ଜୀବନ-ମନ୍ତ୍ର: ଜଳଶାୟୀ ବିଷ୍ଣୁ ଓ ବିକଶିତ କଦମ୍ବ

Advertisment
ଜୀବନ-ମନ୍ତ୍ର: ଜଳଶାୟୀ ବିଷ୍ଣୁ ଓ ବିକଶିତ କଦମ୍ବ

ପୁରାଣର ବର୍ଣ୍ଣନା ଅନୁସାରେ ପରମବ୍ରହ୍ମ ଶ୍ରୀବିଷ୍ଣୁଙ୍କର ନିବାସ ସ୍ଥଳ ବୈକୁଣ୍ଠପୁରୀ। ଅଥଚ ସେ ବିଶ୍ରାମ ନେବାପାଇଁ କ୍ଷୀର ସମୁଦ୍ରକୁ ହିଁ ବାଛିଥାନ୍ତି। କ୍ଷୀର ସମୁଦ୍ରର ଅନନ୍ତ ଜଳରାଶି ଉପରେ ଶେଷନାଗଙ୍କ ଅଙ୍କଶଯ୍ୟାରେ ଶୟନ କରି ସେ ତୃପ୍ତ ହୋଇଥାନ୍ତି। ସଙ୍ଗରେ ଥାଆନ୍ତି ପତ୍ନୀ, ସାଗରକନ୍ୟା ମହାଲକ୍ଷ୍ମୀ। ବିଭିନ୍ନ ଅବତାର ଗ୍ରହଣ କରି ଭଗବାନ ବିଷ୍ଣୁ ଯେତେବେଳେ ମର୍ତ୍ତ୍ୟାବତରଣ କରନ୍ତି ସେତେବେଳେ ମଧ୍ୟ ସେ ଜଳ ସହିତ ସଂଲଗ୍ନ ହୋଇ ରହିଥାନ୍ତି। ମତ୍ସ୍ୟାବତାର, କୂର୍ମାବତାର, ବରାହ ଅବତାର ପରେ ବାମନାବତାରରେ ସେ ସ୍ୱୟଂ ଗଙ୍ଗାଙ୍କୁ ସୃଷ୍ଟି କରିଥିଲେ। କୃଷ୍ଣାବତାରରେ ଯମୁନା ସହିତ ଏବଂ ସଂପ୍ରତି ଶ୍ରୀଜଗନ୍ନାଥ ରୂପରେ ବୟାଳିଶ ଦିନ ଧରି ଚନ୍ଦନକୁଣ୍ଡରେ ଜଳସ୍ନାନ ଓ ନୌକାବିହାର ତାଙ୍କ ଜଳପ୍ରୀତିର ନମୁନା। ପୁନଶ୍ଚ ଜ୍ୟେଷ୍ଠପୂର୍ଣ୍ଣମୀ ଦିନ ୧୦୮ ଗରା ସୁବାସିତ ଜଳ ସ୍ନାନରେ ସେ ଜନ୍ମଦିନ ପାଳନ କରିଥାନ୍ତି।

ପୁରାଣର ବର୍ଣ୍ଣନା ଅନୁସାରେ, ଏହା ତାଙ୍କର ପ୍ରିୟ ଉତ୍ସବ। କିନ୍ତୁ ଏସବୁ କେବଳ ଦେବ ମନ୍ଦିରମାନଙ୍କରେ ଅନୁଷ୍ଠିତ ହୋଇଥାଏ। ସାଧାରଣ ମଣିଷଟିଏ ଏଥିରେ ଅଂଶଗ୍ରହଣ କରିପାରେ ନାହିଁ। କିନ୍ତୁ ସାଧାରଣ ମଣିଷଟିଏ ଚାହିଁଲେ, ମହାପ୍ରଭୁଙ୍କୁ ଏହି ସୁଖ ପ୍ରତ୍ୟକ୍ଷରେ ପ୍ରଦାନ କରି, ନିଜେ କିପରି ପ୍ରଭୁଙ୍କର ଆଶୀର୍ବାଦ ଲାଭ କରିପାରିବ, ସେ ସଂପର୍କରେ ‘ପଦ୍ମପୁରାଣ’ରେ ସୁନ୍ଦର ଭାବରେ ବ୍ୟାଖ୍ୟା କରାଯାଇଛି। ସୁନା, ଚାନ୍ଦି, ତମ୍ବା ବା ମାଟିପାତ୍ରରେ ଶୀତଳ ଓ ସୁଗନ୍ଧିତ ଜଳ ରଖି, ତା ମଧ୍ୟରେ ଶ୍ରୀବିଷ୍ଣୁ ମୂର୍ତ୍ତି ହେଉ ବା ଶ୍ରୀଶାଳଗ୍ରାମଙ୍କୁ ସ୍ଥାପନ କରି ପୂଜା କଲେ, ମନୁଷ୍ୟ ପ୍ରଳୟ କାଳ ପର୍ଯ୍ୟନ୍ତ ନିଷ୍ପାପ ରହିବ। ଏହି ଜଳରେ ତୁଳସୀ ଦଳ ପକାଇ ଜ୍ୟେଷ୍ଠ ଓ ଆଷାଢ଼ ମାସରେ ଶ୍ରୀବିଷ୍ଣୁଙ୍କୁ ଜଳଶାୟୀ କରି, ଭକ୍ତିପୂର୍ବକ ପୂଜା ଓ କଦମ୍ବ କଢ଼ି ପ୍ରଦାନ କଲେ, ମନୁଷ୍ୟ ମୋକ୍ଷପ୍ରାପ୍ତ ହୁଏ।

ଜଳପରି କଦମ୍ବ ମଧ୍ୟ ଶ୍ରୀବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। କୃଷ୍ଣାବତାର କାଳରେ ଦ୍ୱାପର ଯୁଗର ଅନ୍ତ ପର୍ଯ୍ୟନ୍ତ ଯମୁନା ଓ କଦମ୍ବ ସହିତ ସେ ଜଡ଼ିତ ଥିଲେ। ଭାଗବତରେ ଉଲ୍ଲେଖ ଅଛି-
ଯମୁନା କଦମ୍ବର ମୂଳେ। ବେଣୁ ବଜାନ୍ତେ କୁତୂହଳେ।ା ଆକାଶେ ସିଦ୍ଧଗଣ ତୁଲେ। ଦେବ କାମିନୀ ମୋହଗଲେ।ା କଦମ୍ବ ଏକ ସାଧାରଣ ବୃକ୍ଷ ନୁହେଁ। ଆକାଶରେ ମେଘ ଡମ୍ବରୁ ଶୁଣାଗଲେ ଏହି ପୁଷ୍ପ ବିକଶିତ ହୁଏ। ଚତୁର୍ପାର୍ଶ୍ୱର ପାଖୁଡ଼ାମାନ ରୋମାଞ୍ଚିତ ହୁଅନ୍ତି। କଦମ୍ବ ବିକଶିତ ହେଲେ ଯେପରି ତାର କନକ ଆଭାରେ ଚତୁର୍ଦ୍ଦିଗ ଉଦ୍‌ଭାସିତ ହୁଏ, ଠିକ୍ ସେହିପରି ସିଦ୍ଧସାଧକର ହୃଦକଦମ୍ବ ଥରେ ଭକ୍ତି ରସରେ ରୋମାଞ୍ଚିତ ହେଲେ, ସେ ପରମବ୍ରହ୍ମଙ୍କର ସାନ୍ନିଧ୍ୟ ପାଇପାରେ। ଏଇଥିପାଇଁ କଦମ୍ବ ପ୍ରଭୁଙ୍କର ଏତେ ପ୍ରିୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe