ଅଫେରା ପଥରେ ଅଜିତ : ‘ସହରୀ ବାଘ’ଙ୍କ ପରେ ‘ହାକିମ ବାବୁ’, ସତେ ଯେମିତି ଡକାଡକି ହୋଇ ଚାଲିଗଲେ

Advertisment
ଅଫେରା ପଥରେ ଅଜିତ : ‘ସହରୀ ବାଘ’ଙ୍କ ପରେ ‘ହାକିମ ବାବୁ’, ସତେ ଯେମିତି ଡକାଡକି ହୋଇ ଚାଲିଗଲେ

‘ସିନ୍ଦୂର ବିନ୍ଦୁ’ ଦେଇ ରୁପେଲି ପରଦାକୁ ପ୍ରବେଶ କରିଥିଲେ। ‘ହାକିମ ବାବୁ’ ସାଜି ରାଜ୍‌ କଲେ। ‘ମମତାର ଡୋରି’ରେ ଦର୍ଶକଙ୍କ ହୃଦୟରେ ବାନ୍ଧି ହେଲେ। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅଫେରା ରାଇଜକୁ ବାହୁଡ଼ି ଗଲେ। ନିକଟରେ ବିଜୟ ମହାନ୍ତିଙ୍କ ବିୟୋଗରେ ମ୍ରିୟମାଣ ଅଜିତ କହିଥିଲେ, ବନ୍ଧୁ ମୋର ଚାଲିଗଲେ। ସେ ଗଲା ପରେ ମୁଁ ଏକା କ’ଣ କରିବି? ମତେ ଭାରି ବ୍ୟସ୍ତ ଲାଗୁଛି। ସତେ ଯେମିତି ‘ସହରୀ ବାଘ’ଙ୍କ ପରେ ‘ହାକିମ ବାବୁ’ ଡକାଡକି ହୋଇ ଚାଲିଗଲେ।

‘ହାକିମ ବାବୁ’ର କାହ୍ନୁ ମାଝି
ହାକିମ ବାବୁ ଚଳଚ୍ଚିତ୍ର ଥିଲା ଅଜିତ ଦାସଙ୍କ ଜୀବନର ଶ୍ରେଷ୍ଠ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଯୋଜକ ଅମିୟ ପଟ୍ଟନାୟକ ରାଉରକେଲାରୁ ଆସି ଅଜିତଙ୍କ ପାଖେ ପହଞ୍ଚିଲେ। ପରେ ଦୁହେଁ କାହାଣୀ ପାଇଁ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକଙ୍କ ପାଖକୁ ଗଲେ। ଶ୍ରୀ ପଟ୍ଟନାୟକ କହିଲେ, ତୁମେ କେଉଁ ସ୍ଥାନରେ ସୁଟିଂ କରିବ, ଦେଖିସାରିବା ପରେ ମୁଁ କାହାଣୀ ଲେଖିବି। କେନ୍ଦୁଝରର ଏକ ପାହାଡ଼ିଆ ଅଞ୍ଚଳ ଚୟନ କରାଯିବା ପରେ ଶ୍ରୀ ପଟ୍ଟନାୟକ କାହାଣୀ ଲେଖିଲେ। ଏହାର ସଂଳାପ ରଚନା କଲେ ଡ. ବିଜୟ ମିଶ୍ର। ନିର୍ଦେଶନା ଭାର ନେଲେ ପ୍ରଣବ ଦାସ। ପରେ ଫିଲ୍ମ‌ରେ କାହ୍ନୁ ମାଝି ଚରିତ୍ରରେ ବିଜୟ ମହାନ୍ତିଙ୍କୁ ନେବା ପାଇଁ ଅଜିତ ଦାସ ମନସ୍ଥ କଲେ। ଶେଷ‌ରେ ଅଜିତ୍‌ଙ୍କୁ ହିଁ କାହ୍ନୁ ମାଝିର ଚରିତ୍ର ଦିଆଗଲା। ଏହି ଚଳଚ୍ଚିତ୍ର ରାଜ୍ୟ ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କଲା।

ପ୍ରଥମ ଫିଲ୍ମରେ ଖଳାନାୟକ
ଏନ୍‌ଏସ୍‌ଡିରୁ ଉତ୍ତୀର୍ଣ୍ଣ ହୋଇ ଫେରିବା ବେଳକୁ ଓଡ଼ିଆ ଫିଲ୍ମରେ ପ୍ରଶାନ୍ତ ନନ୍ଦ ଓ ଶ୍ରୀରାମ ପଣ୍ଡାଙ୍କ ଦବ୍‌ଦବା ଥାଏ। ତେଣୁ ଅଜିତ ଦାସ ଓଡ଼ିଶା ଫେରିବା ପରେ ଧୀର ବିଶ୍ବାଳ ତାଙ୍କୁ ପ୍ରଥମ ଫିଲ୍ମ ‘ସିନ୍ଦୂର ବିନ୍ଦୁ’ରେ ଖଳନାୟକ ଚରିତ୍ରରେ ସୁଯୋଗ ଦେଲେ। ୧୯୭୬ରେ ତାଙ୍କର ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଆଉ ଦୁଇଟି ଚଳଚ୍ଚିତ୍ରରେ ମଧ୍ୟ ସେ ଖଳନାୟକ ଭାବେ ଅବତୀର୍ଣ୍ଣ ହେଲେ। ଖଳନାୟକର ଛାପ ଲାଗିଯିବାରୁ ସେ ଆଉ ଫିଲ୍ମ କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ। ମାତ୍ର ପରେ ତାଙ୍କୁ ନାୟକ ଚରିତ୍ର ମିଳିଲା।

ନାଟୁଆଙ୍କ ପାଇଁ ପାନ ଆଣୁଥିଲେ
ଅଜୟଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସଙ୍କର ବଡ଼ ନାଟ୍ୟଦଳ ଥିଲା। ୩୦ ଫୁଟିଆ ଘରେ ନାଟୁଆମାନଙ୍କର ଅଭ୍ୟାସ ହେଉଥିବା ବେଳେ ଅଜିତ ରିହର୍ସାଲ ଦେଖୁଥିଲେ। ନାଟୁଆମାନେ ପାନ ପାଇଁ ଇସାରା କରିବା ମାତ୍ରେ ଅଜିତ ପାନ ଆଣି ଦେଉଥିଲେ। ଖରାବେଳ ସମୟରେ ସମସ୍ତେ ଶୋଇଗଲା ପରେ ଅଜିତ ଟ୍ରଙ୍କ୍‌ରେ ଥିବା ରାଜମୁକୁଟ ପିନ୍ଧି ଆଇନା ଆଗରେ ଅଭିନୟ କରୁଥିଲେ। ଖଣ୍ଡା ଧରି ରାଜା ଭଙ୍ଗୀରେ ଅଭ୍ୟାସ କରୁଥିଲେ। ବଡ଼ ଉତ୍ସାହରେ ପୋଷାକଗୁଡ଼ିକ ଦେଖୁଥିଲେ। ଏହା ଭିତରେ ସେ ଅଭିନୟ ପ୍ରେମରେ ପଡ଼ି ଯାଇଥିଲେ।

୯ମ ଶ୍ରେଣୀରେ ‘ଝରା ବଉଳ’ରେ ମୁଖ୍ୟ ଭୂମିକା
ବଡ଼ବାପାଙ୍କ ନାଟକ ଦଳର ନାଟୁଆଙ୍କ ପାଇଁ ପାନ ଓ ପାଣି ଆଣିଆଣି ଟହଲିଆ ପାଲଟି ଯାଇଥିଲେ ଅଜିତ। ଅଜିତଙ୍କ ବାପା ଓକିଲ ଥିଲେ ହେଁ ସେ ବି ନାଟକରେ ଅଭିନୟ କରୁଥିଲେ। ଅଭିନୟ ଅଜିତଙ୍କ ରକ୍ତରେ ଥିଲା। ରିହର୍ସାଲ ଦେଖି ସେ ବି ନାଟୁଆ ହୋଇଯାଇଥିଲେ। ଯେବେ ସ୍କୁଲ୍‌ ନାଟକ ପାଇଁ କଳାକାର ଚୟନ ହେଲା, ସେଥିରେ ସେ ଯୋଗ୍ୟ ବିବେଚିତ ହେଲେ। ସ୍କୁଲ୍‌ ନାଟକ ‘ଝରା ବଉଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦୃଷ୍ଟି ଆକର୍ଷଣ କଲେ। ଏହାପରେ କଲେଜ୍‌ରେ ମଧ୍ୟ ତାଙ୍କ ଅଭିନୟର ଯାତ୍ରା ଚାଲୁ ରହିଲା।

ଶେଷ ନିର୍ଦେଶିତ ନାଟକ ‘ସୀମାବଦ୍ଧ’
ଅଜିତ୍‌ ନାଟ୍ୟାନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ‘ସୀମାବଦ୍ଧ’ ନାଟକ ଥିଲା ଅଜିତ ଦାସଙ୍କ ଶେଷ ନିର୍ଦେଶିତ ନାଟକ। ଡ. ଜଗନ୍ନାଥ ଦାଶଙ୍କ ରଚିତ ଏହି ୧୧ମିନିଟ୍‌ ୩୮ ସେକେଣ୍ଡର ନାଟକ କରୋନା ଯୋଗୁଁ ଦହଗଞ୍ଜ ମଣିଷର କଥା କହିଥିଲା। ଶେଷ ସଂଳାପ ଥିଲା, ସତରେ କେତେ ଅସହାୟ ଏହି ମଣିଷ। କେତେ ଭୟଙ୍କର ଭାବେ ସୀମାବଦ୍ଧ ତା’ର ପ୍ରତିଟି ଚିନ୍ତା। ତଥାପି ଚାଲିଛି, ଚାଲୁଥିବ। ଜୀବନର ଖେଳରେ ପଡ଼ୁଥିବ ଆଉ ଉଠୁଥିବ। ମାତ୍ର ରଥ ତା’ର ଅଟକି ଯିବ ନାହିଁ। କିନ୍ତୁ ଶେଷରେ ୭୧ଟି ଶରତରେ ସୀମାବଦ୍ଧ ହୋଇଗଲା ଏହି ନାଟକର ନିର୍ଦେଶକଙ୍କ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe