ଜୀବିତ ଅଛି ଉଦୟପୁରରେ ଜନ୍ମିଥିବା ୪୦୦ ଗ୍ରାମ ଓଜନର ଶିଶୁ

ଜୀବିତ ଅଛି ଉଦୟପୁରରେ ଜନ୍ମିଥିବା ୪୦୦ ଗ୍ରାମ ଓଜନର ଶିଶୁ

Image Courtesy of HT

ଜୟପୁର: ମାତ୍ର ୪୦୦ ଗ୍ରାମ ଓଜନବିଶିଷ୍ଟ ଜନ୍ମ ହୋଇଥିବା ଗୋଟିଏ ଅପରିପକ୍ୱ ଶିଶୁକନ୍ୟା ବଞ୍ଚି ରହିଛି ଏବଂ ତା’ର ଓଜନ ମଧ୍ୟ ବୃଦ୍ଧି ପାଉଛି। ସୀତା ନାମକ ସେ ବାଳିକାକୁ ଗୁରୁବାର ଦିନ ୭ ମାସ ପୂରିଛି।

ସାଧାରଣତଃ ଅଢ଼େଇ କିଲୋ ଓଜନର ନବଜାତ ଶିଶୁ ସୁସ୍ଥ ବୋଲି କୁହାଯାଇଥାଏ। କିନ୍ତୁ ସୀତା ଭାରତରେ ବଞ୍ଚି ରହିଥିବା ସବୁଠୁ କ୍ଷୁଦ୍ରତମ ବାଳିକା ବୋଲି ଡାକ୍ତରମାନେ କହୁଛନ୍ତି। ସେ ସବୁ ବାଧ ବିପତ୍ତି ସହ ଲଢ଼ି ଜିଣି ଥିବାରୁ ଜୀବନ୍ତ ଚିଲ୍‌ଡ୍ରେନ୍‌ସ୍‌ ହସ୍‌ପିଟାଲ୍‌ର ଡାକ୍ତରମାନେ ତାକୁ ‘ବିସ୍ମୟ ଶିଶୁ’ ବୋଲି କହୁଛନ୍ତି।

୩୫ ବର୍ଷ ହେବ ବିବାହ କରିଥିବା ଦମ୍ପତିଙ୍କ ଠାରୁ ସୀତାର ଜନ୍ମ। ତା’ର ମାଆ ଅନ୍ତଃସତ୍ତ୍ୱା ଥିବା ସମୟରେ ତା’ ମାଆର ଉଚ୍ଚ ରକ୍ତଚାପ ଅଣାୟତ ହୋଇପଡ଼ିଥିଲା। ସୋନଗ୍ରାଫିରୁ ଜଣାଗଲା ଗର୍ଭସ୍ଥ ଭ୍ରୂଣଟି ଯଥେଷ୍ଟ ରକ୍ତ ମଧ୍ୟ ପାଉନାହିଁ।

ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇ ୨୦୧୭ ମସିହା ଜୁନ୍‌ ୧୫ ତାରିଖ ଦିନ ସୀତାକୁ ଜନ୍ମ କରାଯାଇଥିଲା। ସେତେବେଳେ ତା’ର ଓଜନ ଥିଲା ୪୦୦ ଗ୍ରାମ୍‌। ଉଚ୍ଚତା ଥିଲା ୮. ୬ ଇଞ୍ଚ। ତା’ର ପାଦ ଯୋଡ଼ିକ ଥିଲା ବୁଢ଼ା ଆଙ୍ଗୁଠି ନଖ ଠାରୁ ସାମାନ୍ୟ ବଡ଼। ଜନ୍ମନେବା ପରେ ତା’ର ନିଶ୍ୱାସ ପ୍ରଶ୍ୱାସ ଚାଲୁ ନ ଥିଲା। କିନ୍ତୁ, ତାକୁ ବଞ୍ଚାଇ ରଖିବାକୁ ତା’ର ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

ତୁରନ୍ତ ସୀତାକୁ ସେ ଡାକ୍ତରଖାନାର ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌କୁ ନିଆଯାଇ ଡାକ୍ତର ସୁନୀଲ ଜାଙ୍ଗେଦ୍‌, ଡାକ୍ତର ନିଖିଳେଶ ନୈନ ଏବଂ ତାଲିମପ୍ରାପ୍ତ ଧାଈମାନଙ୍କ ତତ୍ତ୍ୱାବଧାନରେ ରଖାଗଲା। ତା’ ଦେହରେ ଅତ୍ୟାଧୁନିକ କୃତ୍ରିମ ଶ୍ୱାସକ୍ରିୟା ଯନ୍ତ୍ର ଲଗାଯିବା ସହ ଆମିନୋ ଏସିଡ୍‌, ଲିପିଡ୍‌ସ୍‌, କାର୍ବୋହାଇଡ୍ରେଡ୍‌, ମିନେରାଲ୍‌, ମଲ୍ଟିଭିଟାମିନ ଆଦି ସିଧାସଳଖ ତା’ ରକ୍ତସ୍ରୋତରେ ଛଡ଼ା ଯାଇଥିଲା।

ସେଠାରେ ସେ ୨୧୦ ଦିନ ରହିବା ପରେ ଗୁରୁବାର ଦିନ ପଦାକୁ ବାହାରି ଥିଲା। ଏବେ ତା’ର ଓଜନ ପ୍ରାୟ ୨. ୪ କିଲୋ ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe