ସ୍ମୃତିରେ ତ୍ରିଲୋଚନ: ମୂଲ୍ୟବୋଧର ମଣିଷ

ଗୌରହରି ଦାସ

ସ୍ମୃତିରେ ତ୍ରିଲୋଚନ: ମୂଲ୍ୟବୋଧର ମଣିଷ

୧୯୪୦-୨୦୨୩

ଜଣେ ସଚ୍ଚୋଟ, ସତ୍ୟନିଷ୍ଠ ଓ ସ୍ପଷ୍ଟବାଦୀ ରାଜନେତା ଭାବେ ତ୍ରିଲୋଚନ କାନୁନ୍‌ଗୋ ଓଡ଼ିଶା ରାଜନୈତିକ ଜଗତର ଜଣେ ଅବିସ୍ମଣୀୟ ବ୍ୟକ୍ତିତ୍ବ ଥିଲେ। କଂଗ୍ରେସ ଦଳରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରି ଏହି ଜନନେତା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ନେତୃତ୍ବର ଯେଉଁ ଉଦାହରଣ ସେ ଛାଡ଼ି ଯାଇଛନ୍ତି, ତାହା ଭବିଷ୍ୟତ ପିଢ଼ି ଲାଗି ଦିଗବାରେଣିରେ ପରିଣତ ହୋଇଛି। ଆଜି ତାଙ୍କର ଏକାଦଶାହ ଉପଲକ୍ଷେ ‘ସମ୍ବାଦ’ର ଏହି ବିଶେଷ ଉପସ୍ଥାପନା।

ଗତ ଶତାବ୍ଦୀର ଅଷ୍ଟମ କି ନବମ ଦଶକ। କଟକ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ଉଦ୍ୟମ କରୁଥାଆନ୍ତି, ଏ ସହର ମଶା କବଳରୁ ମୁକ୍ତ ହେବ। ନାଳନର୍ଦ୍ଦମାପୂର୍ଣ୍ଣ କଟକ ନଗରକୁ ଧବଳ ଟଗରରେ ପରିଣତ କରାଯାଇ ନ ପାରିଲେ ସୁଦ୍ଧା ଏହାକୁ ବାସୋପଯୋଗୀ ସୁନ୍ଦର ସ୍ଥାନରେ ପରିଣତ କରାଯାଇପାରିବ - ଏହା ଥିଲା ତାଙ୍କର ପ୍ରତିଶ୍ରୁତି। ମନେପଡୁଛି, କିଛିଦିନ ପର୍ଯ୍ୟନ୍ତ ଚେୟାରମ୍ୟାନ୍‌ଙ୍କ ଏହି ପ୍ରତିଶ୍ରୁତି ଆମ ପରି କଲେଜରେ ପଢୁଥିବା ଯୁବକଙ୍କ ଲାଗି ହାସ୍ୟରସର ଖୋରାକ ଯୋଗାଇ ଚାଲିଥିଲା। କଟକ ସହର ପୁଣି ମଶାମାନଙ୍କ କୋଳାହଳରୁ ମୁକ୍ତି ପାଇବ! ଏଠି ତ ଦିନ ବାରଟାରେ ସୁଦ୍ଧା ସେମାନଙ୍କର ଗୁଣୁଗୁଣୁ ଗୀତ ଶୁଣିବାକୁ ମିଳିଥାଏ। ଚାରିଆଡ଼େ ନାଳନର୍ଦ୍ଦମା ରୁନ୍ଧି ହୋଇ ପଡ଼ିଛି। ଦୁର୍ଗନ୍ଧରେ ନାକ ଫାଟେ। କାହିଁକି ଏଇ ଭଦ୍ରଲୋକ ଏଭଳି ବୃଥା ବାହାସ୍ଫୋଟ ମାରୁଛନ୍ତି!

ମାତ୍ର ଆମର ଏ ପ୍ରକାର ପରିହାସ, ଅବିଶ୍ୱାସ ଓ ଅନାସ୍ଥା ଅମୂଳକ ଥିଲା। ଆମମାନଙ୍କ ସମେତ କଟକ ନଗରର ଲକ୍ଷ ଲକ୍ଷ ନାଗରିକଙ୍କୁ ମଧୁର ବିସ୍ମୟ ଉପହାର ଦେଇ ଏହି ପୁରୁଣା ସହରର ନୂଆ ନଗରପାଳ କଟକକୁ ମଶାମୁକ୍ତ କରିଦେଲେ। ସମସ୍ତଙ୍କ ପାଟି ଚୁପ୍ ହୋଇଗଲା। ଏଭଳି ଅସମ୍ଭବକୁ ସମ୍ଭବ କରିଥିବା ଜନନେତା ଜଣକ ଥିଲେ ଶ୍ରୀ ତ୍ରିଲୋଚନ କାନୁନ୍‌ଗୋ। ସେହିଦିନ ପାଖରୁ ତାଙ୍କ ପ୍ରତି ଯେଉଁ ଆସ୍ଥା ଓ ସମ୍ମାନ ମୋ’ ମନରେ ସୃଷ୍ଟି ହୋଇଥିଲା ତାହା ତାଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ତ ଅନାହତ ଥିଲା, ମୋ’ ଜୀବନର ଶେଷ ପର୍ଯ୍ୟନ୍ତ ମଧ୍ୟ ରହିବ।

ତ୍ରିଲୋଚନ କାନୁନ୍‌ଗୋଙ୍କ କାମ ହିଁ ଥିଲା ତାଙ୍କର ପରିଚୟ। ସେ ବେଶି କହୁ ନ ଥିଲେ, ବେଶି ଚିନ୍ତା କରୁଥିଲେ ଏବଂ ସେ ଚିନ୍ତାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରୁଥିଲେ। ଅଡ଼ଶପୁରର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ତାଙ୍କର ସେହି ଆଦର୍ଶ କାର୍ଯ୍ୟଗୁଡ଼ିକ ଭିତରୁ ଗୋଟିଏ ଉଦାହରଣ। ମାତ୍ର ଓଡ଼ିଶାର ଗ୍ରାମାଞ୍ଚଳରେ ଏପରି ଏକ ଶିକ୍ଷାନୁଷ୍ଠାନ ଗଢ଼ା ଯାଇପାରେ, ସେକଥା ପ୍ରମାଣିତ କରିଥିଲେ ତ୍ରିଲୋଚନ କାନୁନ୍‌ଗୋ। ସବୁଜ, ଶ୍ୟାମଳ ପରିବେଶରେ ମୁଣ୍ଡ ଟେକିଥିବା ସେହି ମହାବିଦ୍ୟାଳୟ ଓଡ଼ିଶା କାହିଁକି, ସମଗ୍ର ଦେଶର ଏକ ଆଦର୍ଶ ମହାବିଦ୍ୟାଳୟ। ବସ୍ତୁତଃ ସ୍ୱପ୍ନକୁ ସାକାର କରିବା, ଅସମ୍ଭବକୁ ସମ୍ଭବ କରିବା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ତାଙ୍କ ଅଭିଧାନରେ ‘ଅସମ୍ଭବ’ ଶବ୍ଦ ସତେ କି ଥିଲା ଅନୁପସ୍ଥିତ!

ଏଇବର୍ଷ ଜାନୁଆରି ୮ ତାରିଖରେ ତାଙ୍କର କଲେଜ ପରିସରରେ ‘କଥା’ ପତ୍ରିକାର ଏକ ଲେଖକ ସମ୍ମେଳନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରସ୍ତାବ ଦେଇଥିଲେ ଯୁବ ଲେଖକ ଶ୍ରୀ ପ୍ରିୟବ୍ରତ ପାତ୍ର। ତା’କୁ କାର୍ଯ୍ୟକାରୀ କରିବା ଲାଗି ମୁଁ ‘କଥା’ର ପ୍ରଥମ ବର୍ଷର ନବପ୍ରତିଭା ପୁରସ୍କୃତା ତଥା ଏବର ସୁପ୍ରତିଷ୍ଠିତ ଲେଖିକା ଅଧ୍ୟାପିକା ହିରଣ୍ମୟୀ ମିଶ୍ରଙ୍କୁ ଅନୁରୋଧ କରିଥିଲି। ଅବଶ୍ୟ ସେ ଦାୟିତ୍ୱ ଶେଷକୁ ନିଜ ଆଡ଼କୁ ନେଇ ଯାଇଥିଲେ କଲେଜର ସୁଯୋଗ୍ୟ ଅଧ୍ୟକ୍ଷ ଡକ୍ଟର ଅରୁଣ ନାୟକ।

୨୦୨୩ ଜାନୁଆରି ୮ ତାରିଖର ସେଇ ଅନ୍ତରଙ୍ଗ କାର୍ଯ୍ୟକ୍ରମର ଦୃଶ୍ୟସବୁ ଆଜି ଆଖି ଆଗରେ ନାଚିଯାଉଛି। କି ଚମତ୍କାର ଆୟୋଜନ! କଲେଜର ମୁଖ୍ୟ ଫାଟକରେ ବିରାଟ ତୋରଣ। କଲେଜ ପ୍ରବେଶଦ୍ୱାର ପାଖରୁ ସଭାସ୍ଥଳ ପର୍ଯ୍ୟନ୍ତ ପ୍ରଲମ୍ବିତ ରେଡ୍ କାର୍ପେଟ୍। ସଭିଙ୍କ ପାଇଁ ଗୋଲାପ ଫୁଲର ଉପହାର। ସକାଳ ଜଳଖିଆ ଓ ମଧ୍ୟାହ୍ନର ଦିବ୍ୟ ଭୋଜନ। ଛାତ୍ରଛାତ୍ରୀମାନେ ଲେଖକଲେଖିକାଙ୍କୁ ଅଭିବାଦନ ଜଣାଇ ସମସ୍ତଙ୍କୁ ପାଛୋଟି ନେଲେ। ପ୍ରେକ୍ଷାଳୟ, ପୁଷ୍ପବାଟିକା ଏବଂ ଖୋଲା ପ୍ରାନ୍ତରରେ ବକ୍ତୃତା, କଥା, ଗଳ୍ପ ଆଲୋଚନା ଏବଂ ଖୁସିଗପ। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ଶେଷରେ ସୁଇମିଂପୁଲ୍ ପାଖରେ ବିଦାୟକାଳୀନ ଚା’-ପର୍ବ। ଏସବୁ ସମ୍ଭବ ହେଲା କିପରି? ବିସ୍ମିତ ହୋଇ ଏହାର ରହସ୍ୟ ଭେଦ ପାଇଁ ଚେଷ୍ଟା କରିବାରୁ ମୁଁ ଜାଣିଲି, ଏ ଅସମ୍ଭବ ପଛରେ ସେହି ସମ୍ଭବପୁରୁଷ ତ୍ରିଲୋଚନ କାନୁନ୍‌ଗୋଙ୍କର ଆଶୀର୍ବାଦ ଉପସ୍ଥିତ। ସିଏ କେବଳ ଏହି କାର୍ଯ୍ୟକ୍ରମକୁ ଆଶୀର୍ବାଦ ଦେଇ ଘରେ ରହିଯାଇ ନ ଥିଲେ, ଆମେ ଉଦୟନାଥ ମହାବିଦ୍ୟାଳୟ ପରିସରରେ ପହଞ୍ଚିବା ଆଗରୁ ନିଜର ଶାରୀରିକ ଅସୁସ୍ଥତା ଓ ଶୀତଦିନର ଥଣ୍ଡାକୁ ଭ୍ରୂକ୍ଷେପ ନ କରି ନିଜେ ସାଢ଼େ ନଅଟା ବେଳକୁ ଯାଇ ପହଞ୍ଚି ସାରିଥିଲେ। ସେଦିନ ସେ ଯୋଉ ଉଷ୍ମ ଆଦର ଏବଂ ଉଦାର ଆତିଥେୟତା ଆମ୍ଭମାନଙ୍କୁ ଉପହାର ଦେଇଥିଲେ ଓ ଆମମାନଙ୍କ ସଂପର୍କରେ ଯେଭଳି ପ୍ରଶଂସାପୂର୍ଣ୍ଣ ଉଚ୍ଚାରଣ ଭେଟି ଦେଇଥିଲେ ତାହା ଜୀବନରେ ଭୁଲିପାରିବି ନାହିଁ। ମୋ ଜାଣିବାରେ ଅନ୍ୟ କୋଉଠି ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କୌଣସି ଓଡ଼ିଆ ପତ୍ରିକା ଭାଗ୍ୟରେ ଆଜି ପର୍ଯ୍ୟନ୍ତ ଜୁଟି ନ ଥିବ!

ଏହାପରେ ଫେବ୍ରୁଆରି ୧୨ ତାରିଖରେ ତାଙ୍କର ନାତି ବାହାଘରରେ ଯୋଗଦେବାର ସୁଯୋଗ ଆସିଥିଲା। ତ୍ରିଲୋଚନ ବାବୁଙ୍କ କନ୍ୟା ଶୁଭଶ୍ରୀ ଯୁକ୍ତରାଷ୍ଟ୍ର ଆମେରିକାର ବାସିନ୍ଦା। ଏହି ପରିବାରର ନିମନ୍ତ୍ରଣକୁ ଏଡ଼ାଇଯିବା ସମ୍ଭବ ନ ଥିଲା। ବଡ଼ମୂଳେଇ ଗାଁରେ ସେଦିନ ଭବ୍ୟ ଉତ୍ସବର ପରିବେଶ। ପଦ୍ମଶ୍ରୀ ଉଚ୍ଛବ ଦାସଙ୍କ ଘୋଡ଼ାନାଚଠାରୁ ଆରମ୍ଭ କରି ପୋଖରୀରେ ହଂସ-ବତକଙ୍କ ସନ୍ତରଣର ଦୃଶ୍ୟ, ଓଡ଼ିଶାର ବହୁ ବିଶିଷ୍ଟ ଭଦ୍ରଲୋକଙ୍କ ଉପସ୍ଥିତି ସହ ଗ୍ରାମବାସୀଙ୍କ ପାନବଣ୍ଟା ବିଦେଶିନୀ ନବବଧୂଟିକୁ ଏକ କ୍ଷୁଦ୍ର ଭାରତ ଦର୍ଶନର ସୁଯୋଗ ଭେଟି ଦେଇଥିବ। ଏକାଧିକ ଜାଗାରେ ଆୟୋଜିତ ଭୋଜିଗୁଡ଼ିକର ଦୃଶ୍ୟ ଥିଲା ଏକ ଏକ ଛୋଟ ବାଲିଯାତ୍ରାର ଦୃଶ୍ୟ ପରି। ତାହା ତ୍ରିଲୋଚନ ବାବୁଙ୍କର ଲୋକପ୍ରିୟତାର ପରିଚୟ। ତାଙ୍କୁ ଦେଖା କରି ଏ ପ୍ରକାର ଆୟୋଜନର ଶ୍ରେୟ ଦେବାବେଳେ ସେ କହିଥିଲେ, ‘ଏସବୁ ପଞ୍ଚୁ (ଶ୍ରୀ ପଞ୍ଚାନନ କାନୁନ୍‌ଗୋ) କରିଛି।’ ହୁଏତ ସେ ଠିକ୍ କହିଥିବେ। ମାତ୍ର ଆଦର୍ଶ ବଡ଼ଭାଇମାନେ ସର୍ବଦା ସଫଳତାର ଶ୍ରେୟ ସାନ ଭାଇଙ୍କୁ ଦେଇଥାଆନ୍ତି ଓ ବିଫଳତାର ଦାୟିତ୍ୱ ନିଜେ ମୁଣ୍ଡାଇଥାଆନ୍ତି।

ଆଜି ସେସବୁ ସ୍ମୃତି! ତ୍ରିଲୋଚନ କାନୁନ୍‌ଗୋ ଆମ ଗହଣରୁ ବିଦାୟ ନେଇଯାଇଛନ୍ତି। ତାଙ୍କର ବିଦାୟ ସହିତ ଓଡ଼ିଶାର ଅର୍ଥନୀତି, ଉନ୍ନୟନ ଓ ବିକାଶକୁ ନେଇ ମୌଳିକ ବିଚାର ରଖୁଥିବା ଜଣେ ବୁଦ୍ଧିଜୀବୀଙ୍କର ମହାପ୍ରସ୍ଥାନ ଘଟିଛି।

ଧୀରେ ଧୀରେ ଓଡ଼ିଶାର ରାଜନୀତି ଓ ସମାଜସେବା ଆକାଶରୁ ମୂଲ୍ୟବୋଧରେ ବିଶ୍ୱାସୀ ତାରକାମାନେ ଅନ୍ତର୍ହିତ ହୋଇଯାଉଛନ୍ତି। ତ୍ରିଲୋଚନ କାନୁନ୍‌ଗୋ ସେହି ତାରକାଙ୍କ ମେଳରେ ଥିଲେ ଧ୍ରୁବତାରା - ଯିଏ ପଥଭ୍ରଷ୍ଟଙ୍କୁ ପଥ ଦେଖାଉଥିଲେ। ଧ୍ରୁବତାରାର ବିକଳ୍ପ ନ ଥିବା ପରି ତ୍ରିଲୋଚନ କାନୁନ୍‌ଗୋଙ୍କର ମଧ୍ୟ ବିକଳ୍ପ ନାହିଁ। ତାଙ୍କର ‘ସମ୍ବାଦ’ ଓ ଏହି ଲେଖକ ପ୍ରତି କେତେ ଶ୍ରଦ୍ଧା ସେ ଅଡ଼ଶପୁରର ସାଧାରଣ ସଭାରେ ସେଦିନ ପ୍ରକାଶ କରି ଋଣୀ କରିଯାଇଛନ୍ତି। ତାଙ୍କର ସେ ସମ୍ଭାଷଣର ଯଥାର୍ଥ ପ୍ରତ୍ୟୁତ୍ତର ଦେବା ମୋ’ ପକ୍ଷେ ସମ୍ଭବ ନୁହେଁ। ଏକଦା ଛାତ୍ର ଗୋଦାବରୀଶ ମହାପାତ୍ର ତାଙ୍କର ଶିକ୍ଷକ ତଥା ‘କାଳିଜାଈ’ର ବିଖ୍ୟାତ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ମହାପ୍ରୟାଣରେ ଯେଉଁ ପଦ କେତେଟି ଲେଖିଥିଲେ ସେଥିରୁ କେଇ ଧାଡ଼ି ଉଦ୍ଧାର କରି ମୁଁ ଶ୍ରୀ ତ୍ରିଲୋଚନ କାନୁନ୍‌ଗୋଙ୍କୁ ମୋର ଶବ୍ଦର ଶ୍ରଦ୍ଧାଞ୍ଜଳି ଜଣାଉଛି।

“ତୁମେ ତ ଜାଣିଲ ନାହିଁ କିଏ ଦେଲା ଗଳେ ଫୁଲମାଳା
ତୁମେ ତ ଦେଖିଲ ନାହିଁ କିଏ ତୁମ ପଛେ ପଛେ ଗଲା।
ଚରଣ ପରଶି କିଏ ମଥା ନୋଇଁ ଦେଲା ଅଶ୍ରୁ ଢାଳି
କେ କରିଲା ସଂକୀର୍ତ୍ତନ ତୁମ ନାମେ ଦେଇ କରତାଳି।
ତୁମେ ତ ଚାହିଁଲ ନାହିଁ ଆଖି ମେଲି କିଏ ହେଲା ଉଭା
ତୁମ ଶୁଭ୍ରତନୁ ପାଖେ କରଯୋଡ଼ି ବାଳ, ବୃଦ୍ଧ, ଯୁବା।
ତୁମେ ତ ହସିଲ ନାହିଁ, ତୁମ ଯିବା ପଥ ଧାରେ ଧାରେ
କାତରେ ଡାକିଲା ଜାତି ନିରାଶାର ଘୋର ଅନ୍ଧକାରେ।”

ମୋ: ୯୪୩୭୦୭୭୨୮୮

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe