ନୂଆଦିଲ୍ଲୀ: ସମୟସମୟରେ ଛୋଟ ପିଲାଙ୍କ କାମ ଦେଖି ବଡ଼ଲୋକମାନେ ପ୍ରଶଂସା କରି ରହିପାରି ନଥାଆନ୍ତି। ନିକଟରେ ୯ବର୍ଷର ଦୁଇଜଣ ପିଲା ଜଣେ ବୃଦ୍ଧାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଏହି ଦୁଇପିଲାଙ୍କ ମଧ୍ୟରୁ ଜଣଙ୍କ ନାମ ନିତିନ ଥିବା ବେଳେ ଅନ୍ୟ ଜଣକଙ୍କ ନାମ ନିତିଶ ବୋଲି ଜଣାପଡ଼ିଛି। ଏଦୁହେଁ ଯାଆଁଳା।
ତାମିଲନାଡୁର କୋଥାମଙ୍ଗାଲାନ ଗ୍ରାମରେ ଏଭଳି ଏକ ଘଟଣା ଘଟିଛି। ୭୦ବର୍ଷୀୟ ଶୁଭାଲକ୍ଷ୍ମୀ ଚାଲି ପାରନ୍ତି ନାହିଁ। ବହୁତ କଷ୍ଟରେ ସରକାରୀ ରାସନ ଦୋକାନରୁ ୨,୫୦୦ଟଙ୍କା, ପୋଙ୍ଗଲ ଉପହାର ଆଦି ଆଣିବାକୁ ଯାଉଥିଲେ। ବୃଦ୍ଧାଙ୍କୁ କଷ୍ଟରେ ଚାଲୁଥିବା ଦେଖି ୯ବର୍ଷର ନିତିନ ଓ ନିତିଶ ଦୁଇ ଯାଆଁଳା ପିଲା ଯାଇ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଶୁଭାଲକ୍ଷ୍ମୀ ସହିତ ତାଙ୍କ ଝିଅ ବି ଥିଲା। କିନ୍ତୁ ଝିଅର ମାନସିକସ୍ତିତି ଠିକ ନଥିବା ସ୍ଥାନୀୟଲୋକେ କହିଛନ୍ତି।
ଚାଲୁଚାଲୁ ସେ ସମ୍ପୂର୍ଣ୍ଣ ଭାବେ ଥକି ପଡ଼ିଥିଲେ। ଆଉ ଆଗକୁ ଯିବାକୁ ତାଙ୍କ ପାଖରେ ବଳ ନଥିଲା। ଏହାଦେଖି ଶିଶୁ ଦୁଇଘରକୁ ଯାଇ ଠେଲାଗାଡ଼ି ନେଇ ଆସିଥିଲେ। ଏଥିରେ ବୃଦ୍ଧଙ୍କୁ ଶୁଆଇ ଦେଇ ରାସନ ଦୋକାନ ପର୍ଯ୍ୟନ୍ତ ନେଇ ପହଞ୍ଚାଇ ଦେଇଥିଲେ ନିତିନ ଓ ନିତିଶ।
ସେଠାରେ ପୋଙ୍ଗଲ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୦୦ଟଙ୍କା ସହିତ ଏକ କିଲୋ ଚିନି, ଏକ କିଲୋ ଚାଉଳ, ଗୋଟିଏ ଶାଢ଼ି ଓ ଧୋତି ଦିଆଯାଉଥିଲା। ଏସବୁ ସାମଗ୍ରୀ ନେବାପରେ ପୁଣି ନିତିନ ଓ ନିତିଶ ବୃଦ୍ଧା ଶୁଭାଲକ୍ଷ୍ମୀଙ୍କୁ ଉକ୍ତ ଠେଲା ଗାଡ଼ିରେ ଶୁଆଇ ଘର ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ।
Follow Us