ତିନି ତାରକା

ତିନି ତାରକା

କ୍ରିକେଟ ପାଗଳ ଦେଶ ଭାରତ। ଏଠି ପ୍ରତି ଗଳିକନ୍ଦିରେ କ୍ରିକେଟ ପ୍ରେମୀ, ପ୍ରତି ଘରେ ଅଛନ୍ତି କ୍ରିକେଟ୍‌ ପଣ୍ଡିତ। ଛୋଟ ପିଲାଙ୍କଠାରୁ ନେଇ ବୟସ୍କ ମୁରବି ଏଇ ଗୋଟିଏ କଥାରେ ବୋଧହୁଏ ସମଭାବରେ ଆସକ୍ତ। ଏଇ ମାନିଆ ଏବେ ଆଉ ଟିକିଏ ବଢ଼ିଯାଇଛି। ଗତ ଟି-୨୦ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେଲାପରେ ଏବେ ମହିଳା କ୍ରିକେଟର୍‌ ବି ମଇଦାନରେ। ତେବେ ମହିଳା କ୍ରିକେଟ୍‌ ଓ କ୍ରିକେଟର୍‌ଙ୍କୁ ନେଇ ଟିକେ କମ୍‌ ଆଲୋଚନା ହୁଏ। ଏଣୁ ଭାରତୀୟ ମହିଳା କ୍ରିକେଟ୍‌ର ଚର୍ଚ୍ଚିତ ‘‘ତିନି ତାରକା’’ଙ୍କୁ ନେଇ କିଛି କଥା।
ତିନି ତାରକା, ମିଥାଲି ରାଜ୍‌

ରାହୁଲ ଢୋଲ୍‌କିଆଙ୍କ ନିର୍ଦ୍ଦେଶତ ଏକ ହିନ୍ଦୀ ଚଳଚ୍ଚିତ୍ର ‘ସାବାସ୍‌ ମିଠୁ’, ୨୦୨୨ରେ ପରଦାକୁ ଆସିଥିଲା, ଯାହାର ନାୟିକା ଥିଲେ ତାପସୀ ପନ୍ନୁ। ତେବେ ଏଇଟି ଏକ ସାଧାରଣ ଚଳଚ୍ଚିତ୍ର ନଥିଲା। ଏହା ଭାରତୀୟ ମହିଳା କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟିକା ମିଥାଲି ଦୋରାଇ ରାଜ୍‌ଙ୍କ ବାୟୋପିକ୍‌ ଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ଧମାଲ୍‌ କରିପାରିଲା ନାହିଁ। କିନ୍ତୁ ବ୍ୟକ୍ତିଗତ ଜୀବନରେ ମିଥାଲି ଦୀର୍ଘ ଅଭିଜ୍ଞତା, ଦକ୍ଷ ଖେଳାଳି, ଯୋଗ୍ୟ କ୍ୟାପ୍‌ଟେନ୍‌, ଅନେକ ବିରଳ ରେକର୍ଡର ଅଧିକାରିଣୀ ବନିପାରିଛନ୍ତି। ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସେ ଭାରତୀୟ ମହିଳା କ୍ରିକେଟ୍‌ର ଅଧିନାୟିକା‌ ଥିଲେ। ୨୦୦୩ରେ ଅର୍ଜୁନ ପୁରସ୍କାର, ୨୦୧୫ରେ ପଦ୍ମଶ୍ରୀ, ମେଜର୍‌ ଧ୍ୟାନ୍‌ଚାନ୍ଦ ଖେଳ ପୁରସ୍କାର ବିଜୟିନୀ ୨୦୨୧, ୱିଜ୍‌ଡେନ୍‌ ଲିଡିନ୍‌ ଓମେନ୍‌ କ୍ରିକେଟର୍‌ ଅଫ୍‌ ଦି ୱାଲ୍ଡ ୨୦୧୭ ପ୍ରଭୃତି ସହ ଅଗଣିତ ପୁରସ୍କାର ଓ ସମ୍ମାନରେ ସେ ବିଭୁଷିତା। ଦକ୍ଷିଣହାତୀ ନିପୁଣ ବ୍ୟାଟ୍‌ସମ୍ୟାନ୍‌ ମିଥାଲି ଏକମାତ୍ର ମହିଳା ଯେ କି ୱାନ୍‌ ଡେ ମ୍ୟାଚ୍‌ରେ ୭ ହଜାରରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ସେମିତି ଲଗାତାର ୭ଟି ଦିନିକିଆରେ ଅର୍ଦ୍ଧଶତକରୁ ଅଧିକ ରନ୍‌ କରିବାର ରେକର୍ଡ ମଧ୍ୟ ରହିଛି। ୨୦୦୫ରେ ସ୍ଥାୟୀ ଅଧିନାୟକ ହେବାପରେ ଭାରତ ତାଙ୍କ ନେତୃତ୍ବରେ ବିଶ୍ବକପ୍‌ ଖେଳିଲା ଏବଂ ୨୦୧୭ରେ ଦ୍ବିତୀୟ‌ ଥର ଖେଳି ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲା। ୨୦୧୯ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ସିରିଜ୍‌ରେ ମିଥାଲି ତାଙ୍କ କ୍ୟାରିୟର୍‌ର ୨୦୦ତମ ମ୍ୟାଚ୍‌ ଖେଳିଥିଲେ। ସେମିତି ୨୦୨୧ରେ ଚାର୍‌ଲୋଟ୍‌ ଏଡ୍‌ୱାଡ୍‌ଙ୍କ ୧୦,୨୭୦ ରନ୍‌ର ରେକର୍ଡ ଭାଙ୍ଗିଥିଲେ। ୮ ଜୁନ୍‌ ୨୦୨୨ରେ କ୍ରିକେଟ୍‌ର ସବୁପ୍ରକାର ଫର୍ମାଟ୍‌ରୁ ଅବସର ନେଇଥିବା ମିଥାଲିଙ୍କୁ ତାଙ୍କ ଫ୍ୟାନ୍‌ମାନେ ‘ଲେଡି ତେନ୍ଦୁଲ୍‌କର’ ଓ ‘କ୍ରିକେଟ୍‌ର ରାଣୀ’ ବୋଲି ଶ୍ରଦ୍ଧାରେ କହନ୍ତି। ୧୯୮୨ ‌ଡିସେମ୍ବର ୩ରେ ରାଜସ୍ଥାନ ଯୋଧପୁରରେ ଜନ୍ମିତ ମିଥାଲି ହାଇଦ୍ରାବାଦ୍‌ରେ ସ୍କୁଲ୍‌ରେ ପଢ଼ୁଥିବା ବେଳେ ଦଶବର୍ଷ ବୟସରୁ କ୍ରିକେଟ୍‌ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଭାଇଙ୍କ ସହିତ ମିଶି କୋଚିଂ ନେଇଥିଲେ। ୧୯୯୬ ମସିହାରୁ ସେ ଆନ୍ଧ୍ର ପାଇଁ ଖେଳିବା ଆରମ୍ଭ କରିଥିଲେ। ଭାରତନାଟ୍ୟମ୍‌ ନୃତ୍ୟ ପ୍ରତି ଦୁର୍ବଳତା ରଖିଥିବା ମିଥାଲି ଦକ୍ଷିଣ ଭାରତୀୟ ଖାଦ୍ୟ ଇଟିଲି, ଦୋସା ଓ ନଡ଼ିଆ ଚଟଣି ଖାଇବାକୁ ବେଶ୍‌ ଭଲ ପାଆନ୍ତି। ଅବସର ପରେ ବି ମିଥାଲିଙ୍କର ‘ରାଜ୍‌’ ସରିନାହିଁ।

publive-image

ସ୍ମୃତି ମନ୍ଧନା
ଏବେ ଯୁବକ୍ରିକେଟପ୍ରେମୀଙ୍କର ନୟନତାରା ସ୍ମୃତି। ୧୮ ଜୁଲାଇ ୧୯୯୬ରେ ମୁମ୍ବାଇର ଏକ ମାରୱାଡି ପରିବାରରେ ଜନ୍ମିତା ସ୍ମୃତିଙ୍କ ବାପା ସାଙ୍ଗ୍‌ଲିରେ ଜଣେ ଜିଲ୍ଲାସ୍ତରୀୟ କ୍ରିକେଟ୍‌ ଖେଳାଳୀ ଥିଲେ। ତାଙ୍କ ଭାଇ ଶ୍ରାଭନ୍‌ ମହାରାଷ୍ଟ୍ରର ୧୬ ବର୍ଷରୁ କମ୍‌ ବୟସ ବର୍ଗରେ ଜଣେ ସଦସ୍ୟ ଥିଲେ। ଏଣୁ ପରିବାରରେ ବାପା ଓ ଭାଇଙ୍କୁ କ୍ରିକେଟ୍‌ ଖେଳିବା ଦେଖି ସ୍ମୃତି ପିଲାଟି ଦିନରୁ ଆକୃଷ୍ଟ ହେଲେ ଏବଂ ୯ ବର୍ଷ ବୟସ ହେଲାବେଳକୁ ମହାରାଷ୍ଟ୍ରର ୧୫ ବର୍ଷରୁ କମ୍‌ ବାଳିକା ବର୍ଗରେ ସ୍ଥାନ ପାଇଲେ। ୧୧ ବର୍ଷ ବେଳକୁ ୧୯ ବର୍ଷ କମ୍‌ ଦଳରେ ସେ ସଦସ୍ୟ ହେଲେଣି। ୨୦୧୩ରେ ଗୁଜୁରାଟ ବିପକ୍ଷରେ ୧୫୦ ବଲ୍‌ରେ ଅପରାଜିତ ୨୨୪ ରନ୍‌ ସ୍କୋର୍‌ କରି ସମସ୍ତଙ୍କୁ ଚମକେଇ ଦେଇଥିଲେ। ୨୦୧୪‌େର ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟେଷ୍ଟ୍‌ ପଦାର୍ପଣ ହୋଇଥିଲା। ୨୦୧୬ରେ ଓଭାଲ୍‌ରେ ୧୦୯ ବଲ୍‌ରୁ ୧୦୨ ରନ୍‌ କରି ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ଏଇ ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଜଣକ ରୟାଲ୍‌ ଚ୍ୟାଲେଞ୍ଜର୍‌ ବାଙ୍ଗାଲୋର, ଓମେନ୍‌ ପ୍ରିମିୟର୍‌ ଲିଗ୍‌, ମହାରାଷ୍ଟ୍ର କ୍ରିକେଟ୍‌ ଟିମ୍‌ ସହିତ ଯୋଡ଼ିହେବା ପରେ ୨୦୧୩ରୁ ଜାତୀୟ ଦଳରେ ଖେଳୁଛନ୍ତି। ତୃତୀୟ ଭାରତୀୟ ମହିଳା ଭାବରେ ଅନ୍ତର୍ଜାତୀୟ ଟି-୨୦ରେ ୨୦୦୦ରୁ ଅଧିକ ରନ୍‌ କରିଛନ୍ତି। ୨୦୧୯ରେ ଅର୍ଜୁନ୍‌ ପୁରସ୍କାର ବିଜୟିନୀ ସ୍ମୃତି ମଧ୍ୟ ରାଚେଲ୍‌ ହୋଏ ଫ୍ଲିଣ୍ଟ୍‌ ଆୱାର୍ଡ ଶ୍ରେଷ୍ଠ ମହିଳା ଖେଳାଳୀ ୨୦୨୧, ଆଇସିସି ଓମେନ୍‌ ଟି-୨୦ ପ୍ଲେୟାର୍‌ ଅଫ୍‌ ଦି ଇୟର୍‌ ୨୦୨୧ ଏବଂ ଆହୁରି ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ତାଙ୍କର କ୍ରିକେଟ୍‌ ଯାତ୍ରା ଅବ୍ୟାହତ ଅଛି। ୨୭ ବର୍ଷୀୟ ବୟସ୍କା ସ୍ମୃତିଙ୍କର ଖେଳ, ସୌନ୍ଦର୍ଯ୍ୟ ଓ ବ୍ୟକ୍ତିଗତ ଜୀବନକୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ଭିତରେ ବଢୁଥିବା ଲୋକପ୍ରିୟତା‌ ଯୋଗୁଁ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ତାଙ୍କର ୧୧.୦୮ ମିଲିୟନ୍‌ରୁ ଅଧିକ ଫଲୋଅର୍‌ ଅଛନ୍ତି। ‘ଭାରତୀୟ କ୍ରିକେଟ୍‌ର ରାଜକୁମାରୀ’ ସ୍ମୃତି ମନ୍ଧନା ଏବେ ସାରା ପୃଥିବୀର ସବୁଠୁ ଅଧିକ ଲୋକପ୍ରିୟ ମହିଳା କ୍ରିକେଟ୍‌ ତାରକା।

ହର୍‌ମନ୍‌ପ୍ରୀତ୍‌ କୌର୍‌
ଛୋଟ ସହରର ବଡ଼ ସଫଳ କାହାଣୀର ନାୟିକା ସେ। ପଞ୍ଜାବର ମୋଗା ପରି ଛୋଟିଆ ସହରରେ ମାର୍ଚ୍ଚ ୮, ୧୯୮୯ରେ ଏକ ଶିଖ୍‌ ପରିବାରରେ ହର୍‌ମନ୍‌ପ୍ରୀତ୍‌ କୌର୍‌ଙ୍କ ଜନ୍ମ। ନିଶା କାରବାରର ପେଣ୍ଠସ୍ଥଳୀ ଭାବରେ କୁଖ୍ୟାତି ଅର୍ଜିଥିବା ଏଇ ଜାଗା ଏବେ ହର୍‌ମନ୍‌ଙ୍କ ପାଇଁ ଗର୍ବିତ ଓ ପରିଚିତ। ସେଦିନ କିନ୍ତୁ ବାଳିକା ହର୍‌ମନ୍‌ଙ୍କୁ ପାଠ ପଢ଼ିବା ପାଇଁ ୩୦ କିଲୋମିଟର୍‌ ଦୂର ଜ୍ଞାନ୍‌ଜ୍ୟୋତି ଏକାଡେମୀ ସ୍କୁଲ୍‌କୁ ଯିବାକୁ ପଡୁଥିଲା। ତାଙ୍କ ବାପା ହରମନ୍‌ନ୍ଦର ସିଂ ଭୁଲ୍ଲର୍‌ ଜଣେ ଭଲିବଲ୍‌ ଓ ବାସ୍କେଟ୍‌ ବଲ୍‌ ଖେଳାଳି ଥିଲେ। ଏଣୁ ସେ ସ୍କୁଲ୍‌‌େର ପଢ଼ିବାବେଳେ ଖେଳପ୍ରତି ଆକର୍ଷିତ ହେଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ହର୍‌ମନ୍‌ ପୁଅପିଲାଙ୍କ ସହ ହକି ଷ୍ଟିକ୍‌ରେ କ୍ରିକେଟ୍‌ ଖେଳୁଥିଲେ। ପରେ କ୍ରିକ୍ରେଟର୍‌ ବିରେନ୍ଦ୍ର ସେହୱାଗ୍‌ଙ୍କ ଦ୍ବାରା ପ୍ରଭ‌ାବିତ ହୋଇ କ୍ରିକେଟ୍‌ ପ୍ରତି ମନ ବଳାଇଲେ। ୨୦୦୯ ୱାର୍ଲ୍ଡକପ୍‌ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଅାନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ବେଳକୁ ବୟସ ହୋଇଥିଲା ୨୦। ପରେ ପରେ ଜୁନ୍‌ରେ ଆଇସିସି ମହିଳା ଟି-୨୦ ବିଶ୍ବକପ୍‌ ଖେଳି କ୍ୟାରିୟର୍‌କୁ ଆଗକୁ ନେଇଥିଲେ। ୨୦୧୨ରେ ଟି-୨୦ ଏସିଆ କପ୍‌ ଫାଇନାଲ୍‌‌େର ଭାରତର ନେତୃତ୍ବ ନେଇ ପାକିସ୍ତାନକୁ ୮୧ ରନ୍‌ରେ ପରାଜିତ କରି ଏସିଆ କପ୍‌ ବିଜୟୀ ଅଧିନାୟିକା ହୋଇଥିଲେ। ସେ ମଧ୍ୟ ଏକମାତ୍ର ଭାରତୀୟ ମହିଳା କ୍ରିକେଟର୍‌ ଯିଏକି ଦିନିକିଆ ଅାନ୍ତର୍ଜାତିକ ମ୍ୟାଚ୍‌ରେ ଖେଳି ୩୦୦୦ ରନ୍‌ କରିଛନ୍ତି। ୨୦୧୭ରେ ଅର୍ଜୁନ ପରସ୍କାର୍‌, ୱିଜ୍‌ଡେନ୍‌ କ୍ରିକେଟର୍‌ ଅଫ୍‌ ଦି ଇୟର୍‌ ୨୦୨୩, ଟାଇମ୍‌ ଶହେ ନେକ୍ସ୍‌ଟ ୨୦୨୩, ବିବିସିର ୧୦୦ ମହିଳା ତାଲିକା ୨୦୨୩ରେ ସେ ସ୍ଥାନ ପାଇଛନ୍ତି। ତେବେ ୧୫ ବର୍ଷରୁ ଉର୍ଦ୍ଧ୍ବ କ୍ୟାରିୟର୍‌ରେ ୬ହଜାର ୫୦୦ ଅଧିକ ରନ୍‌, ୨୯୦ ଅନ୍ତର୍ଜାତୀୟ ରନ୍‌ ପଦାର୍ପଣ ଏଇ ‘ନାଚୁରାଲ୍‌ ଆଥ୍‌ଲେଟ୍‌’ଙ୍କ ଖେଳ ସରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe