ଚଳନ୍ତିକା: ବିଟେକ୍‌ ସ୍ନାତକଙ୍କ ମହଙ୍ଗା ଛତୁ ଚାଷ

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହଜାର ହଜାର ସଂଖ୍ୟାରେ କବକ ଜାତୀୟ ଉଦ୍ଭିଦ କ୍ରମଶଃ ଲୋପ ପାଇ ଯାଉଥିବା ବେଳେ ଭାରତରେ ବିଶ୍ବର ଅନ୍ୟତମ ଦାମୀ ଛତୁ ଚାଷ କରି ସଫଳତା ହାସଲ କରିଛନ୍ତି ଜଣେ ବିଟେକ୍ ସ୍ନାତକ ନବୀନ ପଟୱାଲ୍‌। 

QW

ପୃଥିବୀରେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ହଜାର ହଜାର ସଂଖ୍ୟାରେ କବକ ଜାତୀୟ ଉଦ୍ଭିଦ କ୍ରମଶଃ ଲୋପ ପାଇ ଯାଉଥିବା ବେଳେ ଭାରତରେ ବିଶ୍ବର ଅନ୍ୟତମ ଦାମୀ ଛତୁ ଚାଷ କରି ସଫଳତା ହାସଲ କରିଛନ୍ତି ଜଣେ ବିଟେକ୍ ସ୍ନାତକ ନବୀନ ପଟୱାଲ୍‌। ଦୁନିଆରେ ଯେତେ ସବୁ ମହଙ୍ଗା ଛତୁ ଅଛି ତନ୍ମଧ୍ୟରେ ‘ଗୁଚିଛତୁ’ ଅନ୍ୟତମ। ପ୍ରଧାନତଃ ଚୀନ୍‌ ଓ ଫ୍ରାନ୍‌ସ୍‌ରେ ଚାଷ କରାଯାଉଥିବା ‘ଗୁଚିଛତୁ’ ଉତ୍ପାଦନ କରିବାରେ ସମ୍ପ୍ରତି ଭାରତ ବିଶେଷ ସଫଳତା ହାସଲ କରିଛି। ଏ ଉଲ୍ଲେଖନୀୟ ସଫଳତା ସମ୍ଭବ ହୋଇଛି ଉତ୍ତରାଖଣ୍ଡର ପୌଡ଼ୀ ଗଢ଼ୱାଲ୍‌ ଜିଲ୍ଲା କୋଟ୍‌ ବ୍ଲକ୍‌ ଅନ୍ତର୍ଗତ ଫାଲ୍‌ଦ୍‌କୋଟ୍‌ ଅଞ୍ଚଳବାସୀ ବିଟେକ୍‌ ସ୍ନାତକ ନବୀନ ପଟ୍‌ୱାଲ୍‌ଙ୍କ ଯୋଗୁଁ।

ବିଟେକ୍‌ ପଢ଼ା ଶେଷକରି ୨୦୦୭ରୁ ସେ ଛତୁଚାଷରେ ଲାଗିଥିଲେ। ସେଥିପାଇଁ ହରିଦ୍ବାର ଓ ରୁର୍‌କୀରେ ଦୁଇଟି ଛତୁ ଫାର୍ମ ସ୍ଥାପନ କରି ସେ ଧିଙ୍ଗିରି ଓ ବଟନ୍‌ଛତୁ ସମେତ ବିଭିନ୍ନ କିସମର ଛତୁ ଉତ୍ପାଦନ କରୁଥିଲେ। ପଟ୍‌ୱାଲ୍‌ କହନ୍ତି ଯେ, ପ୍ରଥମେ ୨୦୨୨ରେ ସେ ଗୋଟାଏ କିସମ ‘ଗୁଚିଛତୁ’ ଚାଷ କରିଥିଲେ। କିନ୍ତୁ, ସେଥିରେ ସେ ଏକାଧିକ ବାର ବିଫଳ ହୋଇଥିଲେ। ତା’ପରେ ଦୁଇବର୍ଷ ସମର୍ପିତ ଗବେଷଣା ଓ କଠିନ ଶ୍ରମ କରି ସେ ୨୦୨୪ ଡିସେମ୍ବରରେ ପୁନଶ୍ଚ ‘ଗୁଚିଛତୁ’ ଚାଷକଲେ ଆଉ ତିନି ମାସ ମଧ୍ୟରେ ତାହା ଫଳପ୍ରସୂ ହେଲା।
‘ଗୁଚିଛତୁ’ ନିମ୍ନ ତାପମାତ୍ରାରେ ଉଧାଏ। ପୁଣି ସେ ଚାଷରେ ଅନେକ ବାଧାବିଘ୍ନ ରହିଛି। ଏତେ ଅସୁବିଧା ସତ୍ତ୍ବେ ସେ ୯୦ ଦିନିଆ ‘ଗୁଚିଛତୁ’ ଚାଷ-ଚକ୍ର ସମ୍ପନ୍ନ କରି ୧୦୦ ବର୍ଗମିଟର୍‌ ପଲିହାଉସ୍‌ରୁ ପ୍ରାୟ ୧୦୦ କିଲୋ ଛତୁ ଅମଳ କଲେ। ଆଗକୁ ଏ ପଦ୍ଧତିରେ ଆହୁରି ଅଧିକ ପରିମାଣ ‘ଗୁଚିଛତୁ’ ଚାଷ କରିବା ଲାଗି ସେ ଯୋଜନା କରିଥିବା କଥା କହିଛନ୍ତି। ଔଷଧୀୟ ଗୁଣ ଯୋଗୁଁ ଭାରତରେ ଗୁଚିଛତୁ କିଲୋପିଛା ୩୦,୦୦୦ରୁ ୪୦,୦୦୦ ଟଙ୍କାଯାଏ ବିକ୍ରୟ ହେଉଛି। ‘ଗୁଚିଛତୁ’ରେ ଭିଟାମିନ୍‌-ବି, ଭିଟାମିନ୍‌-ସି ଓ ଏମିନୋ ଏସିଡ୍‌ ରହିଛି। ହୃଦ୍‌ରୋଗୀମାନଙ୍କ ଲାଗି ଏହା ସଞ୍ଜୀବନୀ ସଦୃଶ। ଆକାର ଅନୁସାରେ ଏ ଛତୁର ମୂଲ୍ୟ ଧାର୍ଯ୍ୟ କରାଯାଏ। ‘ଗୁଚିଛତୁ’ର ଜମ୍ବୋ ଓ ସୁପର୍‌ ଜମ୍ବୋ କିସମ ଆହୁରି ଅଧିକ ମୂଲ୍ୟରେ ବିକ୍ରୟ ହୁଏ। ଛତୁଚାଷ ଅଭିଯାନରେ ସହାୟକ ହୋଇଥିବା ଆଇଆଇଟିଆନ୍‌ ସ୍ତ୍ରୀ ଓ ମାମୁଙ୍କ ପ୍ରତି ପଟ୍‌ୱାଲ୍‌ ବିଶେଷ କୃତଜ୍ଞ ବୋଲି କହନ୍ତି।

ପ୍ରାକୃତିକ ଭାବେ ‘ଗୁଚିଛତୁ’ ହିମାଳୟ ପାହାଡ଼ ଚୂଡ଼ା ଅଞ୍ଚଳରେ ଫେବ୍ରୁଆରିରୁ ଏପ୍ରିଲ୍‌ ମାସ ପର୍ଯ୍ୟନ୍ତ ଫୁଟେ। ପଟ୍‌ୱାଲ୍ ଚାଷ କରିବା ପୂର୍ବରୁ ‘ଗୁଚିଛତୁ’ ଜମ୍ମୁ ଓ କଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଉତ୍ପାଦନ କରାଯାଉଥିଲା। କିନ୍ତୁ, ଅତୀତର ସେ ନିୟନ୍ତ୍ରିତ ପରିବେଶରେ କରାଯାଉଥିବା ପରୀକ୍ଷାମୂଳକ ଚାଷଦ୍ବାରା ସୀମିତ ପରିମାଣରେ ‘ଗୁଚିଛତୁ’ ଉତ୍ପାଦନ ହେଉଥିଲା। କିନ୍ତୁ, ପଟ୍‌ୱାଲ୍‌ଙ୍କ ସଫଳ ତଥା ଉନ୍ମୁକ୍ତ ପଲିହାଉସ୍‌ ‘ଗୁଚିଛତୁ’ ଚାଷ କେବଳ ଉତ୍ତରାଖଣ୍ଡ ନୁହେଁ ଭାରତରେ ପ୍ରଥମ। ରାସାୟନିକ ପଦାର୍ଥ ଓ ସାର ବିନା ‘ଗୁଚିଛତୁ’ ଚାଷ କରିଥିବାରୁ ପୌଡ଼ୀ ଗଢ଼ୱାଲ୍‌ ଜିଲ୍ଲାର ଉଦ୍ୟାନକୃଷି ବିଭାଗ ଅଧିକାରୀ ରାଜେଶ ତିୱାରୀ ପଟ୍‌ୱାଲ୍‌ଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe