ବିଚିତ୍ର ବିଶ୍ବ: ବିଶ୍ବର ଓଜନିଆ କୋଠା ପ୍ରତିବର୍ଷ ତଳକୁ ଧସୁଛି

Advertisment
ବିଚିତ୍ର ବିଶ୍ବ: ବିଶ୍ବର ଓଜନିଆ କୋଠା  ପ୍ରତିବର୍ଷ ତଳକୁ ଧସୁଛି

ସୁନ୍ଦର ଘରଟିଏ ତୋଳିବାକୁ ଅଧିକାଂଶ ସ୍ବପ୍ନ ଦେଖିଥାଆନ୍ତି। ସ୍ବପ୍ନର ଘରଟି କେମିତି ହେବ, ତା’ର ଇଣ୍ଟେରିୟର୍‌ କେମିତି ସଜାଯିବ, କୋଉ ରଙ୍ଗର ମାର୍ବଲ ପଡ଼ିବ ବା କେମିତି ଏହାର ରୂପରେଖ ହେବ; ଏସବୁ ପାଇଁ ସମସ୍ତେ ବ୍ୟସ୍ତ। ଠିକ୍‌ ଏହିଭଳି ଏକ ସ୍ବପ୍ନ ଦେଖିଥିଲେ ରୋମାନିଆର ଶାସକ ନିକୋଲାଇ ଚାଉଚେସ୍‌କୁ। ନିଜ ଦେଶର ପାର୍ଲାମେଣ୍ଟ ଭବନକୁ ସେ ଅଦ୍ବିତୀୟ କରି ଗଢ଼ିଥିଲେ। ଉତ୍ତର କୋରୀୟ ବାସ୍ତୁ ଶୈଳୀରେ ନିର୍ମିତ ଏହି ଭବନ ବିଶ୍ବର ଦ୍ବିତୀୟ ଓଜନିଆ କୋଠାର ମାନ୍ୟତା ଲାଭ କରିଥିଲା। ରୋମାନିଆର ‘ପ୍ୟାଲେସ୍‌ ଅଫ୍‌ ଦ ପାର୍ଲାମେଣ୍ଟ’ ଏହାର ଅତ୍ୟଧିକ ଓଜନ ଯୋଗୁଁ ପ୍ରତିବର୍ଷ ୬ ମିଲିମିଟର ଲେଖାଏଁ ଭୂମି‌ ଭିତରକୁ ଧସିବାରେ ଲାଗିଛି।

‘ପ୍ୟାଲେସ୍‌ ଅଫ୍‌ ଦ ପାର୍ଲାମେଣ୍ଟ’ ରୋମାନିଆର ରାଜଧାନୀ ବୁକାରେଷ୍ଟରେ ଅବସ୍ଥିତ। ଏହି ଅଟ୍ଟାଳିକାର ଓଜନ ହେଉଛି ୪.୧ ମିଲିୟନ୍‌ ଟନ୍‌। ୧୯୮୪ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ‌ଚିଫ୍‌ ଆର୍କିଟେକ୍‌ ଏନ୍‌କା ପେତ୍ରେସ୍କୁ ୭୦୦ ଆର୍କିଟେକ୍‌ଙ୍କୁ ନେଇ ଏହି କୋଠା ନିର୍ମାଣ କରିଥିଲେ। କୋଠା ନିର୍ମାଣ ସରିବାକୁ ୧୩ ବର୍ଷ ସମୟ ଲାଗିଯାଇଥିଲା ଓ ୧୯୯୭ ମସିହାରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ଗିନିଜ୍ ବୁକ୍‌ ଅଫ୍‌ ରେକର୍ଡ ଅନୁସାରେ ଏହି ଭବନରେ ୭ ଲକ୍ଷ ଟନ୍‌ ଷ୍ଟିଲ୍‌ ଓ ବ୍ରୋଞ୍ଜ ବ୍ୟବହାର କରାଯାଇଥିବା ବେଳେ ୧୦ ଲକ୍ଷ କ୍ୟୁବିକ୍‌ ମିଟରର ମାର୍ବଲ, ୩୫୦୦ ଟନ୍‌ର କ୍ରିଷ୍ଟାଲ ଗ୍ଲାସ୍‌ ଓ ୯ ଲକ୍ଷ କ୍ୟୁବିକ୍‌ ମିଟରର କାଠ ବ୍ୟବହୃତ ହୋଇଛି। ‌ଏହି ପାର୍ଲାମେଣ୍ଟ ଭବନ ନିର୍ମାଣ ପଛରେ ବି ଏକ କାହାଣୀ ରହିଛି। ସେତେବେଳେ ରୋମାନିଆର ଶାସକ ଥିଲେ ନିକୋଲାଇ ଚାଉଚେସ୍‌କୁ। ୧୯୭୧ ମସିହାରେ ସେ ଉତ୍ତର କୋରିଆ ଭ୍ରମଣରେ ଯାଇଥିଲେ। ସେଠାକାର ଗୃହ ନିର୍ମାଣ ଶୈଳୀ ନିକୋଲାଇଙ୍କୁ ବେଶ୍‌ ଆକର୍ଷିତ କରିଥିଲା। ନିଜ ଦେଶକୁ ଫେରି ସେ ଏହି ଶୈଳୀର ଅନୁକରଣରେ ପାର୍ଲାମେଣ୍ଟ ଭବନ ନିର୍ମାଣ କରିବାକୁ ଚାହିଥିଲେ।

୧୯୭୭ ଆଡ଼କୁ ଶେଷରେ ତାଙ୍କୁ ଏହି ସୁଯୋଗ ମିଳିଥିଲା। ବାସ୍ତବରେ ୧୯୭୭ ମସିହାରେ ଏକ ଭୟଙ୍କର ଭୂମିକମ୍ପ ଯୋଗୁଁ ରୋମାନିଆର ଅଧିକାଂଶ କୋଠା ଧ୍ବଂସ ହୋଇଯାଇଥିଲା। ନିକୋଲାଇ ଅବଶିଷ୍ଟ କୋଠାକୁ ବି ଧ୍ବଂସ କରିଦେଇଥିଲେ। ସେଠାରେ ଏକ ନୂଆ ଭବ୍ୟ ଅଟ୍ଟାଳିକା ନିର୍ମାଣ କରିବା ପାଇଁ ନିକୋଲାଇ ପଦକ୍ଷେପ ନେଇଥିଲେ। ପାଖାପାଖି ୨୦ ହଜାରରୁ ୧ ଲକ୍ଷ ଶ୍ରମିକ ଏହି ଅଟ୍ଟାଳିକା ନିର୍ମାଣରେ ନିୟୋଜିତ ହୋଇଥିଲେ। ଏଥିସହ ରୋମାନିଆର ସେନା ମଧ୍ୟ ଏହି ‌ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ। ସଂପ୍ରତି ଅଧିକ ଓଜନ ଯୋଗୁଁ ଏହି କୋଠା ପ୍ରତିବର୍ଷ ୬ ମିଲିମିଟର ତଳକୁ ଧସିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe