ଆଜିକାଲି ସ୍ତ୍ରୀର ସ୍ବାମୀହତ୍ୟା ପରି ଘଟଣା ବାରମ୍ବାର ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ଏହାର ଅନେକ କାରଣ ଥିବା ବେଳେ ଗୋଟିଏ ମୁଖ୍ୟ କାରଣ ହେଉଛି ପରକୀୟା ସମ୍ପର୍କ। ପରକୀୟା ସମ୍ପର୍କ କାରଣରୁ କେଉଁଠି ସ୍ତ୍ରୀ ସ୍ବାମୀକୁ ତ କେଉଁଠି ସ୍ବାମୀ ସ୍ତ୍ରୀକୁ ହତ୍ୟା କରୁଛି। ଯେଉଁ ସ୍ତ୍ରୀ ନିଜ ସ୍ବାମୀଠାରେ ଅସନ୍ତୁଷ୍ଟ ରହି ଅନ୍ୟ ପୁରୁଷ ସହ ସମ୍ପର୍କ ରଖେ, ସ୍ବାମୀ ତା’ର ସ୍ବାଭାବିକ ଜୀବନଯାପନରେ କଣ୍ଟା ହୋଇ ଠିଆ ହୁଏ। ଜାର ପୁରୁଷ ସହ ତାକୁ ଲୁଚି ଲୁଚି ମିଳିତ ହେବାକୁ ପଡ଼େ। ତେଣୁ କଣ୍ଟା ହଟାଇବାକୁ ଯାଇ ସେ ଏକାକୀ କିମ୍ବା ପ୍ରେମିକର ସହଯୋଗରେ ସ୍ବାମୀକୁ ହତ୍ୟା କରିବା କଥା ଚିନ୍ତା କରେ। ସେଥିପାଇଁ ଏପରି ସ୍ତ୍ରୀଠାରୁ ନିଜକୁ ଦୂରରେ ରଖିବାକୁ ଚାଣକ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି-
ଲୁବ୍ଧାନାଂ ଯାଚକଃ ଶତ୍ରୁର୍ମୂର୍ଖାଣାଂ ବୋଧକୋ ରିପୁଃ।
ଜାରସ୍ତ୍ରୀଣାଂ ପତିଃ ଶତ୍ରୁଶ୍ଚୌରାଣାଂ ଚନ୍ଦ୍ରମା ରିପୁଃ।।
ଅର୍ଥାତ୍ ଲୋଭୀ ଓ କୃପଣ ଲୋକ ଯାଚକ ବା ମାଗିବା ଲୋକକୁ ଶତ୍ରୁ ବୋଲି ମନେ କରେ। ମୂର୍ଖମାନେ ତାଙ୍କୁ ବୁଝାଉଥିବା ଲୋକଙ୍କୁ ଶତ୍ରୁ ମାନନ୍ତି। ଜାରସ୍ତ୍ରୀମାନଙ୍କ ପାଖରେ ତାଙ୍କର ସ୍ବାମୀ ହିଁ ଶତ୍ରୁ ବୋଲି ବିବେଚିତ ହୁଅନ୍ତି ଏବଂ ଚୋରମାନେ ଚନ୍ଦ୍ରମାକୁ ଶତ୍ରୁ ଭାବନ୍ତି।
ଚାଣକ୍ୟ ପୁଣି କହିଛନ୍ତି-
ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟଶ୍ଚୋତ୍ତରଦାୟକଃ।
ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟଃ।।
ଭାର୍ଯ୍ୟା ଯଦି ଦୁଷ୍ଟା ବା ବ୍ୟଭିଚାରିଣୀ ହୋଇଥାଏ, ମିତ୍ର ଯଦି ଶଠ ହୋଇଥାଏ ଏବଂ ଘରର ଚାକର ଯଦି ମାଲିକ ମୁହଁରେ ଜବାବ ଦେଉଥାଏ, ତେବେ ଏମାନଙ୍କ ସହ ବାସ କରିବା ଏକା ଘରେ ସାପ ସହ ବାସ କରିବା ସହିତ ସମାନ। ସାପ ସହ ଏକା ଘରେ ବାସ କଲେ ସର୍ପଦଂଶନରେ ମୃତ୍ୟୁ ହେବା ପରି ଏମାନଙ୍କ ସହ ରହିଲେ ମଧ୍ୟ ମୃତ୍ୟୁ ହେବାର ଆଶଙ୍କା ଥାଏ।
ଅଧିକ ପଢ଼ନ୍ତୁ:ଶାସ୍ତ୍ରେ ନିଷିଦ୍ଧ ଆହାର: କେଉଁ ତିଥିରେ କ’ଣ ଖାଇବା ମନା, ଜାଣନ୍ତୁ...
ଏଣୁ ଗୃହସ୍ବାମୀଙ୍କ କର୍ତ୍ତବ୍ୟ ହେଉଛି, ସ୍ତ୍ରୀ ଯଦି ବ୍ୟଭିଚାରିଣୀ ହୁଏ ଏବଂ ତାକୁ ସୁଧାରିବା ବା ଭଲ ବାଟକୁ ଆଣିବା ଯଦି ସମ୍ଭବ ନ ହୁଏ, ତେବେ ତାକୁ ତ୍ୟାଗ କରିବ ବା ଛାଡ଼ପତ୍ର ଦେଇଦେବ। ମିତ୍ର ଯଦି ଶଠ ହୁଏ, ତେବେ ତା’ଠାରୁ ଦୂରେଇ ରହିବ। ଚାକର ଯଦି ମୁହଁରେ ଜବାବ ଦିଏ, ତେବେ ତାକୁ ସେବାନିବୃତ୍ତ କରିଦେବ। ନ ହେଲେ କେତେବେଳେ ବିପଦ ଘଟିବ କିଛି କହିହେବ ନାହିଁ।
ତେବେ ଏମାନଙ୍କଠାରୁ ଦୂରେଇ ରହିଲେ ମଧ୍ୟ ପ୍ରତିଶୋଧ ନେବା ପାଇଁ ଏମାନେ ସୁଯୋଗ ଖୋଜିପାରନ୍ତି। କିଛିବର୍ଷ ତଳେ ଭୁବନେଶ୍ବରର ୬ ନମ୍ବର ଅଞ୍ଚଳରେ ଜଣେ ଡାକ୍ତର ତଥା ଏକ ହସ୍ପିଟାଲର ମାଲିକଙ୍କୁ ତାଙ୍କର ଜଣେ ଚାକର ହତ୍ୟା କରିବା ଖବର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା। ଡାକ୍ତର ଜଣକ ଅବିଶ୍ବସ୍ତ ଚାକରକୁ ସେବାନିବୃତ୍ତ କରିବା ପରେ ସେ ପ୍ରତିଶୋଧପରାୟଣ ହୋଇ ହସ୍ପିଟାଲ ଭିତରେ ହିଁ ଡାକ୍ତରଙ୍କୁ ହତ୍ୟା କରିଥିଲା। ତେଣୁ ସର୍ବଦା ସତର୍କ ରହିବା ବୁଦ୍ଧିମାନର କାର୍ଯ୍ୟ।
ଅଧିକ ପଢ଼ନ୍ତୁ:ପାନ ଖାଇ ସାଙ୍ଗେ ସାଙ୍ଗେ ପାଣି ପିଇବା ଉଚିତ କି ? ବିଡିଆ ପାନ ବାବଦରେ କିଛି ଅଜଣା କଥା...
ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ-୭୦୦୮୯୬୦୫୦୨
Chanakya