ଆଜି ଜନ୍ମଦିନ: ନୃସିଂହ ଗୁରୁ

ଆଜି ଜନ୍ମଦିନ: ନୃସିଂହ ଗୁରୁ

ପଶ୍ଚିମ ଓଡ଼ିଶାର ଗାନ୍ଧୀ ଭାବେ ସୁପରିଚିତ ନୃସିଂହ ଗୁରୁ ୧୯୦୨ ମାର୍ଚ୍ଚ ଆଜି ତାରିଖରେ ସମ୍ବଲପୁର ଅନ୍ତର୍ଗତ ଗୁରୁପାଲୀ ଗ୍ରାମରେ ଜନ୍ମ ହୋଇଥିଲେ। ନୃସିଂହ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ରେ ପଢୁଥିବା ବେଳେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା। ନୃସିଂହ ଓ ସହପାଠୀମାନେ ଆଉ ଗୋଲାମି ପାଠ ପଢ଼ିବେ ନାହିଁ କହି ସମ୍ବଲପୁର ଜିଲ୍ଲା ସ୍କୁଲ୍ ଛାଡ଼ିଦେଇଥିଲେ ଏବଂ ସହରରେ ବୁଲି ବୁଲି ଅସହଯୋଗର ବାର୍ତ୍ତା ପ୍ରଚାର କରିଥିଲେ। ଏହା ପରେ ସେମାନେ ଚନ୍ଦ୍ରଶେଖର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଜାତୀୟ ବିଦ୍ୟାଳୟରେ ଭର୍ତ୍ତି ହୋଇଥିଲେ। ପରେ ନୃସିଂହଙ୍କ ନେତୃତ୍ବରେ ନିଶା ନିବାରଣ କାର୍ଯ୍ୟକ୍ରମ ଗତିଶୀଳ ହୋଇଥିଲା ଏବଂ ନିଶା ନିବାରଣରେ ସମ୍ବଲପୁର ସମଗ୍ର ଭାରତରେ ଅଗ୍ରଣୀ ହୋଇଥିଲା। ଏଥିପାଇଁ ସେ ଜବାହରଲାଲ ନେହେରୁଙ୍କ ଠାରୁ ପ୍ରଶଂସା ପତ୍ର ପାଇଥିଲେ। ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କର ବିଶେଷ ଅବଦାନ ରହିଥିଲା।

ସେ ‘ହରିଜନ ସେବକ ସଂଘ’ର ସମ୍ପାଦକ ଥିଲେ ଏବଂ ଏକ ହରିଜନ ଛାତ୍ରାବାସ ଚଳାଉଥିଲେ। ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ସେ ସରଳ ଜୀବନଯାପନ ଆପଣାଇଥିଲେ। ଆଣ୍ଠୁ ଦିଶୁଥିବା ଲୁଗା ଓ ଖଣ୍ଡେ ଗାମୁଛା ଛଡ଼ା କୌଣସି ବସ୍ତ୍ର ପିନ୍ଧୁ ନ ଥିଲେ। ଗାନ୍ଧୀଙ୍କ ପନ୍ଥାରେ ସେ ସ୍ବଦେଶୀ ପ୍ରସାର, ବିଦେଶୀ ସାମଗ୍ରୀ ବର୍ଜନ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ହରିଜନ କଲ୍ୟାଣ, ସୂତା କଟା ଓ ଖଦି ପ୍ରଚାର ଭଳି କାର୍ଯ୍ୟରେ ସକ୍ରିୟ ଥିଲେ। ସେ ଆଇନ ଅମାନ୍ୟ ଆନ୍ଦୋଳନ ଓ ଭାରତଛାଡ଼ ଆନ୍ଦୋଳନ ସମୟରେ କାରାବରଣ କରିଥିଲେ। ଦୈନିକ ‘ସମାଜ’ର ସାମ୍ବାଦିକ ଭାବେ ସେ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସତ୍ୟ ଓ ନିର୍ଭୀକ ସମ୍ବାଦ ପରିବେଷଣ ଜାରି ରଖିଥିଲେ। ୧୯୮୪ ଜାନୁଆରି ୨ରେ ନୃସିଂହ ଗୁରୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe