କୃଷ୍ଣପ୍ରସାଦ: ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦ୍ବୀପାଞ୍ଚଳବାସୀଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି। ବ୍ଲକ୍‌ ଅଧୀନସ୍ଥ ୨୧ଟି ପଞ୍ଚାୟତକୁ ଗମନାଗମନ ନିମନ୍ତେ ଜହ୍ନିକୁଦାଠାରୁ ସାତପଡ଼ା ପର୍ଯ୍ୟନ୍ତ ୫ କିଲୋମିଟର ଜଳପଥ ଚିଲିକା ଅଞ୍ଚଳବାସୀଙ୍କ ପାଇଁ ଘାତକ ସାଜିଛି। ଚିଲିକା ଦ୍ବୀପାଞ୍ଚଳରେ ୧୪ଟି ପଞ୍ଚାୟତ ଥିବା ବେଳେ ଚିଲିକା ସେପାରିରେ ୭ଟି ପଞ୍ଚାୟତ ରହିଛି। ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ଚିଲିକାରେ ଜଳସ୍ତର କମିଯାଉଥିବାରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଳିତ ଯାତ୍ରୀବାହୀ ଭସାପୋଲ ମଝି ଚିଲିକାରେ ଲାଖି ଯାଉଥିବାରୁ ଗମନାଗମନରେ ବାଧା ଉପୁଜୁଛି। ନିକଟସ୍ଥ ସାମୁଦ୍ରିକ ମୁହାଣ ଗମନାଗମନରେ ଦାଉ ସାଧୁଛି। ସାମୁଦ୍ରିକ ଜୁଆର ସମୟରେ ଚିଲିକାର ଜଳସ୍ତର ବଢୁଥିବା ବେଳେ ଭଟ୍ଟା ସମୟରେ ଜଳସ୍ତର ହ୍ରାସ ପାଉଥିବାରୁ ମଝି ଚିଲିକାରେ ଭସାପୋଲ ଲାଖିଯାଉଛି। ଦୈନିକ ଏହି ରାସ୍ତା ଦେଇ ଅଞ୍ଚଳବାସୀଙ୍କ ସମେତ ଦେଶ ବିଦେଶରୁ ପର୍ଯ୍ୟଟକ ଓ ରାଜ୍ୟର କୋଣଅନୁକୋଣରୁ ଯାତ୍ରୀମାନେ ଚିଲିକା ପାର ହୋଇ ପୁରୀ ଅଭିମୁଖେ ଯାତାୟାତ କରିବାକୁ ପଡୁଛି। 

Advertisment

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଳିତ ଦୁଇଟି ନୂତନ ଭସାପୋଲରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗତ ୫ ଦିନ ଧରି ଗୋଟିଏ ଭସାପୋଲ ଅଚଳ ହୋଇ ପଡ଼ିଥିବା ବେଳେ ଯାତାୟାତ କରୁଥିବା ଭସାପୋଲ ସମୟ ନିର୍ଦ୍ଧାରଣ କରାଯାଉ ନଥିବାରୁ ଯାତ୍ରୀ ଓ ଯାନବାହାନ ଯାତାୟାତରେ ବାଧା ଉପୁଜୁଛି। ପ୍ରଶାସନିକ ଅବହେଳାରୁ ଚିଲିକାରେ ଯାତାୟାତ କରୁଥିବା ଘାଟ ଡଙ୍ଗା ନିଲାମଧାରୀମାନେ ହଟହଟା ହେବାକୁ ପଡୁଛି। ବ୍ଲକ୍‌ ତରଫରୁ ସାତପଡ଼ା ଓ ବ୍ରହ୍ମପୁର ପଞ୍ଚାୟତ ଜରିଆରେ ଦୁଇଟି ଘାଟଡଙ୍ଗାକୁ ବାର୍ଷିକ ୨୫ ଲକ୍ଷ ଟଙ୍କା ବ୍ୟୟବରାଦରେ ନିଲାମ ଦିଆଯାଇଛି। ଚଳିତ ବର୍ଷ ଜାନୁଆରି ୧ରେ ଭସାପୋଲରୁ ପଡ଼ି ଚିଲିକାରେ ଯାତ୍ରୀ ମୃତ୍ୟୁବରଣ କରିବା ପରେ ଘାଟ ଡଙ୍ଗା ନିଲାମଧାରୀଙ୍କ ଉପରେ ପ୍ରଶାସନ ତରଫରୁ ଚାପ ପ୍ରୟୋଗ କରାଯାଉଛି।

Industries: ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାକୁ ଉତ୍କର୍ଷ ଓଡ଼ିଶାରେ ସାମିଲ କରାଯିବ: ଶିଳ୍ପମନ୍ତ୍ରୀ

ଚଢ଼ା ଦରରେ ଘାଟ ଡଙ୍ଗା ନିଲାମକୁ ନେଇ ନିଲାମଧାରୀ ହଟହଟା ହେଉଥିବା ବେଳେ ଯାତ୍ରୀ ମହଲରେ ଚିନ୍ତା ବଢ଼ିଯାଇଛି। ଗ୍ରୀଷ୍ମ ଋତୁରେ ଭସାପୋଲକୁ ଭରସା ପାଉ ଥିବା ବେଳେ ଘାଟ ନିଲାମଧାରୀଙ୍କୁ ଯାତ୍ରୀମାନେ ଧମକ ଚମକ ଦେଖାଇ ଚିଲିକା ପାର ହେବାକୁ ଚାହୁଥିବାରୁ ପ୍ରଶାସନ ଡଙ୍ଗା ଚାଳକଙ୍କ ଉପରେ ଦାଉ ସାଧୁଛି। ବ୍ଲକ୍‌ ତରଫରୁ ନିଲାମ ଅର୍ଥକୁ ପ୍ରତ୍ୟାହାର ନିମନ୍ତେ ଯାତ୍ରୀ ମହଲରେ ଦାବି ହେଉଛି। ଥାନା ଦାୟିତ୍ୱରେ ଥିବା ଡିଏସ୍‌ପି ଭାବଗ୍ରାହୀ ରାଉତ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେଉଥିବା ବେଳେ ଚଢ଼ା ଦରରେ ନିଲାମ ଅର୍ଥକୁ ନେଇ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ସେ ପ୍ରକାଶ କରିଛନ୍ତି। ବିଡିଓ ଅମିୟ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।