ନୂଆଦିଲ୍ଲୀ: ଲାଇସେନ୍ସ ଭୁଲି ନାହିଁ ତ, ତରବର ହୋଇ ହେଲମେଟ ଘରେ ଛାଡ଼ି ନି ତ , ଗାଡ଼ିର ପ୍ରଦୂଷଣ କାଗଜର ସମୟ ପାର ହୋଇ ଯାଇନି ତ ଇତ୍ୟାଦି ଇତ୍ୟାଦି ଆଦି ଉପରେ ଗାଡ଼ି ଚାଳକମାନେ ଘରୁ ଗାଡ଼ି ବାହାର କରିବା ପୂର୍ବରୁ ବିଶେଷ ଧ୍ୟାନ ଦେଉଛନ୍ତି। କାରଣ ଏସବୁ ନଥିଲେ ପୁଲିସ ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। କିନ୍ତୁ କିଛି ପୁଲିସଙ୍କ କ୍ଷେତ୍ରରେ ଏହାର ଓଲଟା ଘଟଣା ଦେଖିବାକୁ ମିଳୁଛି।
ନିକଟରେ କିଛି ପୁଲିସ କର୍ମଚାରୀମାନେ ବିନା ହେଲମେଟରେ ରାସ୍ତାରେ ଗାଡ଼ି ଚଲାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା। ଏମିତି ଦୁଇଜଣ ପୁଲିସ କର୍ମଚାରୀଙ୍କୁ ରାସ୍ତାରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦେଖି ମା’ ଓ ଝିଅ ତାଙ୍କ ପଛରେ ଗୋଡାଇ ଥିଲେ।
ପ୍ରାୟ ଏକ କିଲୋମିଟର ପୁଲିସର ପଛରେ ଗୋଡ଼ାଇ ଗୋଡାଇ ପ୍ରଶ୍ନ କରିଥିଲେ, ଆପଣମାନଙ୍କ ପାଇଁ କ’ଣ କୌଣସି ନିୟମ ନାହିଁ। ସଡ଼କ ନିୟମ କ’ଣ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି? ଆପଣମାନଙ୍କ ହେଲମେଟ କାହିଁ? ଆମେ ଯଦି ବିନା ହେଲମେଟରେ ଯାଉଛୁ, ସଙ୍ଗେସଙ୍ଗେ ଚାଲାଣ କାଟି ଦେଉଛନ୍ତି। ଆଉ ଆପଣମାନେ ଏବେ କ’ଣ କରୁଛନ୍ତି? ଖରାପ ଲାଗୁ ନାହିଁ।
ମା’ ଓ ଝିଅଙ୍କ ଏଭଳି ପ୍ରଶ୍ନ ଶୁଣି ବାଇକରେ ଥିବା ଦୁଇଜଣ ପୁଲିସ କର୍ମଚାରୀ କୌଣସି ଉତ୍ତର ନେଦେଇ ସାଇରନ ବଜାଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ।
ଏହି ଘଟଣାର ଭିଡିଓ ପୋଷ୍ଟ ହେବାପରେ ପୁଲିସ ଉକ୍ତ ବାଇକର ଚାଲାଣ କାଟିଥିବା ବେଳେ ଗାଡ଼ିର ମାଲିକ ଉତ୍ତରପ୍ରଦେଶର ଗାଜିଆବାଦର ବସିନ୍ଦା ବୋଲି ଜଣାପଡ଼ିଛି। ତେବେ ବାଇକରେ ବସିଥିବା ଦୁଇଜଣ ପୁଲିସଙ୍କ ପରିଚୟ ଓ ସେମାନେ କେଉଁ ଥାନାରେ କାମ କରନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା। ପୁଲିସ ଭିଡିଓ ଜରିଆରେ ତାହା ଚିହ୍ନଟ କରିବାକୁ ଚେଷ୍ଟା କରୁଛି।
Follow Us