ଆଜି ବିଶ୍ବ ମାତୃ ଦିବସ: ଏବେ ବି ଦୁନିଆ ଦେଖୁଛନ୍ତି ମୋ ଦୁଇ ରତ୍ନ

Advertisment

ଆଗପଛ ହୋଇ ଚାଲିଗଲେ ଦୁଇ ଝିଅ, ଚକ୍ଷୁଦାନ କଲେ ମା’

ଆଗପଛ ହୋଇ ଚାଲିଗଲେ ଦୁଇ ଝିଅ, ଚକ୍ଷୁଦାନ କଲେ ମା’

ଆଜି ବିଶ୍ବ ମାତୃ ଦିବସ: ଏବେ ବି ଦୁନିଆ ଦେଖୁଛନ୍ତି ମୋ ଦୁଇ ରତ୍ନ

ଭୁବନେଶ୍ବର,(‌ସୋମନାଥ ପରିଡ଼ା): ଅନ୍ତଫାଡ଼ି ଜନ୍ମ ଦେଇଥିଲେ ‘ମା’। ଯତନର ସହ ଲାଳନପାଳନ କରିଥିଲେ। କିନ୍ତୁ ଦଇବର କି ନିଷ୍ଠୁର ଲୀଳା, ଆଖି ଆଗରେ ଆଗପଛ ହୋଇ ଚାଲିଗଲା ଦୁଇ ଦୁଇଟା ଝିଅଙ୍କ ଜୀବନ। ଦୁଇ ଝିଅ ସିନା ଚାଲିଗଲେ, ହେଲେ ସେମାନଙ୍କ ଆଖିରେ ଆଉ କିଏ ଦୁନିଆର ଆଲୋକ ଦେଖୁ ଭାବି ଦୁଇ ଝିଅଙ୍କ ଆଖି ଦାନ କରିଦେଲେ। ରାଜଧାନୀ ଛାତି ଉପରେ ଘଟିଥିବା ଏହି ମର୍ମସ୍ପର୍ଶୀ ଘଟଣା ଯିଏ ବି ଶୁଣିବ, ଆଖି ଲୁହକୁ ଅଟକାଇ ପାରିବନି।
ଘଟଣାଟି ଏମିତି; ୫୨ବର୍ଷୀୟ ସମରେନ୍ଦ୍ର ସାହୁଙ୍କ ଘର ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍‌ ଡାଳସିଙ୍ଗା ମାଛପୁର ଗାଁରେ। ୩୦ବର୍ଷ ଧରି ସେ ପତ୍ନୀ ଜୟନ୍ତୀ ସାହୁଙ୍କ ସହ ଭୁବନେଶ୍ବର ଶାସ୍ତ୍ରୀନଗରରେ ରହୁଛନ୍ତି। ଚାକିରି ନ ମିଳିବାରୁ ସମରେନ୍ଦ୍ର ରାଜଧାନୀରେ ଅଟୋ ଚଳାନ୍ତି ଓ ଜୟନ୍ତୀ ଟେଲରିଂ କାମ କରି ପରିବାର ଚଳାନ୍ତି। ତିନି ପିଲାଙ୍କ ଖର୍ଚ୍ଚ, ଘରଭଡ଼ା, ସଉଦା, ପାଠପଢ଼ାକୁ ସ୍ବଳ୍ପ ରୋଜଗାର ଅଣ୍ଟିବ ବା କେମିତି? ତେଣୁ ଦୁହେଁ ନିଷ୍ପତ୍ତି ନେଇଥିଲେ, ସେମାନେ ଯେମିତି ଅଭାବ ଅନଟନରେ ଦିନ କାଟିଛନ୍ତି, ଅନ୍ତତଃ ତାଙ୍କ ପିଲାମାନେ ତାହା ନ ଦେଖନ୍ତୁ। ସେଥିପାଇଁ ବଡ଼ ଦୁଇ ଝିଅଙ୍କୁ ପାଠ ପଢ଼ାଉଥିଲେ। ଦୁଇ ଝିଅ ମଧ୍ୟ ଭଲ ପାଠ ପଢ଼ୁଥିଲେ।
ବଡ଼ ଝିଅ ୨୩ ବର୍ଷୀୟା ଶୁଭଲକ୍ଷ୍ମୀ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ସ୍ଥିର କରିଥିଲେ।

ସେ ଭୁବନେଶ୍ବର ନାଇଜ୍‌ର୍‌ରେ ପାଠ ପଢ଼ୁଥିଲେ। ଚାଟାର୍ଡ ପାଇଁ ଫାଇନାଲ୍‌ ପରୀକ୍ଷା ବି ଦେଇଥିଲେ। ଏମିତିକି ଯୁକ୍ତ ତିନି ପଢ଼ିବା ଭିତରେ ଇଣ୍ଟର-ପାସ୍‌ କରି ଯାଇଥିଲେ। ସାନ ଝିଅ ୧୯ ବର୍ଷୀୟା ଭାଗ୍ୟଲକ୍ଷ୍ମୀ ଯୁକ୍ତ ତିନି ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଥିଲେ। ଦୁଇଜଣ ମେଧାବୀ। ସବୁ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖୁଥିଲେ। ପୁଅ ବିଷ୍ଣୁ ନାରାୟଣକୁ ମାତ୍ର ୫ବର୍ଷ। ଦୁଇ ଝିଅ ପାଠରେ ଯେମିତି ସାଠରେ ବି ସେମିତି...। ମା’କୁ ଘର କାମରେ ସାହାଯ୍ୟ ବି କରନ୍ତି। ବଡ଼ ଝିଅ ପାର୍ଟ ଟାଇମ୍‌ କାମ କରି ଆର୍ଥିକ ସହଯୋଗ ମଧ୍ୟ କରୁଥିଲେ। ସବୁ କିଛି ଠିକ୍‌ ଚାଲିଥିଲା।

ଆଉ କିଛି ଦିନ ପରେ ଝିଅ ଚାକିରି କରିଯାଇଥିଲେ ବାପା-ମା’ଙ୍କ ଦୁଃଖ ଯାଇଥା’ନ୍ତା। ହେଲେ ନିଷ୍ଠୁର ଦଇବ ସହିଲାନି। ଗତ ଜାନୁଆରି ୧୪ତାରିଖ ଅପରାହ୍‌ଣରେ ଦୁଇ ଝିଅଙ୍କ ଅବସ୍ଥା ହଠାତ୍‌ ବିଗିଡ଼ିଗଲା। ବାପା ଦୁଇ ଝିଅଙ୍କୁ ଡାକ୍ତରଖାନା ନେଇଗଲେ। ଜୟନ୍ତୀ ଭାବିଥିଲେ, ଗ୍ୟାସ୍‌ ହୋଇଥିବ, ଭଲ ହୋଇଯିବ। କିନ୍ତୁ ମେଡିକାଲ୍‌ ବେଡ୍‌ ଉପରେ ଆଗପଛ ହୋଇ ଦୁହିଁଙ୍କ ଶରୀର ନିସ୍ତେଜ ହୋଇଗଲା। କିନ୍ତୁ ସେ ସମୟରେ ଛାତିକୁ ପଥର କରି ଜୟନ୍ତୀ ନିଜ ଦୁଇ ଝିଅଙ୍କ ଆଖି ଦାନ କରିଦେଲେ।

publive-image

ଜୟନ୍ତୀ କୁହନ୍ତି, ପ୍ରତି ବର୍ଷ ମାତୃ ଦିବସରେ ବର୍ଷ ମୋ ଦୁଇ ରତ୍ନ ମୋ ପାଇଁ କିଛି ନା କିଣି ଆଣନ୍ତି। ହେଲେ ଏବେ ଆଉ କିଏ ଦେବ। ମାତୃ ଦିବସର ଶୁଭେଚ୍ଛା କିଏ ଜଣାଇବ। ଭଗବାନ ମୋତେ ଦୁଇ ଝିଅ ରୂପରେ ଦୁଇ ରତ୍ନ ଦେଇଥିଲେ। ହେଲେ ଅଦିନରେ ଛଡ଼େଇ ନେଲେ। ଭଗବାନଙ୍କ ପାଖରେ ପାର୍ଥନା ଆମକୁ ଜନ୍ମଜନ୍ମରେ ସେଭଳି ସନ୍ତାନ ମିଳନ୍ତୁ। ମୋ ଦୁଇ ଝିଅ ମୋ ପାଖରୁ ଚାଲି ଗଲେ ବି ତାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖୁଛି। ଆମେ ଅଙ୍ଗଦାନ କଥା ଜାଣି ନଥିଲୁ। ନଚେତ୍‌ ଦୁଇ ଝିଅଙ୍କର ଅଙ୍ଗଦାନ କରିଥା’ନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe