୨୦୧୮ରେ ରାଜ୍ୟର ବନ୍ୟପ୍ରାଣୀ ଜଗତର କିଛି ଚର୍ଚ୍ଚିତ ଘଟଣା: ସୁନ୍ଦରୀଠୁ ଗଜରାଜ

Advertisment
୨୦୧୮ରେ ରାଜ୍ୟର ବନ୍ୟପ୍ରାଣୀ ଜଗତର କିଛି ଚର୍ଚ୍ଚିତ ଘଟଣା: ସୁନ୍ଦରୀଠୁ ଗଜରାଜ

ବାଘଠାରୁ ହାତୀ ଯାଏ...କଇଁଛଠାରୁ ପକ୍ଷୀ, ଅଜଗର ଯାଏ...। ସମସ୍ତେ ଏ ବର୍ଷ ଲଢ଼େଇ କରିଛନ୍ତି ମଣିଷ ସହ। କେଉଁଠି ମଣିଷ ଜିତିଛି କେଉଁଠି ଜୀବଜନ୍ତୁଙ୍କର ବି ଜିତାପଟ ‌ ହୋଇଛି। କେତେବେଳେ ମଣିଷ ଜୀବନ ଯାଇଛି ତ କେତେବେଳେ ଜନ୍ତୁ ଜୀବନ ହାରିଛନ୍ତି। ପୁଣି ନଷ୍ଟ ହୋଇଛି ମଣିଷର ସମ୍ପତ୍ତି, ଧ୍ବସ୍ତ ହୋଇଛି ଜୀବଜନ୍ତୁଙ୍କ ବାସସ୍ଥଳୀ। ବର୍ଷତମାମ ଏହି ଲଢ଼େଇ ଖବରର ଶି‌ରୋନାମା ପାଲଟିଛି। ନିଜର ଅସ୍ତିତ୍ବ, ଜୀବନ, ଖାଦ୍ୟ, ବାସସ୍ଥାନ ପାଇଁ ମଣିଷ ସହ ଜୀବଜନ୍ତୁଙ୍କ ଏହି ଲଢ଼େଇ ଜୈବ ବିବିଧତା ଉପରେ ଭୟଙ୍କର ବିପଦ ପକାଉନି ତ.....

୨୦୧୮ରେ ରାଜ୍ୟର ବନ୍ୟପ୍ରାଣୀ ଜଗତରେ କିଛି ଚର୍ଚ୍ଚିତ ଘଟଣାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା....

ଉପସ୍ଥାପନା: କେଶବ ପାଣି, ଅଳଙ୍କରଣ:ରବି

publive-image

ସୁନ୍ଦରୀ ବନ୍ଦୀ

ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ସାତକୋଶିଆକୁ ଦୁଇଟି ବାଘ(ଗୋଟିଏ ଅଣ୍ଡିରା ଓ ମାଈ) ଅଣାଯାଇଥିଲା। ଜୁନ୍‌ ମାସରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଆସିଥିବା ବାଘ ‘ମହାବୀର’ ଶିକାରୀଙ୍କ ଦ୍ବାରା ବିଛାଯାଇଥିବା ଜାଲ୍‌ରେ ଛନ୍ଦି ହୋଇ ମରିଛି। ଆଉ ବାଘୁଣୀ ‘ସୁନ୍ଦରୀ’ ବିରୋଧରେ ନରହନ୍ତା ଅଭିଯୋଗ ଆସିବା ପରେ ତାକୁ ବନ୍ଦୀ କରାଯାଇଛି। ଦେଢ଼ ମାସ ହେଲା ବନ୍ଦୀ ଜୀବନ କାଟୁଥିବା ‘ସୁନ୍ଦରୀ’ର ଭବିଷ୍ୟତ ନେଇ ଆଶଙ୍କା ଲାଗି ରହିଛି। ଏବେ ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି। ଏନ୍‌ଟିସିଏ ଓ ଡବ୍ଲୁଆଇଆଇ ଟିମ୍‌ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ୧୯ କୋଟି ଟଙ୍କାର ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ସେପଟେ ମୃତ ମହାବୀର ସାତକୋଶିଆରେ ଥିବା ସମୟରେ ବାଘ-ବାଘୁଣୀର ପ୍ରେମ ଚର୍ଚ୍ଚାରେ ରହିଥିଲା। ନୂଆବର୍ଷରେ ନୂଆ ଖବର ଆସିବ ବୋଲି ବନ ବିଭାଗ ଅଧିକାରୀ କହିଥିଲେ।

publive-imageଟଳି ପଡ଼ିଲେ ଗଜରାଜ

ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗାଁରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କ ମୃତ୍ୟୁ ଘଟିଥିଲା। ସାରା ଦେଶର ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇବା ସହ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନିଜ ଆଡୁ ମାମଲା ରୁଜୁ କରିଥିଲେ। ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥା ‘ସେସୁ’କୁ ‌ଜରିମାନା କରାଯାଇଥିଲା। ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ହଣ୍ଡପା ରେଞ୍ଜ୍‌ ଅନ୍ତର୍ଗତ ହେମାମୁରା ଗ୍ରାମରେ ବାର୍‌ହା ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ଆଉ ଦୁଇଟି ଦନ୍ତା ହାତୀଙ୍କ ପ୍ରାଣହାନି ଘଟିଥିଲା। ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ଅନ୍ତର୍ଗତ ଚାନ୍ଦୁଆ ବିଟ୍‌ର ସୁନାପୋଷି ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାର ମୃତ୍ୟୁ ଘଟିଥିଲା।

ଚଢ଼ିଗଲା ରେଳ

publive-image

ଏବର୍ଷ ବି ଲୌହଦାନବର ରକ୍ତଭୋଜିରୁ ବର୍ତ୍ତି ପାରିନାହାନ୍ତି ହାତୀପଲ। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ତେଲିଡ଼ିହି ନିକଟରେ ରେଳଧାରଣା ପାର୍‌ ହେଉଥିବା ବେଳେ ଟ୍ରେନ୍‌ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ହାୱଡା-ମୁମ୍ବାଇ ଟ୍ରେନ୍ ଧକ୍କା ଦେବା ଫଳରେ ଏଥିରେ ଗୋଟିଏ ଦନ୍ତା, ଦୁଇଟି ମାଈ ଓ ଗୋଟିଏ ହାତୀ ଶାବକର ମୃତ୍ୟୁ ହୋଇଥିଲା। ୭ଟି ହାତୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ସେହିପରି କେନ୍ଦୁଝର ସଦର ରେଞ୍ଜ ରାମଚନ୍ଦ୍ରପୁର ଗାଁ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe