ଏଆଇ ବ୍ୟବହାର ଅପରିହାର୍ଯ୍ୟ

ଆଜିର ଯୁଗରେ କୃ୍ତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ଉଦ୍ୟୋଗଜଗତ ଯଦି ଏଭଳି ନୂଆ ପ୍ରଯୁକ୍ତିକୁ ବ୍ୟବହାର ନକରିବ ତା’ହେଲେ ତିଷ୍ଠି ରହିବା ସମ୍ଭବ ହେବନାହିଁ। କର୍ମଚାରୀ ଓ କମ୍ପାନିଙ୍କ ପ୍ରଦର୍ଶନକୁ ବଢ଼ାଇବାରେ ଏଆଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

dgdgdcvcv

ଭୁବନେଶ୍ବର: ଆଜିର ଯୁଗରେ କୃ୍ତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ଉଦ୍ୟୋଗଜଗତ ଯଦି ଏଭଳି ନୂଆ ପ୍ରଯୁକ୍ତିକୁ ବ୍ୟବହାର ନକରିବ ତା’ହେଲେ ତିଷ୍ଠି ରହିବା ସମ୍ଭବ ହେବନାହିଁ। କର୍ମଚାରୀ ଓ କମ୍ପାନିଙ୍କ ପ୍ରଦର୍ଶନକୁ ବଢ଼ାଇବାରେ ଏଆଇ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏପରିକି ଅଙ୍ଗାରକ ମାତ୍ରା ହ୍ରାସ କରି ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ସହାୟକ ହେଉଛି। ସେହିଭଳି କୌଣସି ପ୍ରଯୁକ୍ତି ଦ୍ବାରା ନିଯୁକ୍ତି ହ୍ରାସ ପାଇନାହିଁ। ସାମୟିକ ଭାବେ କିଛି ଅସ୍ଥିରତା ହୁଏତ ଦେଖାଦେଇ ପାରେ। କିନ୍ତୁ ଦୀର୍ଘମିଆଦୀ ଦୃଷ୍ଟିରୁ ଦେଖିଲେ ସମଗ୍ର ସମାଜ ପାଇଁ ଏହା ଲାଭଦାୟକ ହୋଇଥାଏ। ଏଆଇ କ୍ଷେତ୍ରରେ ମଧ୍ୟ ସେୟା ହେବ ବୋଲି ସମ୍ବାଦ ପକ୍ଷରୁ ଆଜି ଅନୁଷ୍ଠିତ ସିଇଓ କନକ୍ଲେଭର ଚତୁର୍ଥ ସଂସ୍କରଣରେ ଏଆଇ ଇନ୍‌ ଦ ବୋର୍ଡରୁମ୍‌: ସିଇଓଜ୍‌ ଅନ୍‌ ରିପ୍ଲେସିଂ ଜବ୍‌ସ ଭର୍ସେସ ଅଗମେଣ୍ଟିଂ ହ୍ୟୁମାନ ପୋଟେନସିଆଲ୍‌’ ଶୀର୍ଷକ ବିଷୟ ଉପରେ ଆୟୋଜିତ ପ୍ୟାନେଲ୍‌ ଆଲୋଚନାରେ ଭାଗ ନେଇ ବିଶିଷ୍ଟ ବକ୍ତାମାନେ ଏଭଳି ମତ ରଖିଛନ୍ତି।

ଉତ୍ପାଦନ ଖର୍ଚ୍ଚ କମୁଛି, କର୍ମଚାରୀଙ୍କ ଦକ୍ଷତା ବଢ଼ୁଛି: ସୁରେଶା
ନୂଆ ପ୍ରଯୁକ୍ତି ସମାଜ ପାଇଁ ହିତକାରୀ ହୋଇଥାଏ: ସର୍ବେଶ
ଭବିଷ୍ୟତରେ ହାଇବ୍ରିଡ ମଡେଲ୍‌ ସହାୟକ ହେବ: ନୀତିନ

ଆର୍ସେଲର୍‌ ମିତ୍ତଲ୍‌ ନିପନ୍‌ ଷ୍ଟିଲ୍ ଇଣ୍ଡିଆ, ଓଡ଼ିଶା ଆସେଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା ଜି ଭାଗନେଇ କହିଥିଲେ ଏଆଇ ଓ ଅନ୍ୟାନ୍ୟ ପ୍ରଯୁକ୍ତି ଦ୍ବାରା ଅନେକ ଲାଭ ମିଳୁଛି। ଲୋକମାନେ ଏହାର ଉପକାର ଅନୁଭବ କରିବା ସହିତ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି। ସମୟ ଆସିବ ଯେତେବେଳେ ମଣିଷ ଆବେଗର ମଧ୍ୟ ପ୍ରୋଗ୍ରାମିଂ କରାଯାଇ ପାରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ। ଟାଟା ଷ୍ଟିଲ୍‌ର କର୍ପୋରେଟ୍‌‌ କମ୍ୟୁନିକେସନ୍‌ ମୁଖ୍ୟ ସର୍ବେଶ କୁମାର ଯୋଗ ଦେଇ କହିଥିଲେ କୌଣସି ପ୍ରଯୁକ୍ତି ଚାକିରି ନିଏ ନାହିଁ। ବରଂ ନୂଆ ଚାକିରି ସୃଷ୍ଟି କରିଥାଏ। ସାମୟିକ ଅସ୍ଥିରତା ଦେଖାଦେଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସମାଜ ନୂଆ ପ୍ରଯୁକ୍ତି ଦ୍ବାରା ଉପକୃତ ହୋଇଥାଏ। ମାନବସମ୍ବଳକୁ ଅଧିକ ଉତ୍ପାଦନକ୍ଷମ କରିବା ଲାଗି ଏଆଇକୁ ଏକ ଉପକରଣ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଶ୍ରୀ କୁମାର ମତ ଦେଇଥିଲେ। ନିପନ୍‌ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‌ର ଡେପୁଟି ଜୋନାଲ ହେଡ୍‌-ପୂର୍ବାଞ୍ଚଳ ନୀତିନ ଗୋୟଲ ଯୋଗଦେଇ କହିଥିଲେ ସଂପତ୍ତି ଓ ଅର୍ଥ ପରିଚାଳନା କରୁଥିବା ମ୍ୟୁଚୁଆଲ ଫଣ୍ଡ୍‌ ଭଳି ଶିଳ୍ପରେ ଏଆଇ ସହାୟକ ହୋଇପାରେ। କିନ୍ତୁ ଶେଷରେ ମନୁଷ୍ୟର ଚିନ୍ତା, ଜ୍ଞାନ, ଆବେଗ ଆଦି ପ୍ରୟୋଗର ଆବଶ୍ୟକତା ରହିଥାଏ। ତେଣୁ ଭବିଷ୍ୟତରେ ଏଆଇ ଏବଂ ମଣିଷ ମିଳିମିଶି କାମ କରିବା ଭଳି ହାଇବ୍ରିଡ୍‌ ମଡେଲ୍‌ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅଧିବେଶନକୁ କନକ ନ୍ୟୁଜ୍‌ର ନ୍ୟୁଜ୍‌ ପ୍ରଡ୍ୟୁସର ସ୍ବସ୍ତିକା ପଣ୍ଡା ପରିଚାଳନା କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe