ତିରୋଧାନ ତାରିଖ: ବିଜୁ ପଟ୍ଟନାୟକ

ତିରୋଧାନ ତାରିଖ: ବିଜୁ ପଟ୍ଟନାୟକ

Odisha News Tune

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶାର ଉନ୍ନତି ପାଇଁ ଆଜୀବନ ଉଦ୍ୟମ କରିଥିବା ରାଜନେତା ଭାବେ ଚିରସ୍ମରଣୀୟ। ନିଜର ଅଦମ୍ୟ ଦୁଃସାହସ ବଳରେ ସେ ଈର୍ଷଣୀୟ ବିଶ୍ବସ୍ତରୀୟ ପ୍ରସିଦ୍ଧି ହାସଲ କରିଥିଲେ। ୫ ମାର୍ଚ୍ଚ ୧୯୧୬ରେ ଆସିକାଠାରେ ସେ ଜନ୍ମ ହୋଇଥିଲେ। ସେ ଥିଲେ ଜଣେ ବିଚକ୍ଷଣ ବୈମାନିକ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ସମଗ୍ର ଦେଶରେ ‘ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ ପରେ ଗାନ୍ଧୀଜୀଙ୍କ ସମେତ ବଡ଼ ବଡ଼ ନେତାଙ୍କୁ ଗିରଫ କରିନିଆଯାଇଥିଲା। ସେହି ସମୟରେ ବିଜୁବାବୁ ଅଦମ୍ୟ ସାହସ ପ୍ରଦର୍ଶନ କରି ବ୍ରିଟିସ ବାୟୁସେନାର ବିମାନରେ ଅତ୍ୟନ୍ତ ଗୋପନୀୟ ଭାବେ ଅଚ୍ୟୁତ ପଟ୍ଟବର୍ଦ୍ଧନ, ପଟ୍ଟାଭି ସୀତାରାମେୟା, ଅରୁଣା ଅାସଫ୍‌ ଅଲ୍ଲୀ ଏବ˚ ଜୟପ୍ରକାଶ ନାରାୟଣଙ୍କ ଭଳି ତୁଙ୍ଗ ନେତାମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଦେଶ ସାରା ‘ଭାରତ ଛାଡ଼’ ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ ସାହାଯ୍ୟ କରିଥିଲେ। ଏଥିପାଇଁ ରାଜଦ୍ରୋହ ଅପରାଧରେ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା। ସ୍ବାଧୀନତା ପରବର୍ତ୍ତୀ କାଳରେ ଜାମ୍ମୁ କାଶ୍ମୀର ପାକିସ୍ତାନରେ ମିଶିବ ନା ଭାରତରେ ମିଶିବ ସେ ନେଇ ତତ୍କାଳୀନ ଜାମ୍ମୁ କାଶ୍ମୀରର ମହାରାଜା ହରି ସି˚ହଙ୍କ ମତାମତ ନିର୍ଣ୍ଣାୟକ ଥିଲା। ସେହି ଘଡ଼ିସନ୍ଧି କ୍ଷଣରେ ବିଜୁବାବୁ ଦେଶର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଭି. କେ. କୃଷ୍ଣମେନନ୍‌ଙ୍କୁ ସାଙ୍ଗରେ ନେଇ ରାଜା ହରି ସି˚ହଙ୍କ ନିକଟରେ ପହଞ୍ଚାଇଥିଲେ। ସେହିପରି ଇଣ୍ତୋନେସିଆର ସ୍ବାଧୀନତା ପ୍ରାପ୍ତିରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ମିଳିଥିଲା ଇଣ୍ତୋନେସିଆର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଭୂମିପୁତ୍ର’।

ରାଜନେତା ରୂପେ ସେ ଥିଲେ ସାହସୀ, ସ୍ବାଭିମାନୀ ଓ ଦୂରଦ୍ରଷ୍ଟା। ସ୍ବାଧୀନତା ପରେ ସେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାର ସ୍ବପ୍ନ ଦେଖିଥିଲେ। ସେ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ୧୯୬୩ ଯାଏଁ ଓଡ଼ିଶାର ନେତୃତ୍ବ ନେଇଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାରେ ବହୁ କାରଖାନା ପ୍ରତିଷ୍ଠିତ ହୋଇଥିଲା। ବିଜ୍ଞାନର ପ୍ରସାର ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ। ପାରାଦୀପରେ ଏକ ବୃହତ୍‌ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ ନିର୍ମାଣ କରାଇଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ତାଙ୍କ ସମୟରେ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। ଶ୍ରମିକଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଇ ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଦେଇଥିଲେ। ସେ କିଛି କାଳ କେନ୍ଦ୍ରରେ ଖଣି-ଇସ୍ପାତ ମନ୍ତ୍ରୀ ହୋଇଥିଲେ। ୧୯୯୭ ଏପ୍ରିଲ ଆଜି ତାରିଖରେ ତାଙ୍କର ପରଲୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe