ଦିନ ଥିଲା ଘରେ ମହିଳାମାନଙ୍କ ମନୋରଞ୍ଜନର ପ୍ରଥମ ପସନ୍ଦ ଥିଲା ଟେଲିଭିଜନ୍ରେ ସିରିୟଲ୍ ଦେଖିବା। ସେଥିପାଇଁ ବହୁ ଚାନେଲ୍ ମହିଳାଙ୍କ ଦୈନନ୍ଦିନ ଜୀବନର ସମସ୍ୟାକୁ ନେଇ ଧାରାବାହିକ ନିର୍ମାଣ କରୁଥିଲେ। ଆଉ ଘରର ପୁରୁଷମାନେ ଅଫିସ୍ରୁ ଫେରି ସଂଧ୍ୟା ୭ଟା ଓ ରାତି ୯ଟାର ଖବରକୁ ଉତ୍ସୁକତାର ସହ ଅପେକ୍ଷା କରୁଥିଲେ। କହିବାକୁ ଗଲେ ଖବର, ମନୋରଞ୍ଜନ ଓ ସୂଚନାର ଉତ୍ସ ଥିଲା ଟେଲିଭିଜନ୍। ହେଲେ ପ୍ରଯୁକ୍ତିରେ ପରିବର୍ତ୍ତନ ଆସିଲା ଓ ଲୋକଙ୍କ ହାତକୁ ଆସିଲା ଚବିଶଘଣ୍ଟିଆ ଇଣ୍ଟରନେଟ୍ ସଂଯୋଗଥିବା ସ୍ମାର୍ଟଫୋନ୍। ଏଥିସହିତ ଯୋଡ଼ିହୋଇଗଲା ସୋସିଆଲ୍ ମିଡିଆ। ଫଳରେ ଟେଲିଭିଜନ୍ କାର୍ଯ୍ୟକ୍ରମକୁ ୟୁଟ୍ୟୁବ୍ ଓ ଫେସ୍ବୁକ୍ରୁ ଦେଖିବାକୁ ପସନ୍ଦ କଲେ ଦର୍ଶକ। ନିର୍ଦ୍ଦିଷ୍ଟ ସମୟରେ ଟିଭି ସାମ୍ନାରେ ବସିବା ଜରୁରି ହେଲାନାହିଁ। ପୁଣି ଓଟିଟି ଲାଇଭ୍ ଷ୍ଟ୍ରିମିଂ ଓ ଡିଜିଟାଲ୍ ମିଡିଆର ବ୍ୟାପକ ବ୍ୟବହାର ଟେଲିଭିଜନ୍ ସେଟ୍ଠାରୁ ଲୋକଙ୍କୁ ଦୂରେଇ ଦେଇ େମାବାଇଲ୍ ସ୍କ୍ରିନ୍ମୁହାଁ କରିଦେଇଛି। ଫଳରେ ଟେଲିଭିଜନ୍ ସେଟ୍ର ଦୁନିଆ ଏବେ ସଂକୀର୍ଣ୍ଣ ହେବାରେ ଲାଗିଛି। ସୂଚନା ଅନୁସାରେ, ପେ-ଚାନେଲ୍ ସବ୍ସ୍କ୍ରାଇବର୍ଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି। ନିଲ୍ସେନ୍ ପକ୍ଷରୁ କରାଯାଇଥିବା ସର୍ଭେ ଦର୍ଶାଉଛି ଯେ ମେ ୨୦୨୧ରୁ ମେ ୨୦୨୫ ମଧ୍ୟରେ ଡିଟୁଏଚ୍ ଓ କେବୁଲ୍ ମାଧ୍ୟମରେ ଟିଭି ଦେଖିବା ହାର ଯଥାକ୍ରମେ ୨୧% ଓ ୩୯% ହ୍ରାସ ପାଇଛି। ସେହି ସମୟ ମଧ୍ୟରେ ଓଟିଟି ଷ୍ଟ୍ରିମିଂ ବ୍ୟବହାର ୭୧% ବୃଦ୍ଧି ଘଟିଛି।
ମନମୋହୁଛି ଷ୍ଟ୍ରିମିଂ ସେବା
ଓଟିଟିର ଅର୍ଥ ହେଉଛି ‘ଓଭର୍-ଦ-ଟପ୍’ ଏବଂ ଏହା ହେଉଛି ଏକ ଇଣ୍ଟର୍ନେଟ୍ ବାହିତ ୨୪ ଘଣ୍ଟିଆ ଷ୍ଟ୍ରିମଡ୍ କଣ୍ଟେଣ୍ଟ୍ ପରିବେଷଣ ଟେକ୍ନୋଲଜି। ପୁଣି ଟେଲିଭିଜନ୍ ଚାନେଲ୍ ଦେଖାଇପାରୁ ନଥିବା ବିଷୟବସ୍ତୁ, ଦୃଶ୍ୟ ଓ ଭାଷା ଓଟିଟିରେ ପ୍ରସାରିତ େହଉଛି। ଦର୍ଶକମାନଙ୍କୁ ମନୋରଞ୍ଜନ ପାଇଁ ନିର୍ଦ୍ଦିଷ୍ଟ ସମୟକୁ ଜଗିବସିବା ଆବଶ୍ୟକ ପଡୁନି। ସେମାନେ ଇଚ୍ଛା ମୁତାବକ ହାତପାଆନ୍ତାରେ ସ୍ମାର୍ଟଫୋନ୍, ଟାବ୍ଲେଟ୍, ଲାପ୍ଟପ୍ ଭଳି ବିଭିନ୍ନ ଡିଭାଇସ୍ରେ ଯେକୌଣସି ସ୍ଥାନରେ ବସି କାର୍ଯ୍ୟକ୍ରମ ଦେଖିପାରୁଛନ୍ତି। ନେଟ୍ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଏଚ୍ବିଓ ମ୍ୟାକ୍ସ, ଡିଜ୍ନିପ୍ଲସ୍, ହୁଲୁ ଓ ୟୁଟ୍ୟୁବ୍ର ଆବିର୍ଭାବ ଦର୍ଶକଙ୍କ ମିଜାଜ ବଦଳାଇ ଦେଇଛନ୍ତି।
ଶସ୍ତା ଓ ସହଜ
ଆଜିକାଲି କେବଲ୍ କିମ୍ବା ଡିଟୁଏଚ୍ ପ୍ୟାକେଜ୍ର ଦାମ୍ ଇଣ୍ଟରନେଟ୍ ପ୍ୟାକେଜ୍ଠାରୁ ମହଙ୍ଗା ହୋଇଯାଉଛି। ଫଳରେ ଅଧିକ ଗ୍ରାହକ ଘରକୁ କେବୁଲ୍ ଓ ସାଟେଲାଇଟ୍ ଟିଭି କନେକ୍ସନ୍ ନଆଣି ବିଭିନ୍ନ ପ୍ରକାର ଇଣ୍ଟର୍ନେଟ୍ ପ୍ୟାକେଜ୍ କିଣି ସ୍ମାର୍ଟଟିଭିରେ କାର୍ଯ୍ୟକ୍ରମ ଦେଖୁଛନ୍ତି। ଏହା ତୁଳନାତ୍ମକ ଭାବେ ଶସ୍ତା ହେଉଛି। ପୁଣି ଅନେକ ସ୍ଥଳରେ ଟିଭିର ଧାରାବାହିକରେ ଦୃଶ୍ୟ ପୁନରାବୃତ୍ତି ଏବଂ ବିଜ୍ଞାପନ ଦର୍ଶକଙ୍କୁ ବିରକ୍ତ କରୁଛି। ସେମାନେ ଟିଭି ପରଦାରେ ଷ୍ଟ୍ରିମିଂ ଦେଖିବାକୁ ପସନ୍ଦ କରୁଛନ୍ତି।
ମୋବାଇଲ୍ରେ ମନୋରଞ୍ଜନ
ପୁରୁଷ ହୁଅନ୍ତୁ କି ମହିଳା, ଆଜିକାଲି କର୍ମଜୀବୀଙ୍କ ସଂଖ୍ୟା ବଢୁଛି। ବିଭିନ୍ନ ବୃତ୍ତିକୁ ବି ଅନେକ ଆପଣାଉଛନ୍ତି। ଫଳରେ ନିର୍ଦ୍ଦିଷ୍ଟ ସମୟରେ ଘରେ ବସି ପରିବାର ସହ ଟିଭି ଦେଖିବାକୁ ସେମାନେ ସମୟ ପାଉନାହାନ୍ତି। ପୁଣି କାର୍ଯ୍ୟକ୍ରମର ସମୟ ଅତିବାହିତ ହୋଇଗଲେ ତାକୁ ଆଉଥରେ ଦେଖିବା ପାଇଁ ରିପିଟ୍ ଟେଲିକାଷ୍ଟକୁ ଅପେକ୍ଷା କରିବା ଧୈର୍ଯ୍ୟ ବି ସେମାନଙ୍କର ନାହିଁ। ଫଳରେ ମୋବାଇଲ୍ ଜରିଆରେ ସେମାନେ ନିଜ ପସନ୍ଦର କାର୍ଯ୍ୟକ୍ରମକୁ ଇଚ୍ଛା ମୁତାବକ ଦେଖିପାରୁଛନ୍ତି। ଏହା ଭାରତରେ ସ୍କ୍ରିନ୍ ଟାଇମ୍ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
୨୦୨୫ ମସିହା ଆକଳନ ଅନୁସାରେ, ଭାରତରେ ୧୬ରୁ ୬୪ ବର୍ଷ ବୟସ୍କ ବର୍ଗ ଦୈନିକ ହାରାହାରି ଇଣ୍ଟର୍ନେଟ୍-ସଂଯୁକ୍ତ କାର୍ଯ୍ୟକଳାପରେ ୬ଘଣ୍ଟା ୪୯ ମିନିଟ୍ ଅତିବାହିତ କରୁଛନ୍ତି। ୮ରୁ୧୮ ବର୍ଷ ବୟସ୍କ କିଶୋର ଦୈନିକ ହାରାହାରି ୪ରୁ ୫ ଘଣ୍ଟା ସ୍କ୍ରିନ୍ରେ ବିତାଉଛନ୍ତି। ଜୁଲାଇ ୨୦୨୫ରେ ପ୍ରକାଶିତ ମେଟା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୫ ବର୍ଷରୁ କମ୍ ବୟସ୍କ ପିଲାମାନେ ପ୍ରତିଦିନ ହାରାହାରି ୨.୨ ଘଣ୍ଟା ମୋବାଇଲ୍ ସ୍କ୍ରିନ୍ରେ ବିତାଉଛନ୍ତି।
Follow Us