ହିଂସାକୁ ହିଂସା, ଅହିଂସାକୁ ଅହିଂସା

ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ପୁଣି ଆପଣ ତ ଭାଗବତ ବାଣୀ ଶୁଣାଇ କହନ୍ତି- ସତ୍ୟ ଅହିଂସା ଦୟା କ୍ଷମା। ଏ ଚାରି ବିଷ୍ଣୁଙ୍କ ମହିମା।। ତା’ହେଲେ ଆପଣ ମିଛ କହିଲେ କେମିତି?...

Violence to violence, non-violence to non-violence

Violence to violence, non-violence to non-violence Photograph: (sambad.in)

ଆଗେ ଆଗେ ଜଣେ ଦୁର୍ବଳ ପତଳା ଲୋକ ଦୌଡ଼ୁଛି। ପଛେ ପଛେ ଜଣେ ମୋଟା ଗୁଣ୍ଡା ଶ୍ରେଣୀର ଲୋକ ଓ ତା’ହାତରେ ଛୁରି। ଗୋଟିଏ ଛକ ଯାଗାରେ ପତଳା ଲୋକଟି ଗୋଟିଏ ଗଳି ଭିତରେ ପଶି ଅନ୍ତର୍ଧାନ ହୋଇଗଲା। ସେଇ ଛକରେ ବସିଥିଲେ ଜଣେ ସାଧୁ-ମହାତ୍ମା। ତାଙ୍କ ପାଖରେ ବସିଥିବା ଦୁଇତିନି ଜଣ ଶିଷ୍ୟଙ୍କୁ ସେ ଧର୍ମ-ଉପଦେଶ ଦେଉଥିଲେ। ଗୁଣ୍ଡା ଲୋକଟି ବାବାଙ୍କୁ ପଚାରିଲା, ଆଗରେ ଗୋଟିଏ ପତଳା ଲୋକ ଯିବାର ଦେଖିଛନ୍ତି କି? ବାବା କହିଲେ, ହଁ ସେ ତୀବ୍ର ବେଗରେ ଦୌଡ଼ି ଦୌଡ଼ି ଏଇ ୨ ନମ୍ବର ଗଳି ଭିତରକୁ ଗ‌ଲା। ତା’ପରେ ଗୁଣ୍ଡା ଜଣକ ସେହି ୨ ନମ୍ବର ଗଳି ଭିତରକୁ ଦୌଡ଼ିଲା।

ଗୁଣ୍ଡା ଜଣକ ଯିବା ପରେ, ଶିଷ୍ୟମାନେ ସାଧୁଙ୍କୁ ପଚାରିଲେ- ଆମେ ପିଲାଦିନେ ରାମକୃଷ୍ଣ ନନ୍ଦଙ୍କ ଲିଖିତ ପ୍ରାର୍ଥନା ବୋଲୁଥିଲୁ- ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ପୁଣି ଆପଣ ତ ଭାଗବତ ବାଣୀ ଶୁଣାଇ କହନ୍ତି- ସତ୍ୟ ଅହିଂସା ଦୟା କ୍ଷମା। ଏ ଚାରି ବିଷ୍ଣୁଙ୍କ ମହିମା।। ତା’ହେଲେ ଆପଣ ମିଛ କହିଲେ କେମିତି? ପତଳା ଲୋକଟି ପ୍ରକୃତରେ ୧ ନମ୍ବର ଗଳି ଭିତରକୁ ଗଲା, କିନ୍ତୁ ଆପଣ ୨ ନମ୍ବର ଗଳିରେ ଗଲା ବୋଲି ମିଛ କହିଲେ। 

ବାବା ବୁଝାଇଲେ- ମୁଁ ମିଥ୍ୟା କହିନାହିଁ, ସତ୍ୟ କହିଁ କହିଛି। ଯେଉଁଥିରେ ପ୍ରାଣୀର ମଙ୍ଗଳ ହୁଏ, ତାକୁ ହିଁ ସତ୍ୟ କୁହାଯାଏ। ତାହା ସବୁବେଳେ ଯଥାର୍ଥ ହୋଇ ନ ପାରେ। ବର୍ତ୍ତମାନ କୁହ, ଗୁଣ୍ଡା ଲୋକଟି ହାତରେ ଛୁରି ଧରି ଦୁର୍ବଳ ଲୋକ ପଛରେ ଗୋଡ଼ାଉଥିଲା, ତା’ର ଉଦ୍ଦେଶ୍ୟ କ’ଣ ହୋଇଥିବ? ଶିଷ୍ୟମାନେ କହିଲେ- ସେ ବୋଧହୁଏ ଦୁର୍ବଳ ଲୋକଟିକୁ ମାରିବାକୁ ଚାହୁଥିବ। ବାବା କହିଲେ, ଠିକ୍। ଏବେ କୁହ ମଣିଷକୁ ମାରିବା ପାପ ନା ପୁଣ୍ୟ, ଧର୍ମ ନା ଅଧର୍ମ। ଶିଷ୍ୟମାନେ କହିଲେ- ଏହା ପାପ ଓ ଅଧର୍ମ। ନରହତ୍ୟା ମହାପାପ। ବାବା କହିଲେ, ତେବେ ମୁଁ ଯଦି ତାକୁ ଯଥାର୍ଥ ବା ଠିକ୍ କଥା କହିଥାନ୍ତି, ତେବେ ସେ ପତଳା ଲୋକଟିକୁ ଗୋଡ଼ାଇ ଗୋଡ଼ାଇ ମାରିଥାନ୍ତା ଓ ଏ ପାପରେ ମୁଁ ବି ଭାଗୀଦାର ହୋଇଥାନ୍ତି। କାରଣ ତା’ର ପାପକାର୍ଯ୍ୟରେ ମୁଁ ତ ଯଥାର୍ଥ କଥା କହି ସାହାଯ୍ୟ କରିଥାନ୍ତି ନା? ଏବେ ମୁଁ ତାକୁ ଭୁଲ୍ ରାସ୍ତା ବତାଇ ଭ୍ରମିତ କରିବା ଦ୍ବାରା ଦୁଇଜଣଙ୍କୁ ରକ୍ଷା କଲି। ପ୍ରଥମତଃ ଦୁର୍ବଳ ଲୋକର ଜୀବନ ବଞ୍ଚାଇଲି, ପୁଣି ଗୁଣ୍ଡା ଲୋକକୁ ଏତେ ବଡ଼ ପାପ କରିବାରୁ ବଞ୍ଚାଇଲି। ପରେ ଗୁଣ୍ଡା ଲୋକର ମନ ବଦଳିଯାଇ ପାରେ ଓ ସେ ମନରୁ ଦୁର୍ବଳ ଲୋକଟିକୁ ହତ୍ୟା କରିବା ନିଷ୍ପତ୍ତିରୁ ଓହରି ଯାଇପାରେ। ଏବେ କୁହ, ମୁଁ ଧର୍ମ କଲି ନା ଅଧର୍ମ କଲି?

ଶିଷ୍ୟମାନେ ଏକ ସ୍ବରରେ କହିଲେ- ଆପଣ ଧର୍ମ ହିଁ କରିଛନ୍ତି। 

ତା’ପରେ ବାବା ବୁଝାଇଲେ- ମହାଭାରତ ବନପର୍ବରେ ଅଛି- ସତ୍ୟଂ ଭୂତହିତଂ ପ୍ରୋକ୍ତଂ ନ ଯଥାର୍ଥାଭିଭାଷଣମ୍। ଅର୍ଥାତ୍ ଯେଉଁଥିରେ ଭୂତ ବା ପ୍ରାଣୀମାନଙ୍କର ହିତ ବା ମଙ୍ଗଳ ହୁଏ, ତାହାହିଁ ସତ୍ୟ- ଯଥାର୍ଥ ଅଭିଭାଷଣକୁ ସତ୍ୟ କୁହାଯାଏ ନାହିଁ। ଯେଉଁଥିରେ ଲୋକର ବା ପ୍ରାଣୀର ଅକଲ୍ୟାଣ ହୁଏ, ତାହା ଯଥାର୍ଥ ହେଲେ ବି କହିବା ଉଚିତ ନୁହେଁ। କିନ୍ତୁ ନିଜର ଦୋଷ ଲୁଚାଇବା ପାଇଁ ମିଛ କହିବା ପାପ।

ମହାଭାରତରେ ଭଗବାନ୍ କୃଷ୍ଣ ପରମ ସତ୍ୟବାଦୀ ଯୁଧିଷ୍ଠିରଙ୍କୁ ଗୋଟିଏ ମିଛ କହିବାକୁ ପରାମର୍ଶ ଦେଇଥିଲେ। ସେ ଜାଣିଥିଲେ, ଯୁଧିଷ୍ଠିର କେବେ ମିଛ କୁହନ୍ତି ନାହିଁ। ତେଣୁ ସେ ଭୀମଙ୍କ ଦ୍ବାରା ଅଶ୍ବତ୍ଥାମା ନାମକ ଏକ ହାତୀକୁ ମରାଇ, ଅଶ୍ବତ୍ଥାମାକୁ ଭୀମ ମାରିଦେଲା ବୋଲି ଗୁରୁ ଦ୍ରୋଣଙ୍କୁ କହିବାକୁ ପରାମର୍ଶ ଦେଲେ। ତଥାପି ସେ ଦ୍ରୋଣଙ୍କୁ ‘ନରେ ବା ଗୁଞ୍ଜରେ ଅଶ୍ବତ୍ଥାମା ହତଃ’ ବୋଲି କହିଲେ। ଠିକ୍ ସମୟରେ ଶ୍ରୀକୃଷ୍ଣ ଶଙ୍ଖବାଦନ କରିବାରୁ ଦ୍ରୋଣ ‘ନରେ ବା ଗୁଞ୍ଜରେ’ ଶୁଣିପାରିଲେ ନାହିଁ। ସେ କେବଳ ଶୁଣିଲେ ‘ଅଶ୍ବତ୍ଥାମା ହତଃ’। ତେଣୁ ସେ ପୁତ୍ର ବିୟୋଗ ଦୁଃଖରେ କାତର ହୋଇ ଅସ୍ତ୍ରତ୍ୟାଗ କଲେ ଏବଂ ଧୃଷ୍ଟଦ୍ୟୁମ୍ନଙ୍କ ଦ୍ବାରା ନିହତ ହେଲେ। 

ଧର୍ମକୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣ ଏହି ମିଛର ଆଶ୍ରୟ ନେଇଥିଲେ। କାରଣ ହାତରେ ଅସ୍ତ୍ର ଥିବା ଯାଏ ଦ୍ରୋଣଙ୍କୁ କେହି ପରାଜିତ ବା ହତ୍ୟା କରିପାରି ନ ଥାନ୍ତେ। ଆଉ ଦ୍ରୋଣ ବଞ୍ଚିଥିବା ଯାକେ ପାଣ୍ଡବମାନଙ୍କ ବିଜୟ ଅସମ୍ଭବ ହୋଇଥାନ୍ତା। ଦ୍ରୋଣ ଅଧର୍ମ ପଟରେ ଥିଲେ, ତେଣୁ ଛଳେ, ବଳେ, କୌଶଳେ ତାଙ୍କୁ ହତ୍ୟା କରିବା ଅତ୍ୟାବଶ୍ୟକ ହୋଇପଡ଼ିଥିଲା। ଧର୍ମକୁ ରକ୍ଷା କରିବା ପାଇଁ, କୌଣସି ଦୁର୍ବଳ ଲୋକକୁ ବଞ୍ଚାଇବା ପାଇଁ, କୌଣସି ପ୍ରାଣୀର ଜୀବନ ରକ୍ଷା ପାଇଁ, ଦେଶରକ୍ଷା ପାଇଁ ଯଦି ମିଛର ଆଶ୍ରୟ ନେବାକୁ ପଡ଼େ, ତେବେ ତାହା ମିଥ୍ୟା ନୁହେଁ ପରମ ସତ୍ୟ ରୂପେ ବିବେଚିତ ହେବ। 

ସେହିପରି ଆମେ ଶୁଣି ଆସିଛେ - ଅହିଂସା ପରମ ଧର୍ମ। ଗାନ୍ଧିଜୀ ଆମକୁ ଶାସ୍ତ୍ରର ଅଧା ବାଣୀ କହି ଆସିଛନ୍ତି। ଅହିଂସା ପରମ ଧର୍ମ ବୋଲି ଶାସ୍ତ୍ରରେ ଅଛି ସତ ମାତ୍ର ତା’ ପାଖରେ ଲେଖା ଅଛି- ହିଂସା ଧର୍ମ ତଥୈବ ଚ। ଅର୍ଥାତ୍ ଅହିଂସା ଯେପରି ପରମ ଧର୍ମ, ହିଂସା ବି ସେହିପରି ତା’ଠୁ ବଡ଼ ଧର୍ମ। ତା’ ନ ହେଲେ ଶ୍ରୀକୃଷ୍ଣ ହିଂସା ପାଇଁ ଅର୍ଜୁନଙ୍କୁ ଉତ୍ସାହିତ କରି ନ ଥାନ୍ତେ। ମହାଭାରତ ଯୁଦ୍ଧରେ ଯୁଦ୍ଧ କରି ନିଜର ପ୍ରିୟଜନଙ୍କୁ, ଏପରି କି ନିଜର ପ୍ରାଣପ୍ରିୟ ପିତାମହ ଭୀଷ୍ମଙ୍କୁ ମାରିବାକୁ କହି ନ ଥାନ୍ତେ। ସେମାନେ ଅଧର୍ମର ପକ୍ଷରେ ଥିବାରୁ ସେମାନଙ୍କର ବିନାଶ ହୋଇ ନ ଥିଲେ ଧର୍ମର ପ୍ରତିଷ୍ଠା ସମ୍ଭବ ହୋଇ ନ ଥାନ୍ତା। ପାକିସ୍ତାନ ବା ଚୀନ୍ ଆକ୍ରମଣ କଲେ ବା ଆତଙ୍କବାଦୀ ଆକ୍ରମଣ ହେଲେ ଭାରତ ଯଦି ଗାନ୍ଧୀଙ୍କ ଅହିଂସା ନୀତି ଧରି ଚୁପ୍ ବସିବ, ତେବେ ଧ୍ବଂସ ପାଇଯିବ।

ଗୋଟିଏ ଆତଙ୍କବାଦୀକୁ ମାରିଲେ ଯଦି ୧୦୦ ଲୋକଙ୍କ ଜୀବନ ବଞ୍ଚିଯିବ, ତେବେ ସେପରି ହିଂସା ହେଉଛି ପରମ ଧର୍ମ। ଅପରପକ୍ଷେ ଆମେ ଯଦି ଗୋଟିଏ ଆତଙ୍କବାଦୀକୁ ଦୟା ଦେଖାଇ ଛାଡ଼ି ଦେବା ତେବେ ସେ ପରେ ୧୦୦ ବା ୧୦୦୦ ଲୋକଙ୍କ ପ୍ରାଣ ନେଇପାରେ। ସେହିପରି କ୍ଷମା ବି ସମସ୍ତଙ୍କୁ କରିବା ଉଚିତ ନୁହେଁ। ଏପରି ଦୃଷ୍ଟାନ୍ତ ଅଛି, କୋର୍ଟ ଜଣେ ଅପରାଧୀକୁ କ୍ଷମା କରି ଜେଲରୁ ମୁକୁଳାଇ ଦେଇଛନ୍ତି, ପରେ ସେ ଜେଲରୁ ଫେରିବା ପରେ କେତେ ଜଣ ଲୋକଙ୍କୁ ହତ୍ୟା କରିଛି। ଏପରି ଅପରାଧୀଙ୍କୁ କ୍ଷମା କରିବା ବି ଅଧର୍ମ। ତେଣୁ ଭାଗବତରେ ଯାହା ଅଛି- ସତ୍ୟ ଅହିଂସା ଦୟା କ୍ଷମା। ଏ ଅଟେ କୃଷ୍ଣଙ୍କ ମହିମା। ତା’ର ଗଭୀର ଅର୍ଥ ବୁଝିବା ଦରକାର। ଠାକୁର ଅନୁକୂଳଚନ୍ଦ୍ରଙ୍କ ଭାଷାରେ- Be ever nonviolent to the being but vile to the violent. ଅର୍ଥାତ୍ ସତ୍ତା ବା ଜୀବନ ପ୍ରତି ସବୁବେଳେ ଅହିଂସ ହୁଅ, ହିଂସକକୁ ହିଂସା କର। ଅହିଂସାକୁ ଅହିଂସା, ହିଂସାକୁ ହିଂସା, ଯେସାକୁ ତେସା ହେଉଛି ଚାଣକ୍ୟଙ୍କ ନୀତି। 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe