ମେଘମାଳାକୁ, ନିନ୍ଦେ କଳାକୁ...ଶ୍ରୀଜଗନ୍ନାଥଙ୍କର କଳାରୂପର ଅନନ୍ୟ ବାଖ୍ୟା

Advertisment
ମେଘମାଳାକୁ, ନିନ୍ଦେ କଳାକୁ...ଶ୍ରୀଜଗନ୍ନାଥଙ୍କର କଳାରୂପର ଅନନ୍ୟ ବାଖ୍ୟା

“ମେଘମାଳାକୁ, ନିନ୍ଦେ କଳାକୁ...” ଅଷ୍ଟାଦଶ ଶତାବ୍ଦୀର ଭକ୍ତ, ସନ୍ଥ ହୃଦାନନ୍ଦ ଦାସଙ୍କର ଏକ ଭାବମୟ ଭକ୍ତିଗୀତି। ସେଥିରେ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଚାରିଯୁଗର କୀର୍ତ୍ତି ବର୍ଣ୍ଣିତ। ସତ୍ୟଯୁଗର ଶ୍ରୀପତି, ତ୍ରେତୟାଯୁଗର ଶ୍ରୀରାମ, ଦ୍ୱାପର ଯୁଗର ଶ୍ରୀକୃଷ୍ଣ ଏବଂ କଳିଯୁଗର ଶ୍ରୀଜଗନ୍ନାଥଙ୍କର ବର୍ଣ୍ଣନା ସେଥିରେ କରାଯାଇଛି। ଆଦ୍ୟରେ କୁହାଯାଇଛି- ଶ୍ରୀଜଗନ୍ନାଥଙ୍କର କଳାରୂପ ମେଘମାଳାକୁ ନିନ୍ଦା କରୁଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖନୀୟ, ଯେ ଭଗବାନ ବିଷ୍ଣୁଙ୍କୁ ବିଭିନ୍ନ ସ୍ତୋତ୍ରରେ ‘ଶଶିବର୍ଣ୍ଣ ଚତୁର୍ଭୁଜ’ ଓ ‘ମେଘବର୍ଣ୍ଣ ଶୁଭାଙ୍ଗ’ ବୋଲି କୁହାଯାଇଛି। ଏଥିରୁ ସୂଚିତ ହୁଏ, ସେ ଉଜ୍ଜ୍ୱଳ ଶ୍ୟାମଳବର୍ଣ୍ଣ। ସେହିପରି, ତ୍ରେତୟାଯୁଗର ଶ୍ରୀରାମ ‘ନବଦୁର୍ବାଦଳ ଶ୍ୟାମ’ ଏବଂ ଦ୍ୱାପରଯୁଗର ଶ୍ରୀକୃଷ୍ଣ ‘ନବଘନ’ ବା ‘ଶ୍ୟାମଘନ’। ଏହି କ୍ରମରେ ଶ୍ରୀଜଗନ୍ନାଥ ମଧ୍ୟ ମେଘମାଳାକୁ ନିନ୍ଦିବା ପରି କଳା।

କିନ୍ତୁ ଆମ ଶାସ୍ତ୍ରଗ୍ରନ୍ଥରେ ମେଘର ଯେଉଁ ବର୍ଣ୍ଣନା ଅଛି- ସେଥିରେ, ସବୁ ମେଘ କଳାମେଘ ନୁହେଁ। ସେଥିରେ ଚାରିପ୍ରକାର ମେଘର ବର୍ଣ୍ଣନା ମିଳେ। ତାହା ହେଉଛି- ‘ଆବର୍ତ୍ତକ’, ‘ସଂବର୍ତ୍ତକ’, ‘ପୁଷ୍କର’ ଓ ‘ଦ୍ରୋଣ’। ସେଥି ମଧ୍ୟରୁ ‘ଆବର୍ତ୍ତକ’ ହେଉଛି- ନିର୍ଜଳ ମେଘ; ଏହା ଶରତ୍ ଋତୁର ଶୁଭ୍ରମେଘ। ସେଥିରୁ ବର୍ଷା ହୁଏ ନାହିଁ। ‘ପୁଷ୍କର’ ହେଉଛି- ଦୁଷ୍କରଜଳ ମେଘ; ସେଥିରୁ କ୍ୱଚିତ୍ ବର୍ଷା ହୁଏ। ସେ ମେଘରେ ଶସ୍ୟହାନି ଓ ଦୁର୍ଭିକ୍ଷର ଆଶଙ୍କା ଥାଏ।

କିନ୍ତୁ, ମେଘବର୍ଣ୍ଣ ଶ୍ରୀବିଷ୍ଣୁ, ନବଦୁର୍ବାଦଳଶ୍ୟାମ ଶ୍ରୀରାମ, ଶ୍ୟାମଘନ ଶ୍ରୀକୃଷ୍ଣ ଓ ମେଘମାଳାନିନ୍ଦୀ କଳାଠାକୁର ଶ୍ରୀଜଗନ୍ନାଥ ସେପରି ମେଘ ନୁହନ୍ତି। ଏମାନେ ‘ସଂବର୍ତ୍ତକ’ ପରି ବହ୍ୱଦକ ବା ପ୍ରଚୁର ବର୍ଷା କରୁଥିବା ମେଘ। ଏମାନେ ମଧ୍ୟ ‘ଦ୍ରୋଣ’ ପରି ଶସ୍ୟ-ପ୍ରସୂୟକ ମେଘ। ସେଥିପାଇଁ ଭକ୍ତମାନେ ଚାତକ ପରି ତାଙ୍କର କରୁଣାବାରି ପାଇଁ ଚାହିଁ ରହନ୍ତି। ତାଙ୍କର ସେହି କରୁଣାଧାରା ଆମକୁ ଶସ୍ୟଶାଳିନୀ କରେ। ଏଣୁ ସେହି ମେଘମାଳାନିନ୍ଦୀ ଶ୍ରୀଜଗନ୍ନାଥଙ୍କୁ ଆମର ନମସ୍କାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe