ବିଶ୍ବର ପ୍ରଥମ ୩ଡି ଇ-ସ୍କିନ୍

Advertisment
ବିଶ୍ବର ପ୍ରଥମ ୩ଡି ଇ-ସ୍କିନ୍

ଚୀନର ସିଂଘୁଆ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ବିଶ୍ବର ପ୍ରଥମ ଇଲେକ୍ଟ୍ରୋନିକ୍ ଚର୍ମ ବା ଇ-ସ୍କିନ୍ ବିକଶିତ କରିପାରିଛନ୍ତି। ଏହା ବ୍ୟାଣ୍ଡ୍-ଏଡ୍ ପଟି ପରି ସିଧାସଳଖ ଚର୍ମ ଉପରେ ଚିପକା ଯାଇ ପାରିବ। ଅବିକଳ ମନୁଷ୍ୟ ଚର୍ମର ସମ୍ବେଦନଶୀଳତା ପ୍ରଦାନ କରୁଥିବା ଏହି ଇ-ସ୍କିନ୍ ବିଶେଷ କରି ଜୈବ-ଭେଷଜ ବିଶ୍ଳେଷଣ ପାଇଁ ଆବଶ୍ୟକ ପଡୁଥିବା ରକ୍ତରେ ଅମ୍ଳଜାନ ସ୍ତର କି ହୃଦ୍‌ସ୍ପନ୍ଦନ ପରି ରିଅଲ-ଟାଇମ୍ ସ୍ବାସ୍ଥ୍ୟଗତ ତଥ୍ୟ ନିରୀକ୍ଷଣ କରିବା ପାଇଁ ଉପଯୁକ୍ତ ବୋଲି କୁହାଯାଇଛି। ଭବିଷ୍ୟତରେ ଏହାକୁ ମେଡିକାଲ ରୋବଟର ଟିପ ଅଗରେ ଲଗାଇ କୌଣସି ଚିକିତ୍ସା ଓ ବିଶ୍ଳେଷଣର ଆଗୁଆ ପୂର୍ବାନୁମାନ କରିହେବ ବୋଲି ଦାବି କରାଯାଇଛି। ଏଥିରେ ସାନ୍ଦ୍ର ଭାବରେ ରହିଥିବା କୌଶଳଶୀଳ ଗ୍ରାହକ କୋଷଗୁଡ଼ିକର ତିନି ପରିସର(ଥ୍ରି ଡିମେନ୍ସନାଲ) ବିଶିଷ୍ଟ ସ୍ଥାନ ବଣ୍ଟନ ରହିଛି, ଯାହା ବାହ୍ୟ ସମ୍ବେଦନକୁ ଠିକ୍‌ରେ ଅନୁଭବ କରିପାରିବ।

ଏହାର ବିଶେଷତ୍ବ ହେଉଛି ଏହା ଏକା ସମୟରେ ଚାପ, ଘର୍ଷଣ ଓ ଷ୍ଟ୍ରେନ୍ ସଂକେତର ଡିକୋଡିଂ କରିପାରୁଛି। ପୂର୍ବରୁ ଅବଶ୍ୟ ଷ୍ଟାଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ଗତବର୍ଷ ଏକପ୍ରକାର ଇ-ସ୍କିନ୍ ବିକଶିତ କରିଥିଲେ ଯାହା ସିଧାସଳଖ ମସ୍ତିଷ୍କ ସହ ଯୋଗାଯୋଗ କରି ଚର୍ମର ବାସ୍ତବ ପ୍ରତିକ୍ରିୟାକୁ ଅନୁକରଣ କରିପାରୁଥିଲା। ମାତ୍ର ତାହା ୩ଡି ଇ-ସ୍କିନ୍ ନଥିଲା। ତେବେ ସେମାନଙ୍କ ଉଦ୍ଭାବନରେ ଉତ୍ସାହିତ ହୋଇ ଚୀନୀ ଗବେଷକମାନେ ଏଭଳି ଏକ ୩ଡି ଇ-ସ୍କିନ୍ ବିକଶିତ କରିଛନ୍ତି ଯାହା ଭେଷଜ ବିଶ୍ଳେଷଣ ଓ ଗବେଷଣାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe