‘ଜାତିର ପୁନରୁଦ୍ଧାର ଆମ୍ଭମାନଙ୍କର ବୀଜମନ୍ତ୍ର ହେଉ’

Advertisment
ଏପ୍ରିଲ ୨୮ରେ ସ୍ବାଭିମାନ ଦିବସ କାର୍ଯ୍ୟକ୍ରମ ବାତିଲ

odisha.gov.in

୧୯୦୮ ମସିହା ଅପ୍ରେଲ ମାସ ୧୮ ଓ ୧୯ ତାରିଖ ପୁରୀ ଠାରେ ଉତ୍କଳ ସମ୍ମିଳନୀର ପଞ୍ଚମ ଅଧିବେଶନ। ସୁରଙ୍ଗୀରାଜା ଅଧିବେଶନର ସଭାପତି, ଅଭ୍ୟର୍ଥନା ସମିତିର ସଭାପତି ପାରିକୁଦର ରାଜା ଗୌରଚନ୍ଦ୍ର ମାନସି˚ହ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ, ସମ୍ପାଦକ ବାବୁ ଜଗବନ୍ଧୁ ସି˚ହ। ତରୁଣ ସମାଜସେବୀ ଗୋପବନ୍ଧୁ ଓ ଜଗବନ୍ଧୁଙ୍କ ଠାରୁ ରାଜା ଜମିଦାର ପର୍ଯ୍ୟନ୍ତ, ସମ୍ମିଳନୀ ମଣ୍ତପରେ ସମସ୍ତଙ୍କର ସମାବେଶ। ସେଥିପାଇଁ ଏଥର ସମ୍ମିଳନୀରେ ଗୋଟାଏ ନୂତନ ଉତ୍ସାହ ଉଦ୍ଦୀପନା ଲକ୍ଷ୍ୟ କରାଯାଉଥିଲା। ସମ୍ମିଳନୀର କାର୍ଯ୍ୟକ୍ରମକୁ ସହର ମାନଙ୍କରେ ସୀମିତ ନ ରଖି, ଗ୍ରାମାଞ୍ଚଳକୁ ତାହା ପ୍ରସାରିତ କରିବା ଉଦ୍ଦେଶ୍ୟରେ ଗ୍ରାମ୍ୟ ସମିତି ଗଠନ ପାଇଁ ଏହି ଅଧିବେଶନରେ ଗୃହୀତ ହୋଇଥିଲା ପ୍ରସ୍ତାବ।

ସମ୍ମିଳନୀର ନୂତନ ଉଜ୍ଜୀବନ ଲକ୍ଷ୍ୟ କରି, ସଭାପତି ତାଙ୍କ ଭାଷଣରେ କହିଲେ, ‘‘ଆଜି ସମ୍ମିଳନୀର ବିଦ୍ୟାରମ୍ଭର ଦିନ।’’

କିନ୍ତୁ ବିଦ୍ୟାରମ୍ଭର ମନ୍ତ୍ର କାହିଁ? କିଏ ହେବ ତାର ମନ୍ତ୍ରଗୁରୁ? କିଏ ଦେବ ତାକୁ ଦୀକ୍ଷା?

ମଧୁସୂଦନ ତାଙ୍କ ଭାଷଣରେ କହିଲେ, ‘‘ବଡ଼ ଦେଉଳ ବାଲିରେ ପୋତି ହୋଇ ପଡ଼ିଥିଲା। ରାଜାଙ୍କ ଘୋଡ଼ାଟାପୁ ବାଜିବାରୁ ରାଜା ତାକୁ ପୁନରୁଦ୍ଧାର କରିଥିଲେ। ଏହି ସ୍ଥାନରେ ବଡ଼ଦେଉଳକୁ ଚାହଁ ଓ ଜାତିର ପୁନରୁଦ୍ଧାର କର। ଏହା ଆମ୍ଭମାନଙ୍କର ବୀଜମନ୍ତ୍ର ହେବା ଆବଶ୍ୟକ। ଏହିଠାରେ ଆମ୍ଭେମାନେ ଉତ୍କଳ ଜନନୀ ତଥା ଭାରତ ଜନନୀର କ୍ରୋଡ଼ରେ ବସିଥାଇଁ। ସମସ୍ତେ ଏହି କଥା ଭାବ ଓ ପ୍ରତିଜ୍ଞା କର... ‘‘ମୁଁ ଏହି ସଭାରେ ଦୃଢ଼ ପ୍ରତିଜ୍ଞା କରୁଅଛି ଯେ, ମୁଁ ପ୍ରତିଦିନ ପାଞ୍ଚ ମିନିଟି ଦେଶର କଥା ଭାବିବି ଏବ˚ ସମ୍ମିଳନୀ ସକାଶେ, ଉତ୍କଳ ନିମନ୍ତେ ଓ ଭାରତ ନିମନ୍ତେ ଅନ୍ତତଃ ପାଞ୍ଚ ମିନିଟ ସମୟ ବ୍ୟୟ କରିବି। ଏ ମନ୍ତ୍ର ସମସ୍ତେ ପାଟି କରି କୁହ! ଏହା ସମ୍ମିଳନୀର ବିଦ୍ୟାରମ୍ଭ।’’

ସମ୍ମିଳନୀରେ ଯୋଗ ଦେଇଥିବା ପାଞ୍ଚ ହଜାର ଜନତା ମନ୍ତ୍ରମୁଗ୍ଧ ପରି ଦଣ୍ତାୟମାନ ହୋଇ ଏହି ମନ୍ତ୍ର ସେଦିନ ଉଚ୍ଚ କଣ୍ଠରେ ଆବୃତ୍ତି କରିଥିଲେ। ମଧୁସୂଦନ ସେଦିନ ଆଚାର୍ଯ୍ୟ ସ୍ବରୂପ ଉତ୍କଳୀୟମାନଙ୍କୁ ଦେଶସେବାର ଏହି ଗାୟତ୍ରୀମନ୍ତ୍ରରେ ଦୀକ୍ଷିତ କରାଇଥିଲେ।

(ସୁରେନ୍ଦ୍ର ମହାନ୍ତିଙ୍କ ଦ୍ବାରା ରଚିତ ‘କୁଳବୃଦ୍ଧ’ ପୁସ୍ତକରୁ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe