ଅରୁଣାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ

Advertisment
ଅରୁଣାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳ

ଭାରତରେ ଏମିତି ଅନେକ ରାଜ୍ୟ ଅଛି, ଯାହାର ପ୍ରାକୃତିକ ଶୋଭା ଅନେକଙ୍କୁ ଆକର୍ଷିତ କରେ,ଆଉ କେତେକଙ୍କୁ ବିସ୍ମିତ କରେ। ଏଭଳି ଏକ ରାଜ୍ୟ ହେଲା ଅରୁଣାଚଳ ପ୍ରଦେଶ । ଏହା ଭାରତର ଏକ ଏଭଳି ଏକ ସବୁଜିମାଘେରା ପ୍ରାକୃତିକ ପରିବେଶର ସମ୍ଭାର ଥିବା ରାଜ୍ୟ । ଏହାର ରାଜଧାନୀ ଇଟାନଗର ଠାରେ ଅବସ୍ଥିତ । ପ୍ରାୟ ଚତୁର୍ଦ୍ଦଶ ବା ପଞ୍ଚଦଶ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା ଏହି ରାଜ୍ୟ । ଏହି ରାଜ୍ୟରେ ଅନେକ ମନଲୋଭା ପର୍ଯ୍ୟଟନ ସ୍ଥାନ ରହିଛି। ଏଥିମଧ୍ୟରୁ କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ସଂପର୍କରେ ସଂକ୍ଷିପ୍ତ ସୂଚନା...

ଇଟାନଗର- ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଜବହାରଲାଲ ନେହେରୁ ରାଜ୍ୟ ସଂଗ୍ରହାଳୟ ଓ ଗଙ୍ଗାହ୍ରଦ ପର୍ଯ୍ୟଟକମାନଙ୍କ ପାଇଁ ସବୁଠୁଁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ।
ତାଓ୍ଵଙ୍ଗ୍ - ଦଲାଇଲାମାଙ୍କ ଜନ୍ମସ୍ଥାନ ହେଉଛି ତାଓ୍ଵାଙ୍ଗ । ପ୍ରାୟ ଚାରିଶହ ବର୍ଷ ପୁରୁଣା ଏହି ସହରରେ ବୌଦ୍ଧ ଧର୍ମର ଅନେକ ପୀଠ ଦେଖିବାକୁ ମିଳେ । ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ । ଏହି କାରଣରୁ ଏଠାକୁ ବହୁ ସଂଖ୍ୟାରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ଆଗମନ ହୋଇଥାଏ।
ପର୍ଶୁରାମ କୁଣ୍ଡ- ପୁରାଣ ଅନୁଯାୟୀ ଏଠାରେ ଭଗବାନ ପର୍ଶୁରାମ ମାତୃହତ୍ୟା କରିବା ପରେ ଏଠାରେ ଥିବା ଲୋହିତ ନଦୀର ଏକ କୁଣ୍ଡରେ ନିଜର ପାପ ଧୋଇ ଥିଲେ । ସେହି ଦିନ ଠାରୁ ଏହାର ନାମକରଣ କରାଯାଇଛି ପର୍ଶୁରାମକୁଣ୍ଡ । ଏଠାରେ ପ୍ରତିବର୍ଷ ଜାନୁଆରୀ ମାସରେ ଏକ ବୃହତ୍ ମେଳା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ ଲକ୍ଷଲକ୍ଷ ସଂଖ୍ୟକ ଲୋକ ଯୋଗ ଦିଅନ୍ତି ।
ଭୀଷ୍ମକ ନଗର- ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଭୀଷ୍ମକ ରାଜାଙ୍କଠାରୁ ତାଙ୍କ କନ୍ୟା ରୁକ୍ମିଣୀଙ୍କୁ ଅପହରଣ କରି ବିବାହ କରିଥିଲେ ବୋଲି ବର୍ଣ୍ଣିତ ଅଛି । ଏହି ଅଞ୍ଚଳ ସେହି ଭୀଷ୍ମକ ରାଜାଙ୍କର ନଗରୀ ଥିଲା ବୋଲି ବିଶ୍ୱାସ କରାଯାଏ । ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ଭୀଷ୍ମକ ନଗର ହୋଇଛି । ଏଠାରେ ଥିବା ପୁରୁଣା ରାଜଉଆସ ଓ କେତେକ ମନ୍ଦିର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ ।

ଆକଶି ଗଙ୍ଗା- ଭଗବାନ ଶିବ ପାର୍ବତୀଙ୍କ ଶବକୁ ଧରି ଯାଉଥିବା ବେଳେ ବିଷ୍ଣୁ ତାଙ୍କ ସୁଦର୍ଶନ ଚକ୍ରରେ ସେହି ଶବକୁ କାଟି ଦେଇଥିଲେ । ଏହି ଶବର କେତେକ ଅଂଶ ଭିନ୍ନଭିନ୍ନ ସ୍ଥାନରେ ପଡ଼ିଥିଲା । ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆକାଶି ଗଙ୍ଗାରେ ମଧ୍ୟ ମାତା ପାର୍ବତୀଙ୍କ ଶରୀରର କିଛି ଅଂଶ ପଡ଼ିଥିବା ବିଶ୍ୱାସ କରାଯାଏ । ଏହି ଅଞ୍ଚଳ ମଧ୍ୟ ବେଶ୍ ପ୍ରାଚୀନ ବୋଲି କୁହାଯାଏ ।
ଜାଇରୋ- ଏହା ଅପତନି ପ୍ଲେଟୁଭାବେ ମଧ୍ୟ ଖ୍ୟାତ । ଏଠାରେ କେତେକ ମନୋରମ ପର୍ବତ ଓ ଫଳ ବଗିଚା ରହିଛି , ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ଭାଲୁକାପଙ୍ଗ୍ - ଅରୁଣାଚଳ ପ୍ରଦେଶର ଅନ୍ୟ ଏକ ମନୋରମ ପ୍ରାକୃତିକ ସ୍ଥଳ ହେଲା ଭାଲୁକାପଙ୍ଗ୍ । ଏଠାରେ ଥିବା ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ପାଇଁ ବି ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ।
ଅନିନି- ଏହା ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ । ଏହା ଏକ ଐତିହାସିକ ସ୍ଥଳଭାବେ ବିଖ୍ୟାତ ।
ଏତଦ୍ବ୍ୟତୀତ ମାଲିନିଥାନ ଓ ବୋମିଡିଲା ମଧ୍ୟ ଏଠାକାର ଅନ୍ୟ ଦୁଇ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe