ଚିନ୍ତିତ ଥିଲେ ସେ। ସେହି ଚିନ୍ତାରେ ସେ ବିତାଇ ଦେଇଛନ୍ତି ତାଙ୍କର ପ୍ରତିଟି କର୍ମମୟ ଦିନ ଓ ନିଦ୍ରାହୀନ ରାତି। ସେ ଯଥାର୍ଥରେ ଥିଲେ ଜଣେ ବିଶ୍ବବାସିନୀ ଓ ଖାଣ୍ଟି ଭାରତବାସିନୀ।
Follow Us