ଓଡ଼ିଆ ବ୍ରତକଥାଗୁଡ଼ିକର ବିଶେଷତ୍ୱ ହେଉଛି, ଏସବୁ ସହିତ ଫଳ ପ୍ରାପ୍ତି ଜଡ଼ିତ। ନିର୍ଦ୍ଦିଷ୍ଟ ଦେବତା ବା ଦେବୀଙ୍କର ବ୍ରତ ନିର୍ଦ୍ଦିଷ୍ଟ ବିଧିରେ କଲେ, ତାହାର ଫଳ ନିଶ୍ଚୟ ମିଳେ ବୋଲି ସେସବୁରେ ବଣ୍ଣିତ ହୋଇଛି। ପୁଣି ସେହି ବ୍ରତ ନ କଲେ ବା ବ୍ରତ ବିଧିରେ ବ୍ୟତିକ୍ରମ କଲେ, ତାହାର ପ୍ରତିଫଳ ଅବଶ୍ୟ ମିଳେ ବୋଲି ସେଥିରେ ସତର୍କ କରିଦିଆଯାଇଛି।
ଓଡ଼ିଆ ବ୍ରତକଥାଗୁଡ଼ିକ ମଧ୍ୟରେ ‘ପୂର୍ଣ୍ଣମୀ ବ୍ରତ’ ବୋଲି ଗୋଟିଏ ବ୍ରତ ଅଛି। ସେଥିରେ ବର୍ଣ୍ଣିତ ହୋଇଛି ଚନ୍ଦ୍ରଙ୍କ ବ୍ରତ। କିନ୍ତୁ ତାହାର ଆରମ୍ଭରେ, କେଉଁ ଦେବତାଙ୍କୁ ସେବା କଲେ କି ଫଳ ମିଳେ ତାହା ବର୍ଣ୍ଣିତ ଅଛି। ତାହା ଅନୁସାରେ, କୌଣସି ଏକ ସମୟରେ ନୈମିଷାରଣ୍ୟରେ ଶୁକ, ସନକ, ବଶିଷ୍ଠ, ଗୌତମ, ଅଙ୍ଗିରା, ଭୃଗୁ, ପରାଶର, ବିଭାଣ୍ଡକ ଓ ବିଶ୍ୱାମିତ୍ର ଆଦି ସମସ୍ତ ମୁନି ବସିଥିଲେ। ସେହି ସମୟରେ ମହାଯତି ଶୁକ ମହାମୁନି ବ୍ୟାସଙ୍କୁ ପଚାରିଲେ, କେଉଁ ଦେବତାଙ୍କୁ ସେବା କଲେ କି ଫଳ ମିଳେ, ଏହା ମୋତେ କହନ୍ତୁ।
ତାହାର ଉତ୍ତରରେ ସମବେତ ମୁନିଗଣଙ୍କୁ ସମ୍ବୋଧନ କରି ମହାମୁନି ବ୍ୟାସ କହିଲେ- ହେ ମୁନିଗଣ! ବ୍ରହ୍ମାଙ୍କୁ ସେବା କଲେ ଅଷ୍ଟ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବା ସହିତ ପରମାୟୁ ବୃଦ୍ଧି ହୁଏ। ବିଷ୍ଣୁଙ୍କୁ ସେବା କଲେ ଗତି ମୁକ୍ତି ମିଳେ ଏବଂ ବୈକୁଣ୍ଠ ଲାଭ ହୁଏ। ଯମଙ୍କୁ ସେବା କଲେ ପରମାୟୁ ବୃଦ୍ଧି ହେବା ସହିତ ଅନ୍ତକାଳରେ କୁମ୍ଭୀପାକ ନର୍କରୁ ନିସ୍ତାର ମିଳେ। ସେହିପରି, ଅଗ୍ନିଙ୍କୁ ସେବା କଲେ ରୋଗହୀନତା, ପବନଙ୍କୁ ସେବା କଲେ ବଳ, କୁବେରଙ୍କୁ ସେବା କଲେ ଧନ ଓ ବରୁଣଙ୍କୁ ସେବା କଲେ ବୁଦ୍ଧି, କନ୍ଦର୍ପଙ୍କୁ ସେବା କଲେ ସୌନ୍ଦର୍ଯ୍ୟ ଏବଂ ଗଣେଶଙ୍କୁ ସେବା କଲେ ବିଦ୍ୟା ମିଳେ। ସେହିପରି, ସୂର୍ଯ୍ୟଙ୍କୁ ସେବା କଲେ ବିଘ୍ନ ନାଶ ହେବା ସହିତ ମନୋବାଞ୍ଛା ସିଦ୍ଧ ହୁଏ। ମହାମୁନି ବ୍ୟାସ ଏ ସଂପର୍କରେ ମୁନିଗଣଙ୍କୁ ଆହୁରି ମଧ୍ୟ କହିଲେ, ଦେବୀମାନଙ୍କ ମଧ୍ୟରୁ ଦୁର୍ଗାଙ୍କୁ ସେବା କଲେ ଅଭୟ, ପାର୍ବତୀଙ୍କୁ ସେବା କଲେ ରାଜ୍ୟ ଓ ପ୍ରତିଷ୍ଠା, ଲକ୍ଷ୍ମୀଙ୍କୁ ସେବା କଲେ ଅଚଳାଚଳ ସମ୍ପତ୍ତି ଏବଂ ସରସ୍ୱତୀଙ୍କୁ ସେବା କଲେ ବିଦ୍ୟା ମିଳେ। ସେହିପରି ଇନ୍ଦ୍ରଙ୍କୁ ସେବା କଲେ ଦେଶ ଲାଭ ସହ ମନୋବାଞ୍ଛା ସିଦ୍ଧ ହୁଏ ବୋଲି ମଧ୍ୟ ବ୍ୟାସଦେବ ମୁନିମାନଙ୍କୁ କହିଥିଲେ।
Follow Us