ନୂଆଦିଲ୍ଲୀ: ଇତିହାସ ରଚିଲେ ଦୁଇ ମହିଳା ପାଇଲଟ। ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ଭାଗ ନେଲେ ଭାରତୀୟ ବାୟୁସେନାର ଦୁଇ ମହିଳା ପାଇଲଟ। ଜଣେ ହାଲୁକା ଯୁଦ୍ଧ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ସୁଖୋଇ-୩୦ ଯୁଦ୍ଧ ବିମାନର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ଜଣେ ପ୍ରଥମ ମହିଳା ଭାବେ ରାଜପଥ ଉପରେ ଫ୍ଲାଇପାଷ୍ଟରେ ସାମିଲ ହୋଇଥିଲେ।
ଏହି ଦୁଇ ମହିଳା ପାଇଲଟଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିହାର ଦରଭଙ୍ଗାର ଝିଅ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କାନ୍ତ ଏବଂ ଅନ୍ୟ ଜଣେ ରାଜସ୍ଥାନ ନଗଉର ଜିଲ୍ଲାର ଝିଅ ଫ୍ଲାଇଟ ଲେପ୍ଟନାଣ୍ଟ ସ୍ୱାତୀ ରାଠୋର। ଭାବନା ହାଲୁକା ଯୁଦ୍ଧ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ସୁଖୋଇ-୩୦ ଯୁଦ୍ଧ ବିମାନର ଯୁଦ୍ଧ କୌଶଳ ପ୍ରଦର୍ଶନରେ ସାମିଲ ହୋଇଥିବା ବେଳେ ଫ୍ଲାଇଟ ଲେପ୍ଟନାଣ୍ଟ ସ୍ବାତୀ ଏମଆଇ-୧୭ ଭି୫ ହେଲିକପ୍ଟର ଉଡ଼ାଇଥିଲେ।
DNA Indiaଭାବନାଙ୍କର ପିଲାଟି ଦିନରୁ ପରେଡରେ ଭାଗ ନେବାର ଆଗ୍ରହ ଥିଲା । ଏବେ ତାଙ୍କର ଏହି ସ୍ବପ୍ନ ସାକାର ହୋଇଛି । ବାୟୁସେନାରେ ଏବେ ସେ ମିଗ୍-୨୧ ଯୁଦ୍ଧ ବିମାନ ଚଳାଉଥିବା ବେଳେ ଆଗକୁ ରାଫେଲ୍ ଆଉ ସୁଖୋଇ ଯୁଦ୍ଧ ବିମାନକୁ ଉଡାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଭାବନାଙ୍କ ଜନ୍ମ ବିହାରର ଦରଭଙ୍ଗା ଜିଲ୍ଲାରେ । ତାଙ୍କର ପିଲାଦିନ ମଧ୍ୟ ସେଠାରେ କଟିଛି । ତେବେ ଆଗକୁ ପଢିବା ପାଇଁ ସେ ବାଙ୍ଗାଲୋର ଚାଲିଆସିଥିଲେ । ସେଠାରେ ଭାବନା ଇଂଜିନିୟରିଂ ପଢିଥିଲେ । ୨୦୧୫ରେ ଭାରତୀୟ ବାୟୁସେନା ନିଜର ଫାଇଟର ଷ୍ଟ୍ରିମରେ ମହିଳାଙ୍କୁ ସାମିଲ କରିବାକୁ ଘୋଷଣା କରିଥିଲା । ବାସ୍ ସେତିକି ବେଳେ ବାୟୁସେନାରେ ସାମିଲ ହୋଇଯାଇଥିଲେ ଭାବନା । ସେବେଠାରୁ ସେ ବାୟୁସେନାରେ ଜଣେ ମହିଳା ଫାଇଟର ପାଇଲଟ୍ ଭାବେ କାମ କରୁଛନ୍ତି । ତେବେ ପ୍ରଥମ କରି ସେ ଗଣତନ୍ତ୍ର ଦିବସରେ ଯୁଦ୍ଧ ବିମାନ ଉଡାଇ ଇତିହାସ ରଚିଛନ୍ତି।
ସେହିଭଳି ସ୍ବାତୀ ରାଠୋର ମଧ୍ୟ ରାଜସ୍ଥାନର ନଗଉର ଜିଲ୍ଲାର ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ ଏବଂ ଅଜମେରରୁ ତାଙ୍କ ସ୍କୁଲ ପାଠପଢ଼ା ଶେଷ କରିଥିଲେ। ବିମାନ ଚଳାଇବା ନେଇ ସ୍ବାତୀଙ୍କ ଇଚ୍ଛା ଥିବାରୁ ସେ ତାଙ୍କ ପାଠପଢ଼ା ସମୟରେ ଏନସିସି ଏୟାର ୱିଙ୍ଗରେ ଯୋଗ ଦେଇଥିଲେ। ଏହା ପରେ ୨୦୧୩ରେ ସ୍ବାତୀ, ବାୟୁସେନାରେ ପ୍ରବେଶ ଲାଗି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୪ରେ ତାଙ୍କୁ ଏୟାରଫୋର୍ସ ସିଲେକ୍ସନ ବୋର୍ଡ ପକ୍ଷରୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଏହା ପରେ ତାଙ୍କୁ ବାୟୁସେନାରେ ସାମିଲ ହେବାର ସୁଯୋଗ ମିଳିଥିଲା। ଅନେକ ଅପରେସନରେ ସାମିଲ ହୋଇଥିବା ସ୍ବାତୀଙ୍କୁ ୨୦୧୮ରେ ହୋଇଥିବା କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଥିଲା।
Follow Us