ଆଜି ବି ସୁରକ୍ଷିତ ରହିଛି ୧୯୪୭ ମସିହାରେ ଉତ୍ତୋଳନ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ତ୍ରିରଙ୍ଗା !

Advertisment
ଆଜି ବି ସୁରକ୍ଷିତ ରହିଛି ୧୯୪୭ ମସିହାରେ ଉତ୍ତୋଳନ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ତ୍ରିରଙ୍ଗା !

ଇଂରେଜମାନଙ୍କ ଠାରୁ ଦେଶ ସ୍ୱାଧୀନ ହେବା ପରେ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତରେ ପାଳିତ ହେଉଛି ସ୍ୱାଧୀନତା ଦିବସ। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶ ସ୍ୱାଧୀନ ହେବା ପରେ ୧୯୪୭ ମସିହାରେ ଜର୍ଜ ଫୋର୍ଟରେ ପ୍ରଥମେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ଉଡୁଛି ଫର୍‌ଫର୍‌ ହୋଇ। ଏହା ହେଉଛି ଦେଶ ସ୍ୱାଧୀନ ପରେ ଏକମାତ୍ର ପତାକା, ଯାହା ଏବେ ସୁଦ୍ଧା ସୁରକ୍ଷିତ ରହିଛି।

୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହେବା ଦିନ ଠାରୁ ତାମିଲନାଡୁର ମାଡ୍ରାସ ଠାରେ ଥିବା ଫୋର୍ଟ ସେଣ୍ଟ ଜର୍ଜଠାରେ ଉଡୁଛି ତ୍ରିରଙ୍ଗା। ଏହା ହେଉଛି ଦେଶର ଏକମାତ୍ର ଭିଣ୍ଟେଜ୍‌ ଜାତୀୟ ପତାକା, ଯାହା ଦୀର୍ଘ ୭୧ ବର୍ଷ ହେଲା ଉକ୍ତ ଦୁର୍ଗରେ ସୁରକ୍ଷିତ ହୋଇ ରହିଛି। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏହାକୁ ବହୁସ୍ତରୀୟ ସୁରକ୍ଷା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦାୟିତ୍ୱ ରହିଛି ଏଏସଆଇ ହାତରେ। ଏଏସଆଇର ‘ରିଜର୍ଭ କଲେକ୍ସନ’ ମଧ୍ୟରେ ଦୀର୍ଘ ଦଶନ୍ଧି ହେଲା ଏହାକୁ ସଂରକ୍ଷିତ କରି ରଖାଯାଇଛି।

publive-image

୨୦୧୩ ଜାନୁୟାରୀ ୨୬ରେ ପ୍ରଥମ କରି ଫୋର୍ଟ ସେଣ୍ଟ ଜର୍ଜ ପରିସରରେ ଥିବା ଫୋର୍ଟ ମ୍ୟୁଜିୟମରେ ସର୍ବସାଧାରଣଙ୍କ ପାଇଁ ଏହାର ପ୍ରଦର୍ଶନ ହୋଇଥିଲା। ତେବେ ପତାକାକୁ ଏଭଳି ଭାବେ ସଂରକ୍ଷଣ କରିବା ସେତେ ସହଜ ନୁହେଁ। ଏକ ଏୟାର ଟାଇଡ୍‌ କାଠ ଏବଂ କାଚ ଶୋ କେସରେ ଏହାକୁ ରଖାଯାଇଛି। ପତାକାର ଚାରିପାର୍ଶ୍ୱରେ ସିଲିକା ଜେଲର ୬ଟି ପାତ୍ର ରହିଛି। ଏହାଦ୍ୱାରା ସବୁ ସମୟରେ ଶୋ କେସର ଆର୍ଦ୍ରତା ନିୟନ୍ତ୍ରଣ ହେବା ସହ ତାହାକୁ ଶୋଷିନେଇଥାଏ। ପତାକା ରହିଥିବା ହଲ୍‌ ଓ ଶୋ କେସରେ ସବୁବେଳେ ନିୟନ୍ତ୍ରଣ କରିବା ଲାଗି ଏକ ଲ୍ୟୁକ୍ସ ମିଟର ବ୍ୟବସ୍ଥା କରାଯାଇଛି। ପ୍ରତିଟି ମୁହୂର୍ତ୍ତରେ ସେଠାକାର ତାପମାତ୍ରା ଓ ଶୀତ ତାପକୁ ନିୟନ୍ତ୍ରଣ କରାଯାଇଥାଏ।

publive-image

ହଲରେ ଭ୍ରମଣକାରୀ ପହଞ୍ଚିଲେ ସେଠାରେ ବ୍ୟବସ୍ଥିତ ମାନବସମ୍ବେଦନଶୀଳ ଲାଇଟ୍‌ ଆପେ ଆପେ ଜଳି ଉଠିଥାଏ। ଶୋକେସରେ ଯେଭଳି ବାହାରର ଆଲୁଅ, ପବନ, ଧୂଳିକଣା ପ୍ରବେଶ ନକରିପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେଠାରେ ସୁରକ୍ଷାବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ସାଇରନ୍‌ ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏତେବର୍ଷ ପୁରୁଣା ହେବା ଯୋଗୁଁ ପତାକାର କିଛି ଅଂଶ ଫାଟି ଯାଇଛି।

ଶୁଦ୍ଧ ରେଶମ କପଡାରେ ପ୍ରସ୍ତୁତ ଏହି ପତାକାର ଦୈଘ୍ୟ ୧୨ ଫୁଟ୍‌ ରହିଥିବା ବେଳେ ପ୍ରସ୍ଥ ରହିଛି ୮ଫୁଟ୍‌। ଭାରତ ସ୍ୱାଧୀନ ଘୋଷିତ ହେବା ପରେ ୧୯୪୭ ଅଗଷ୍ଟ ୧୫ ତାରିଖ ସକାଳ ୫ଟା ୫ମିନିଟରେ ଫୋର୍ଟ ସେଣ୍ଟ ଜର୍ଜଠାରେ ବ୍ରିଟିଶ୍‌ ୟୁନିୟନ ପତାକା ହଟାଇ ତ୍ରିରଙ୍ଗାକୁ ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ହଜାର ହଜାର ଲୋକ ସେଠାରେ ଉପସ୍ଥିତ ଥିଲେ। ତେବେ ସେହି ପତାକା କିଏ ଉତ୍ତୋଳନ କରିଥିଲେ ସେ ନେଇ ପ୍ରଶାସନ ପାଖରେ କିଛି ରେକର୍ଡ ନଥିବା ଅଧିକାରୀ ଜଣକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe