ପ୍ରଶାନ୍ତ ପୀୟୂଷ ମହାପାତ୍ର
ଉତ୍କଳମଣି ଗୋପବନ୍ଧୁଙ୍କ ‘ରେଳ ଉପରୁ ଚିଲିକା ଦର୍ଶନ’ କବିତାର ପଂକ୍ତି- ‘ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ’ ପ୍ରତିପାଦିତ କରେ କି ରେଳଯାତ୍ରା କେବଳ ଗମନାଗମନର ସାଧନରେ ସୀମାବଦ୍ଧ ନୁହେଁ, ଏହା ଆମକୁ ବହୁ ରୋମାଞ୍ଚକ ଅନୁଭୂତି ବି ଦେଇଥାଏ। ଲକ୍ଷ ଲକ୍ଷ କିଲୋମିଟର୍ ପରିବ୍ୟାପ୍ତ ଭାରତୀୟ ରେଳପଥରେ ଆମେ ଯେତେବେଳେ କୌଣସି ଗନ୍ତବ୍ୟକୁ ଯାତ୍ରାକରୁ ସେତେବେଳେ ନୂଆ ନୂଆ ଜନପଦ, ପାହାଡ଼ପର୍ବତ, ବଣଜଙ୍ଗଲ, ନଦୀନାଳ ଇତ୍ୟାଦି ଦେଖିଥାଉ। ପୁଣି ସହଯାତ୍ରୀଙ୍କ ରୂପରେ ନୂଆ ନୂଆ ସଂପର୍କ ବି ପାଇଥାଉ। ତେବେ ଆମ ଦେଶରେ ଥିବା ବିଶାଳ ରେଳ ନେଟ୍ୱର୍କରେ ଏପରି ଅନେକ ସ୍ଥାନ ଯୋଡ଼ିହୋଇଛି, ଯେଉଁଠାକୁ ରେଳଯାତ୍ରା ନିଆରା ଅନୁଭୂତି ଆଣିଦିଏ। କନ୍ୟାକୁମାରୀଠାରୁ ଆରମ୍ଭକରି କାଶ୍ମୀର ସମେତ ଭାରତୀୟ ଭୂଖଣ୍ଡର ବିଭିନ୍ନ ସ୍ଥାନରେ ରେଳଯାତ୍ରାର ଭିନ୍ନ ଭିନ୍ନ ଆକର୍ଷଣ ରହିଛି। ତେବେ ଆମ ରାଜ୍ୟ ଓଡ଼ିଶା ଦେଇ ଯାଇଥିବା ରେଳପଥଗୁଡ଼ିକ ବି ଏମିତି ଅନେକ ଆକର୍ଷଣୀୟ ସ୍ଥାନ ଦେଇ ଲମ୍ବିଛି, ଯେଉଁ ବାଟରେ ଟ୍ରେନ୍ ଗଡ଼ିଯିବା ବେଳେ ପ୍ରତି ମୁହୂର୍ତ୍ତରେ ବଦଳୁଥିବା ପ୍ରକୃତିର ଛବି ଗତିଶୀଳ କାନ୍ଭାସ୍ ଭଳି ମନେ ହୋଇଥାଏ। ଯଦି ଆପଣ ରେଳଯାତ୍ରା ଉପଭୋଗ କରିବାକୁ ଚାହୁଥାନ୍ତି, ତେବେ ଥରେ ଆମ ରାଜ୍ୟର କିଛି ସ୍ବତନ୍ତ୍ର ରେଳପଥରେ ଯାତ୍ରା କରନ୍ତୁ। ଏକାକୀ ହେଉ କି ପରିବାର ସହ; ବ୍ୟକ୍ତିଗତ କାର୍ଯ୍ୟରେ ହେଉ କି ଅଫିସ୍ ଟୁର୍ରେ, ଓଡ଼ିଶାର ନୈସର୍ଗିକ ପ୍ରାକୃତିକ ବିଭବ ରେଳ ଉପରୁ ଅବଲୋକନ କରନ୍ତୁ।
ରାୟଗଡ଼ା-କୋରାପୁଟ
ବିସ୍ତାରିତ ପର୍ବତ ଓ ଅରଣ୍ୟ ଭୂମିରେ ରେଳର ସର୍ପିଳ ଗତି, ମଝିରେ ମଝିରେ ସୁଦୀର୍ଘ ଟନେଲ୍, ନଦୀ ଓ ଉପତ୍ୟକା ଉପରେ ସୁଉଚ୍ଚ ସେତୁ ଆଦିକୁ ନେଇ ସମୃଦ୍ଧ ଏହି ରୁଟ୍ରେ ରେଳଯାତ୍ରା ବେଶ୍ ମନୋମୁଗ୍ଧକର। ଯଦି କୋରାପୁଟ, ଦାମନଯୋଡ଼ି, ସୁନାବେଡ଼ା କିମ୍ବା ପଡ଼ୋଶୀ ଛତିଶଗଡ଼ର ଜଗଦଲପୁର ଭଳି ସହରକୁ ଯିବାକୁ ହୁଏ, ତେବେ ଏହି ରୁଟ୍ରେ ରେଳରେ ଯାଆନ୍ତୁ। ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଏହି ରୁଟ୍ରେ ସର୍ବପୁରାତନ ଟ୍ରେନ୍। ଏହାଛଡ଼ା ରାୟଗଡ଼ା ଓ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ଠାରୁ ଜଗଦଲପୁର ଅଭିମୁଖେ ଯାଉଥିବା ଅନ୍ୟ କେତେକ ଟ୍ରେନ୍ ମଧ୍ୟ ଏହି ବାଟେ ଚଳାଚଳ କରିଥାଏ। ୧୯୯୫ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ୧୭୦ କି.ମି.ର ଏହି ରେଳପଥରେ ପାଖାପାଖି ୪ ଘଣ୍ଟାର ଯାତ୍ରାପଥରେ ରହିଛି ଛୋଟବଡ଼ ୩୬ଟି ଟନେଲ୍ ଓ ସୁଉଚ୍ଚ ସେତୁ। ଏହି ଟନେଲ୍ ଭିତର ଦେଇ ଟ୍ରେନ୍ ଯିବା ସମୟର ଅନୁଭୂତି ବି ବେଶ୍ ରୋମାଞ୍ଚକ।
Narendra Modi: ଆମ ସରକାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
ଦଇତାରି-ବାଂଶପାଣି
ପୂର୍ବତଟ ରେଳପଥର ଯାଜପୁର-କେନ୍ଦୁଝର ରୋଡ୍ ଷ୍ଟେସନ୍ ପୂର୍ବରୁ ଯଖପୁରାଠାରୁ ଚେନ୍ନାଇ-ହାଓଡ଼ା ମୁଖ୍ୟ ଲାଇନ୍ରୁ ଅଲଗା ହୋଇ ଗୋଟିଏ ଲାଇନ୍ ବାଂଶପାଣି ଯାଇଛି। କେନ୍ଦୁଝରର ପ୍ରାକୃତିକ ସଂପଦର ଶୋଭା ଏହି ରେଳଯାତ୍ରା ବେଳେ ଆପଣଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବ। ପୁରୀରୁ ବଡ଼ବିଲକୁ ଏହି ବାଟେ ଯାଉଥିବା ଦୁଇଟି ପାସେଞ୍ଜର୍ ଓ ଏକ୍ସପ୍ରେସ୍ ଟ୍ରେନ୍ ସମେତ ବିଶାଖାପାଟଣା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ରେ ମଧ୍ୟ ଆପଣ ଯାତ୍ରା କରିପାରିବେ। ପୁରୀ-ବଡ଼ବିଲ ଏକ୍ସପ୍ରେସ୍ ବାଂଶପାଣି ପରେ ଝାଡ଼ଖଣ୍ଡ ରାଜ୍ୟରେ ପ୍ରବେଶକରି ବଡ଼ବିଲରେ ପହଞ୍ଚିଥାଏ। ତେଣୁ ଏଥିରେ ବଡ଼ବିଲ ଗଲେ ଝାଡ଼ଖଣ୍ଡ ରାଜ୍ୟର ପ୍ରାକୃତିକ ଶୋଭା ବି ଅନୁଭବ କରିପାରିବେ। ଘଟଗାଁ ସମେତ କେନ୍ଦୁଝର, ଯୋଡ଼ା, ବଡ଼ବିଲ ଆଦି ସ୍ଥାନକୁ ଯିବାକୁ ହେଲେ ଥରେ ଏହି ରେଳପଥରେ ଯାତ୍ରା କରନ୍ତୁ। ବଣପାହାଡ଼ ଘେରା ରାସ୍ତାରେ ରେଳଯାତ୍ରା ଆମୋଦଦାୟକ ହେବ। ୨୦୦୯ରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ରେଳଲାଇନ୍ ଲୁହାପଥର ପରିବହନ ପାଇଁ କେନ୍ଦୁଝରକୁ ପାରାଦୀପ ସହ ସଂଯୋଗ କରିଛି।
ବାଲୁଗାଁ-ବିଶାଖାପାଟଣା
ଚିଲିକାକୂଳରେ ରହିଛି ବାଲୁଗାଁ ରେଳଷ୍ଟେସନ୍। ତେବେ ସେଠାରୁ ଗଂଜାମର ରମ୍ଭା ପର୍ଯ୍ୟନ୍ତ ରେଳଧାରଣା କଡ଼େ କଡ଼େ ଚିଲିକା ହ୍ରଦର ବିସ୍ତୀର୍ଣ୍ଣ ଜଳରାଶି ଦୃଶ୍ୟମାନ ହୁଏ। ଶୀତଋତୁ ହୋଇଥିଲେ ଚିଲିକା ବକ୍ଷରେ ବିଦେଶୀ ପକ୍ଷୀଙ୍କ ଗହଳି ମଧ୍ୟ ଶୋଭା ବଢ଼ାଏ। ଏହାସହିତ ଅପର ପାର୍ଶ୍ବରେ ବରବରା ଜଙ୍ଗଲ ଓ କ୍ଷୁଦ୍ର ପାହାଡ଼ମାନ ରେଳଯାତ୍ରାକୁ ଆହୁରି ଉପଭୋଗ୍ୟ କରିଦିଏ। ଯଦି ବିଶାଖାପାଟଣା ପର୍ଯ୍ୟନ୍ତ ଯାତ୍ରା କରନ୍ତି ତେବେ ଚଳନ୍ତା ଟ୍ରେନ୍ ଝରକାରୁ ଦୂରରେ ପୂର୍ବଘାଟ ପର୍ବତମାଳାର ଦୃଶ୍ୟ ଅବଲୋକନ କରିପାରିବେ। ଓଡ଼ିଶା ଦେଇ ବହୁସଂଖ୍ୟକ ଟ୍ରେନ୍ ଏହି ରୁଟ୍ରେ ହାଓଡ଼ାରୁ ଦକ୍ଷିଣ ଭାରତୀୟ ସହରଗୁଡ଼ିକୁ ଚଳାଚଳ କରିଥାଏ। ଭୁବନେଶ୍ବରରୁ ବିଶାଖାପାଟଣା ମାତ୍ର ୭ ଘଣ୍ଟାର ଯାତ୍ରା ହୋଇଥିବା ବେଳେ ପ୍ରକୃତିର ମଜା ନେବା ପାଇଁ ଦିନବେଳାର ଯାତ୍ରାକୁ ପସନ୍ଦ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/01/fhfshhfsbxvbbv-2026-03-01-00-34-28.jpg)