କୁକୁର ସହିତ ପାଦରେ ପୃଥିବୀ ଭ୍ରମଣ

Advertisment
କୁକୁର ସହିତ ପାଦରେ ପୃଥିବୀ ଭ୍ରମଣ

CGTN

ଆମେରିକାର ନ୍ୟୁ ଜର୍ସିର ବାସିନ୍ଦା ଟମ୍ ଟର୍‌ସିଚ୍‌ ସାତ ବର୍ଷ ତଳେ ଚାଲିଚାଲି ପୃଥିବୀ ଭ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ। ସେ ସମୁଦାୟ ୪୮,୦୦୦ କିଲୋମିଟର୍ ଚାଲିବା ପରେ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ବିରଳ କୀର୍ତ୍ତିମାନ ହାସଲ କରିବାରେ ଟମ୍ ପୃଥିବୀର ଦଶମ ବ୍ୟକ୍ତି ପାଲଟିଛନ୍ତି। ତାଙ୍କ ସହିତ ‘ସାଭାନ୍ନା’ ନାମକ ଚତୁସ୍ପଦ ପୃଥିବୀର ପ୍ରଥମ ପଶୁ ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛି। ୨୦୦୬ରେ ଜଣେ ବାନ୍ଧବୀଙ୍କ ମୃତ୍ୟୁ ଘଟଣା ଟମ୍‌ଙ୍କୁ ପାଦରେ ପୃଥିବୀ ଭ୍ରମଣ ପାଇଁ ପ୍ରୋତ୍ସାହିତ କରିଥିଲା।

ଜୀବନର ଅନିଶ୍ଚିତତାକୁ ହୃଦୟଙ୍ଗମ କରି ସେ ପ୍ରତିଟି ଦିନକୁ ଶ୍ରେଷ୍ଠ ଉପାୟରେ ଉପଭୋଗ କରିବାକୁ ଚାହିଥିଲେ। ତେଣୁ ଅଜଣା ସ୍ଥାନରେ ହଜିଯିବା ସହିତ ପ୍ରତିଦିନ ଦୁଃସାହସିକ କାର୍ଯ୍ୟ କରିବାରେ ଏହି ଅଭିଯାନ ବାଧ୍ୟ କରିବ ବୋଲି ସେ ଆଶା ରଖିଥିଲେ, ଯାହା ସତ ସାବ୍ୟସ୍ତ ହୋଇଛି। ନିଜର ୨୬ତମ ଜନ୍ମଦିନର କିଛି ଦିନ ପୂର୍ବରୁ ଟମ୍‌ ନିଜର ସ୍ଲିପିଂ ବ୍ୟାଗ୍‌, ଲାପ୍‌ଟପ୍‌, ଡିଏସ୍‌ଏଲ୍‌ଆର୍ କ୍ୟାମେରା, ପାହାଡ଼ ଚଢ଼ା ଉପକରଣ ଓ ଖାଦ୍ୟ ବାକ୍‌ସ ଧରି ଘରୁ ବାହାରି ପଡ଼ିଥିଲେ। ତାଙ୍କର ପ୍ରଥମ ଗନ୍ତବ୍ୟ ପାନାମା ଯିବା ବାଟରେ ସେ ‘ସାଭାନ୍ନା’ ନାମ୍ନୀ ମାଈ କୁକୁରକୁ ଏକ ପଶୁ ଆଶ୍ରୟ ଗୃହରୁ ପାଇଥିଲେ। ଏହି ଅଭିଯାନରେ ନିଃସଙ୍ଗତା ଦୂର କରିବା ସହିତ କୁକୁରଟି ତାଙ୍କର ସୁରକ୍ଷା ଦିଗରେ ମଧ୍ୟ ବିଶେଷ ସହାୟକ ହୋଇଥିଲା। ଗତ ମେ ମାସରେ ଟମ୍‌ ଓ ସାଭାନ୍ନା ମିଳିତ ଭାବେ ଛଅଟି ମହାଦେଶର ୩୮ଟି ଦେଶ ଚାଲିଚାଲି ଭ୍ରମଣ କରିବା ପରେ ଏହି ଅଭିଯାନକୁ ସମାପ୍ତ କରିଛନ୍ତି। ‘ଦି ଵାର୍ଲଡ୍‌ ଵାକ୍‌’ ନାମକ ବ୍ଲଗ୍‌ରେ ସେ ନିଜର ସମଗ୍ର ଭ୍ରମଣ ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି। ଆଗକୁ ସେ ନିଜ ଅଭିଜ୍ଞତାକୁ ନେଇ ଏକ ପୁସ୍ତକ ରଚନା କରିବାର ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe