‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ସଫଳତା ରାସ୍ତା ଧରିଛନ୍ତି ହିନା

Advertisment
‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ସଫଳତା ରାସ୍ତା ଧରିଛନ୍ତି ହିନା

ମୁମ୍ବାଇ:  ବେଳେ ବେଳେ ଜଣେ କଳାକାରଙ୍କୁ ପ୍ରସିଦ୍ଧି ହାସଲ କରିବା ପାଇଁ ସଂଖ୍ୟାଧିକ ପ୍ରକଳ୍ପରେ କାମ କରିବାକୁ ପଡ଼ିଥାଏ ତ ବେଳେ ବେଳେ କେହି ମଧ୍ୟ ଲେଉଟିଆ ଶାଗ କିଆରି ପରି ଗୋଟିଏ ମାତ୍ର ପ୍ରକଳ୍ପରୁ ଲଗାତାର ପ୍ରଶଂସା ଖୁଣ୍ଟି ଚାଲିଥା’ନ୍ତି। ଏ ପରିପ୍ରେକ୍ଷୀରେ ଟିଭି ଅଭିନେତ୍ରୀ ହିନା ଖାଁଙ୍କ ଅଭିନୟ ଜୀବନ ବେଶ୍ ରୋଚକ ଜଣାପଡ଼େ। ଦୀର୍ଘ ଆଠ ବର୍ଷ ଧରି ଗୋଟିଏ ମାତ୍ର ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ଏପରି ବାନ୍ଧି ରଖିଥିଲା ଯେ ତାଙ୍କ ସ୍ଥାନରେ ଅନ୍ୟ କୌଣସି ବିକଳ୍ପ ମୁହଁ ଚିନ୍ତାକରାଯାଇନଥିଲା। ସେହିପରି ସେ ମଧ୍ୟ ସେହି ସମୟ ତକ ଆଉ କୌଣସି ଧାରାବାହିକର ପ୍ରମୁଖ ଚରିତ୍ର ପ୍ରତି ଲାଳାୟିତ ନହୋଇ କେବଳ ‘ୟେ ରିସ୍ତା....’ରୁ ହିଁ ଆଶାନୁରୂପ ଖ୍ୟାତି, ଯଶ ଓ ପାରିଶ୍ରମିକ ପାଇବାରେ ସମର୍ଥ ହୋଇଥିଲେ। ଜାମ୍ମୁକାଶ୍ମୀରର ଶ୍ରୀନଗରରେ ୧୯୮୭ ଅକ୍ଟୋବର ୨ ତାରିଖରେ ଜନ୍ମିତ ହିନା ଶିକ୍ଷାରେ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ତାଙ୍କ ପାଠପଢ଼ାର ଶେଷ ବର୍ଷ ସଂଯୋଗବଶତଃ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଇଣ୍ଡିଆନ୍ ଆଇଡଲ-୨୦୦୮’ରେ ସେ ଭାଗ ନେବାର ସୁଯୋଗ ପାଇଥିଲେ। ସେଥିରେ ସେ ଶ୍ରେଷ୍ଠ ୩୦ ଜଣଙ୍କ ମଧ୍ୟରେ ରହିବା ହିଁ ତାଙ୍କୁ ସେହିବର୍ଷ ‘ୟେ ରିସ୍ତା...’ ଧାରାବାହିକ ପାଇଁ ଅଡ଼ିସନ୍ ଦେବାକୁ ଉତ୍ସାହିତ କରିଥିଲା।

publive-image

ସୌଭାଗ୍ୟକୁ ହାତୀ ତାଙ୍କ ମୁଣ୍ଡରେ ହିଁ ସୁନା କଳସ ଢ଼ାଳିଥିଲା ଏବଂ ସେହି ଅପ୍ରତ୍ୟାଶିତ ବିଶାଳ ପ୍ରକଳ୍ପରେ ସାମିଲ ହେବାକୁ ସେ ମୁମ୍ବାଇ ଚାଲି ଆସିଥିଲେ। ୨୦୦୯ରୁ ୨୦୧୬ ଯାଏ ସେହି ଧାରାବାହିକରେ ସେ ନିଭାଇଥିବା ଅକ୍ଷରା ଚରିତ୍ର ହିଁ ତାଙ୍କୁ ସ୍ବୟଂସଂପୂର୍ଣ୍ଣ କରିଦେଇଥିଲା। ଏହାପରେ ୨୦୧୮ରେ କଲର୍ସ ଟିଭିର ‘ବିଗ୍ ବସ୍-୧୧’ରେ ପ୍ରତିଯୋଗୀ ସାଜି ସେ ପ୍ରଥମ ଉପବିଜୟିନୀ ହୋଇଥିଲେ। ଏହି ଅବସରରେ ‘କୟାମତ’, ‘ଚାନ୍ଦ ଛୁପା ବାଦଲ ମେଁ’, ‘ଇସ୍ ପ୍ୟାର କୋ କ୍ୟା ନାମ ଦୁଁ’, ‘ତେରି ସହର ମେଁ’ ଓ ‘ବେପନ୍ନାହ’ ପରି କୋଡ଼ିଏ ସରିକି ବିଭିନ୍ନ ଧାରାବାହିକରେ ମଧ୍ୟ ଅତିଥି ଚରିତ୍ର ଭାବେ ସଂକ୍ଷିପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରେ ପରେ ‘ଭାସୂଡ଼ି’ ଓ ‘ରାଞ୍ଝାନା’ ପରି ଦୁଇଟି ପଞ୍ଜାବୀ ସଂଗୀତ ଭିଡିଓରେ ମୁହଁ ଦେଖାଇ ସେ ଦର୍ଶକଙ୍କୁ ଆପ୍ୟାୟିତ କରିଥିଲେ। ତେବେ ସେହିବର୍ଷ ‘କସୌଟି ଜିନ୍ଦଗି କେ’ ଧାରାବାହିକ ତାଙ୍କୁ ପୂର୍ବ ଲୋକପ୍ରିୟତା ବଜାୟ ରଖିବାରେ ସହାୟକ ହୋଇଥିଲା। ସେହିପରି ୨୦୨୦ରେ ‘ନାଗିନ-୫’ ଓ ୱେବ୍ ଧାରାବାହିକ ‘ଡ୍ୟାମେଜ୍ଡ-୨’ରେ ହିନାଙ୍କ ଉପସ୍ଥିତିକୁ ପ୍ରଶଂସକମାନେ ଖୁବ୍ ଗ୍ରହଣ କରିଥିଲେ। ଏଥି ସହିତ ୨୦୨୦ରେ ହିନ୍ଦୀ ଫିଲ୍ମ ‘ହ୍ୟାକ୍‌ଡ’ରେ ସେ ପ୍ରଥମ ପଦାର୍ପଣ କରି ସେହିବର୍ଷ ଅନ୍ୟତମ କ୍ଷୁଦ୍ର ହିନ୍ଦୀ ସିନେମା ‘ସୁମନ’ରେ ମଧ୍ୟ ସୁଯୋଗ ପାଇଥିଲେ। ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଭିଡିଓ ଆଲବମ୍ ‘ମେଁ ଭି ବରବାଦ’ରେ ସେ ଦର୍ଶକଙ୍କ ହୃଦ୍‌ସ୍ପନ୍ଦନ ସାଜିପାରିଥିଲେ। ତାଙ୍କର ଏଭଳି ଦକ୍ଷତା ପାଇଁ ସେ ୨୦୧୮ରେ ପ୍ରଖ୍ୟାତ ସମ୍ଭ୍ରାନ୍ତ ପତ୍ରିକା ଏଫଏଚ୍ଏମ୍‌ର ପ୍ରଚ୍ଛଦ ମଣ୍ଡନ କରିବା ସହ ୨୦୧୮ ଓ ୨୦୧୯ରେ ଟାଇମ୍‌ସ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଭାରତର ଶ୍ରେଷ୍ଠ ଆକାଂକ୍ଷିତ ମହିଳା ତାଲିକାରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe