ନୂଆଦିଲ୍ଲୀ: ୧୯ଦିନ ହେଲାଣି ୟୁକ୍ରେନବାସୀଙ୍କୁ କଲବଲ କରୁଛି ରୁଷ। ୩ଥର ଶାନ୍ତି ଆଲୋଚନା ବିଫଳ ହେବା ପରେ ରୁଷ ଯୁଦ୍ଧକୁ ତୀବ୍ର କରିବାରେ ଲାଗିଛି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ନିଜ ପରିବାର ଲୋକଙ୍କ ମୃତ୍ୟୁ ଖବର ଲୋକଙ୍କୁ ସୋସିଆଲ ମିଡିଆରୁ ଜଣାପଡ଼ୁଛି। ଏଭଳି ଏକ ଘଟଣା ୟୁକ୍ରେନରେ ଘଟିଥିବା ନେଇ ସାମ୍ନାକୁ ଆସିବା ସହ ଯୁବକଜଣକ ନିଜ ପତ୍ନୀ ଓ ପିଲାଙ୍କ ମୃତ୍ୟୁ ଖବର ଟ୍ବିଟରରୁ ପାଇଥିବା ଜଣାପଡ଼ିଛି।
ସୂଚନ ମୁତାବକ, ଜଣେ ୟୁକ୍ରେନୀୟ ମହିଳା, ତାଙ୍କର ଦୁଇ ପିଲା ଏବଂ ଜଣେ ଚର୍ଚ୍ଚ ଭଲ୍ୟୁଣ୍ଟର ରୁଷୀୟ ସେନାର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଚର୍ଚ୍ଚ ଭଲ୍ୟୁଣ୍ଟର ମହିଳା ଏବଂ ଦୁଇ ପିଲାଙ୍କୁ କିବରୁ ବାହାର କରିବା ପାଇଁ ସାହାଯ୍ୟ କରୁଥିବା ବେଳେ ରୁଷର ମୋର୍ଟାର ମାଡ଼ରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ପତ୍ନୀ ଓ ପିଲାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜାଣିନଥିଲେ ସ୍ବାମୀ ସେରେହୀ ପେରେବିନିସ। ମୃତ୍ୟୁର କିଛି ଘଣ୍ଟା ପରେ ନିଉ ୟର୍କ ଟାଇମ୍ସ ସେମାନଙ୍କ ଫଟୋ ଟ୍ବିଟ କରିବା ପରେ ସେରେହୀ ପେରେବିନିସଙ୍କୁ ମୃତ୍ୟୁ ଖବର ମିଳିଥିଲା।
ପେରେବିନିସ୍ କହିଛନ୍ତି ଯେ, ରୁଷର ବୋମା ମାଡ଼ରେ ସେ ରହୁଥିବା ଘର ନଷ୍ଟ ହୋଇଯାଇଥିଲା। ଏହା ପରେ ପେରେବିନିସ୍ ତାଙ୍କ ଅସୁସ୍ଥ ମା’ଙ୍କର ଯତ୍ନ ନେଉଥିବା ବେଳେ ତାଙ୍କ ପତ୍ନୀ ପିଲାମାନଙ୍କୁ ସହରରୁ ବାହାରକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ କିବରୁ ବାହାରକୁ ଯିବା ବାଟରେ ରୁଷ ସେନା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା।
Follow Us