ନୂଆଦିଲ୍ଲୀ: କାଲିଫର୍ଣ୍ଣିଆର ମରୁଭୂମିରୁ ଏକ ପ୍ରେମୀଯୁଗଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ଚିକିତ୍ସା ପରେ ଉଭୟ ସୁସ୍ଥ ଅଛନ୍ତି।
ଦକ୍ଷିଣ କାଲିଫର୍ଣ୍ଣିଆର ଜୋସୁଆ ଟ୍ରି ନ୍ୟାସନାଲ ପାର୍କ ମରୁଭୂମିକୁ ଟ୍ରାକିଂ ପାଇଁ ଯାଇଥିବା ଏକ ପ୍ରେମୀଯୁଗଳଙ୍କ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଫଟୋରେ ପ୍ରେମିକ ଜଣକ ମରୁଭୂମିରେ ଛାଇ ହୋଇ ପ୍ରେମିକାଙ୍କୁ ବଞ୍ଚାଇଥିବା ଦେଖିବାକୁ ମିଳିଛି।
ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିବା ରିଭରସାଇଡ କାଉଣ୍ଟି ସେରିଫ ଅଫିସ ପକ୍ଷରୁ ପ୍ରକାଶ ଯେ, ଜଣେ ବ୍ୟକ୍ତି ୯୧୧କୁ କଲ କରି ପୁଲିସକୁ କହିଥିଲେ ତାଙ୍କ ପ୍ରେମିକା ଅତ୍ୟଧିକ ଗରମ ଓ ପାଣି ଅଭାବ ହେତୁ ଅଚେତ ହୋଇ ପଡ଼ିଛି। ଏହି ସୂଚନା ପାଇବା ପରେ ଅଧିକାରୀମାନେ ହେଲିକପ୍ଟର ପଠାଇ ମରୁଭୂମିରେ ଫସିଥିବା ପ୍ରେମୀଯୁଗଳଙ୍କୁ ଉଦ୍ଧାର କରିଥିଲେ। ଯେତେବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ସେମାନେ ଦେଖିବାକୁ ପାଇଥିଲେ ପ୍ରେମୀଯୁଗଳ ଥିବା ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ଶୁଖିଲା ପଡ଼ିଛି। ଦୂରଦୂର ପର୍ଯ୍ୟନ୍ତ ପାଣିର କୌଣସି ସନ୍ଧାନ ନାହିଁ।
ରିଭରସାଇଡ କାଉଣ୍ଟି ସେରିଫ ଅଫିସର ଏଭିଏସନ ୟୁନିଟ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଏକ ହେଲିକପ୍ଟର ଚଟାଣରେ ଶୋଇପଡ଼ିଥିବା ପ୍ରେମୀଯୁଗଳଙ୍କ ଆଡକ ଆଗକୁ ବଢ଼ୁଛି। ଏହି ସମୟରେ ପ୍ରେମିକ ଜଣକ ତାଙ୍କ ଅଚେତ ପ୍ରେମିକାଙ୍କୁ ଖରାରୁ ରକ୍ଷା କରିବା ପାଇଁ ତାଙ୍କ ଉପରେ ଶୋଇପଡ଼ିଥିଲେ। ଏହି ଉଦ୍ଧାରକାର୍ଯ୍ୟ ଜୁନ ୯ ତାରିଖରେ ହୋଇଥିଲା।
Follow Us