ପୃଥିବୀର ବୃହତ୍ତମ ଟି-ସାର୍ଟ

Advertisment
ପୃଥିବୀର ବୃହତ୍ତମ ଟି-ସାର୍ଟ

ବିଭିନ୍ନ ପ୍ରସଙ୍ଗରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ନାନା ଉପାୟ ଅବଲମ୍ବନ କରାଯାଇଥାଏ। ତେବେ ପ୍ଲାଷ୍ଟିକ୍‌ର ପୁନଃପ୍ରକ୍ରିୟାକରଣ ସମ୍ପର୍କରେ ଜନଜାଗରଣ ସୃଷ୍ଟି ପାଇଁ ରୋମାନିଆର ସ୍ବେଚ୍ଛାସେବୀମାନେ ନେଇଥିବା ଅଭିନବ ପଦକ୍ଷେପ ଚର୍ଚ୍ଚାର ବିଷୟ ହୋଇଛି। ସେମାନେ ପ୍ଲାଷ୍ଟିକ୍‌ ବୋତଲରେ ଏକ ବିଶାଳ ଟି-ସାର୍ଟ ନିର୍ମାଣ କରି ଗିନିଜ୍‌ ବିଶ୍ବ ରେକର୍ଡ କରିଛନ୍ତି। ଏହି ବିରାଟ ତଥା ବିଶ୍ବର ବୃହତ୍ତମ ଟି-ସାର୍ଟର ମାନ୍ୟତା ରଖିଥିବା ଏହି ପୋଷାକର ଦୈର୍ଘ୍ୟ ହେଉଛି ୧୦୮.୯୬ ମିଟର (୩୫୭.୪୮ ଫୁଟ) ଓ ପ୍ରସ୍ଥ ୭୩.୪୮ ମିଟର (୨୪୧.୦୮ ଫୁଟ୍‌)। ବୁକାରେଷ୍ଟର ଜାତୀୟ ରଗ୍‌ବି ଷ୍ଟାଡିଅମ୍‌ରେ ଏହାକୁ ପ୍ରଦର୍ଶନ କରିବା ପାଇଁ ୧୨୦ ଜଣ ସ୍ବେଚ୍ଛାସେବୀଙ୍କର ଆବଶ୍ୟକତା ପଡ଼ିଥିଲା, ତଥାପି ତାହାକୁ ସଂପୂର୍ଣ୍ଣ ଖୋଲିବା ପାଇଁ ସାରା ଦିନ ଲାଗିଯାଇଥିଲା। ଏହାର ବିଶେଷତ୍ବ ହେଲା, କେବଳ ପରିତ୍ୟକ୍ତ ପୁନଃପ୍ରକ୍ରିୟାଶୀଳ ପ୍ଲାଷ୍ଟିକ ବୋତଲକୁ ଉପଯୋଗ କରି ଏହାକୁ ପ୍ରସ୍ତୁତ କରାଯାଇଛି।

ଇଭେଣ୍ଟ ପରିଚାଳନା କମ୍ପାନି ଆସୋସିଏସିଆ ଇଲେଭେନ୍‌, ଅନ୍ୟତମ କମ୍ପାନି କୌଫ୍ଲାଣ୍ଡ ରୋମାନିଆ ଓ ସରକାରୀ ଫୁଟ୍‌ବଲ୍‌ ସଂଗଠନ ଫେଡେରେସନ ରୋମାନିଆ ଦ୍ବାରା ପ୍ରସ୍ତୁତ ଏହି ଟି-ସାର୍ଟରେ ୫ ଲକ୍ଷ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ବ୍ୟବହୃତ ହୋଇଛି। ସ୍ଥାନୀୟ କୌଫ୍ଲାଣ୍ଡ ଅଞ୍ଚଳରୁ ଦୀର୍ଘ ତିନି ସପ୍ତାହ ଧରି ଏହି ବୋତଲଗୁଡ଼ିକୁ ସଂଗ୍ରହ କରାଯାଇଥିଲା ଏବଂ ଟି-ସାର୍ଟଟି ତିଆରି କରିବା ଲାଗି ଏକ ମାସ ସମୟ ଲାଗିଥିଲା। ଏଥିରେ ରୋମାନିଆର ଜାତୀୟ ପତାକା ଓ ରୋମାନିଆ ରଗ୍‌ବି ଦଳର ଜର୍ସିରେ ରହିଥିବା ସଂକେତକୁ ସ୍ଥାନ ଦିଆଯାଇଥିଲା। ଗିନିଜ୍‌ ବିଶ୍ବ ରେକର୍ଡ ପକ୍ଷରୁ ବିଚାରକମାନେ ଏହାକୁ ବୃହତ୍ତମ ଟି-ସାର୍ଟର ପ୍ରମାଣପତ୍ର ପ୍ରଦାନ କଲା ପରେ ତାହାକୁ ୧୦ ହଜାର ଖଣ୍ଡରେ ଭାଗ କରି ଦେଶର ଦଳିତ ଯୁବକମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe