Image Courtesy of The Speaking Tree
ବିଦୁର ଚାଣକ୍ୟଙ୍କ ପରି ପ୍ରସିଦ୍ଧି ପାଇ ନାହାନ୍ତି ସତ, କିନ୍ତୁ ତାଙ୍କର ଜ୍ଞାନକୁ ପଣ୍ଡିତମାନେ ସଚରାଚର ସ୍ୱୀକାର କରନ୍ତି। ଅନେକ ତାଙ୍କୁ ହସ୍ତିନାପୁରର ଉପଦେଷ୍ଟା ବୋଲି ଜାଣନ୍ତି। ପ୍ରକୃତରେ ସେ ଥିଲେ ଧୃତରାଷ୍ଟ୍ର ଏବଂ ପଣ୍ଡୁଙ୍କର ଭାଇ। ତାଙ୍କର ପିତା ହେଉଛନ୍ତି ଋଷି ବ୍ୟାସ ଏବଂ ମାତା ହେଉଛନ୍ତି ସୁଦ୍ରି ନାମକ ଜଣେ ପରିଚାରିକା। ତେଣୁ ତାଙ୍କ ଠାରେ ରାଜକୀୟ ରକ୍ତ ନ ଥିଲେ ମଧ୍ୟ କୁରୁବଂଶରେ ତାଙ୍କର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ।
ବିଦୂର ଥିଲେ ଅସାଧାରଣ ଜ୍ଞାନୀ। ତାଙ୍କର ବୁଦ୍ଧିମତ୍ତା ଜୀବନର ବିଭିନ୍ନ ବିଭବ ଉପରେ ଆଧାରିତ। ସେ ସବୁକୁ ବିଦୁର ନୀତି କୁହାଯାଏ।
ସେହି ବିଦୁର ନୀତିରୁ ଜାଣି ହୁଏ ମାନବ ଜୀବନର ସୌଭାଗ୍ୟ ଲକ୍ଷଣ। ବିଦୁରଙ୍କ ମତରେ, ଭାଗ୍ୟବାନ ଲୋକ ଠାରେ ଥିବା ୬ ଟି ଲକ୍ଷଣକୁ ଅଧିକାଂଶ ସମୟରେ ହେୟଜ୍ଞାନ କରାଯାଇଥାଏ। ଯଦି ଠିକଣା ସମୟରେ ସେ ଲକ୍ଷଣକୁ ଚିହ୍ନଟ କରିହୁଏ, ତେବେ ସେ ବ୍ୟକ୍ତିଙ୍କର ସଫଳତାର ବାଟ କେହି ରୋକି ପାରିବେ ନାହିଁ।
ସୁଗଠିତ ସ୍ୱାସ୍ଥ୍ୟ ନେଇ ଜନ୍ମିଥିବା ବ୍ୟକ୍ତି ଭାଗ୍ୟବାନ ହୋଇଥାଆନ୍ତି ବୋଲି ଜାଣନ୍ତୁ। କ୍ଷୀଣ ଓ ଦୁର୍ବଳ ଦେହଧାରୀମାନେ ରୋଗଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗନ୍ତି। ଧନ, ସଫଳତା ଓ ସୁଯୋଗ ହରାଇବା ଫଳରେ ସେ ବ୍ୟକ୍ତି ଜୀବନରେ ଲକ୍ଷ୍ୟ ପ୍ରାପ୍ତି କରି ପାରନ୍ତି ନାହିଁ। ସୁସ୍ଥ ମସ୍ତିଷ୍କ ଏବଂ ସନ୍ତୁଳିତ ଆତ୍ମା ଈଶ୍ୱରଙ୍କର ଦାନ, ତେଣୁ ଏହାକୁ ସସମ୍ମାନ ସ୍ମରଣରେ ରଖନ୍ତୁ।
ଯଦି ଜଣକର ଜୀବନ ସାଥୀ ଭଦ୍ର ଏବଂ ବିନୟୀ, ଜାଣନ୍ତୁ ସେ ବ୍ୟକ୍ତି ଭାଗ୍ୟଶାଳୀ। ଜୀବନ ସାଥୀ ସମୟ ଅସମୟରେ ସୁପରାମର୍ଶ ଏବଂ ସମର୍ଥନ ଦେଉଥିବାରୁ ଏମାନଙ୍କ ସ୍ଥିତି ସର୍ବଦା ଦୃଢ଼ ହୋଇ ରହିଥାଏ ଓ ଜୀବନର ଜଟିଳତା ଏମାନଙ୍କ ଠାରୁ ଦୂରରେ ଥାଏ। କିନ୍ତୁ, ଓଲଟ ସ୍ୱଭାବର ଜୀବନସାଥୀ ମିଳିଲେ ଦୁଃଖ ଓ ଦୁର୍ଦ୍ଦଶା ହିଁ ମିଳିବା ସାର ହୋଇଥାଏ।
ଯଦି ବ୍ୟକ୍ତିବିଶେଷଙ୍କ ପିଲା ଆଜ୍ଞାଧୀନ ତେବେ ଜାଣନ୍ତୁ ସେ ଭାଗ୍ୟବାନ। କାରଣ ପିଲା ହିଁ ତାଙ୍କର ସମ୍ମାନ ବଢ଼ାଇ ପରିବାର ଗୌରବ ଆଣିବ। ସୌଭାଗ୍ୟ ଓ ସମୃଦ୍ଧି ଆପଣାଛାଏଁ ଦୁଆରକୁ ଆସେ। ପିଲାଙ୍କ ସ୍ୱଭାବ ଓଲଟା ହେଲେ ଦୁର୍ଯୋଗ ଆସିବା ସ୍ୱାଭାବିକ।
Image Courtesy of The Speaking Treeଜଣେ ବ୍ୟକ୍ତିଙ୍କର କଷ୍ଟାର୍ଜିତ ଆୟ ସ୍ଥିର ରହିଲେ ସେ ଭାଗ୍ୟବାନ ବୋଲି ଜାଣନ୍ତୁ। କଠିନ ପରିଶ୍ରମରେ ବିଶ୍ୱାସ କରୁଥିବା ବ୍ୟକ୍ତି ଯେଉଁ କାମ କରନ୍ତୁ ନା କାହିଁକି ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି। କେମିତି ସଫଳ ହେବାକୁ ହୁଏ ଏବଂ ତାହାକୁ ଧରି ରଖିହୁଏ, ସେମାନେ ଜାଣନ୍ତି ବୋଲି ବୁଝିବାକୁ ପଡ଼ିବ। କିନ୍ତୁ, ସ୍ୱଳ୍ପ ସମୟ ମଧ୍ୟରେ ଦ୍ରୁତ ସଫଳତା ପାଇଁ ଉଦ୍ୟମ କରୁଥିବା ଲୋକ ସମ୍ପୂର୍ଣ୍ଣ ଭାଗ୍ୟ ଉପରେ ନିର୍ଭର କରନ୍ତି। ଏ ଭଳି ବ୍ୟକ୍ତି ଦୁଃଖରେ ରହନ୍ତି ଏବଂ ଜୀବନ ସାରା ନିଅଣ୍ଟିଆ ପରିସ୍ଥିତିରେ ଟାଣିଓଟାରି ହେଉଥାଆନ୍ତି।
ଶିକ୍ଷିତ ଏବଂ ଅଶିକ୍ଷିତଙ୍କ ମଧ୍ୟରେ ଆକାଶପାତାଳ ତଫାତ ରହିଛି। ଖାଲି ଶିକ୍ଷାନୁଷ୍ଠାନରୁ ଡିଗ୍ରି ହାସଲ କରିବାକୁ ଶିକ୍ଷିତ ବୋଲି କୁହାଯିବ ନାହିଁ। ସାଂସାରିକ ଚଳାଚଳ, ଲୋକଙ୍କ ଆବେଗ ଏବଂ ପ୍ରକୃତି ସହ ଯିଏ ସମ୍ପୃକ୍ତ ସେ ହିଁ ସୁ-ଶିକ୍ଷିତ। ସଙ୍କଟକୁ କେମିତି ଟାଳିବାକୁ ହୁଏ ଏମାନେ ଜାଣିଥିବାରୁ ଜୀବନରେ ସଫଳତା ହାସଲ କରନ୍ତି। ଅଶିକ୍ଷିତ ଲୋକ ସୁଯୋଗ ଅପେକ୍ଷାରେ ରହନ୍ତି, କିନ୍ତୁ ସୁଶିକ୍ଷିତ ବ୍ୟକ୍ତି ନିଜ ପାଇଁ ସୁଯୋଗ ତିଆରି କରନ୍ତି।
Follow Us