ମୁମ୍ବାଇ: ହି-ମ୍ୟାନ୍… ହି-ମ୍ୟାନ୍… ହି-ମ୍ୟାନ୍… କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କୁ କାହିଁକି କୁହାଯାଏ ହି-ମ୍ୟାନ୍… । ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କୁ ନେଇ ଅନେକ କଥା କାହାଣୀ ସାମ୍ନାକୁ ଆସୁଥିବା ବେଳେ ହିନ୍ଦୀ ସିନେମାର ହି-ମ୍ୟାନ୍…କଥା ସାମ୍ନାକୁ ଆସିଛି । ତେବେ ଜାଣନ୍ତୁ ଧର୍ମେନ୍ଦ୍ରଙ୍କୁ କାହିଁକି କୁହାଯାଏ ହି-ମ୍ୟାନ୍…

Advertisment
Untitled-9
Dharmendra Passed Away Photograph: (sambad.in)

ହି-ମ୍ୟାନ- ଧର୍ମେନ୍ଦ୍ର

ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ ’କର୍ତ୍ତବ୍ୟ’ର ସୁଟିଂ ଚାଲିଥିଲା।  ଏଥିରେ ଚିତାବାଘ ସହ ଧର୍ମେନ୍ଦ୍ରଙ୍କ ଏକ ଫାଇଟିଙ୍ଗ  ସିନ୍ ଥିଲା। ସୁଟିଂ ଦେଖିବାକୁ ଏତେ ଲୋକଙ୍କ ଭିଡ଼ ଜମିଲା ଯେ ଭିଡ଼ ଦେଖି ଚିତା ଅଣାୟତ୍ତ ହୋଇଗଲା । ଆଉ ବାଘ ସହ ଧର୍ମେନ୍ଦ୍ରଙ୍କର ଘମାଘୋଟ ଲଢ଼େଇ ହୋଇଥିଲା । କେବଳ ପରଦାରେ ନୁହେଁ ନିଜ ବ୍ୟକ୍ତିଗତ ଜୀବନରେ ବି ଖୁବ୍ ଡେୟାରିଙ୍ଗ ଥିଲେ ଧର୍ମନ୍ଦ୍ର ।   କେବେ ବାଘ ସହ ତ କେବେ ସିଂହ ସହ ଲଢ଼ିଥିଲେ ।   ସବୁଥର ଜିତାପଟ୍ ମାରିଥିଲେ ଧର୍ମେନ୍ଦ୍ର । ସେଥିପାଇଁ ତାଙ୍କୁ ବଲିଉଡର ’He-Man’ ବୋଲି କୁହାଯାଉଥିଲା ।

ଅଧିକ ପଢନ୍ତୁ- Veteran Actor Dharmendra Passed Away: ଜୀବନ-ମୃତ୍ୟୁର ଲୁଚକାଳି ଖେଳ... ଠିକ୍ ୧୨ ଦିନ ପରେ ମିଛ ହେଲା ସତ…

ସରିଲା ଅନ୍ତିମ ସଂସ୍କାର

ତେବେ ଏହାରି ଭିତରେ ଧର୍ମେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହେଲେ ଧର୍ମେନ୍ଦ୍ର । ମୁଖାଗ୍ନି ଦେଲେ ସନ୍ନି ଦେଓଲ । ମୁମ୍ବାଇର ପବନ ହଂସ ଶ୍ମଶାନରେ ନିଜ ପ୍ରିୟ ଜନଙ୍କ ଗହଣରେ ସରିଛି ଅନ୍ତିମ ସଂସ୍କାର । 

ତେବେ ଧର୍ମେନ୍ଦ୍ରଙ୍କୁ ହରାଇ ଶୋକରେ ବୁଡ଼ିଛି ବଲିଉଡ୍, ହି-ମ୍ୟାନ୍‌ଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ । ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ଖବରରେ ସ୍ତବ୍ଧ ସାରା ଦେଶ । ମୁମ୍ୱାଇରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ, ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

ଅଧିକ ପଢନ୍ତୁ- Dharmendra : ଧର୍ମ ପରିବର୍ତ୍ତନ କରିଥିଲେ କି ଧର୍ମେନ୍ଦ୍ର ?

PM Modi
PM Modi Mourns Photograph: (sambad.in)

ଗୋଟିଏ ଯୁଗର ଅନ୍ତ

ବଲିଉଡ୍‌ରେ ଗୋଟିଏ ଯୁଗର ଅନ୍ତ । କାହା ପାଇଁ ସେ ହି-ମ୍ୟାନ୍, ମେଗା ଷ୍ଟାର୍... ଆଉ କାହା ପାଇଁ ଏବେ ବି ଥିଲେ ଶୋଲେର ଭୀରୁ । ଯାହାଙ୍କ ପ୍ରତିଟି ଡାଇଲଗ୍ ଅଭୁଲା । ଯାହାଙ୍କ ପ୍ରତିଟି ଆକ୍ସନ୍ ଯୋଶିଲା, ଯିଏ ପରଦାକୁ ଆସିଲେ, ଦର୍ଶକଙ୍କ ସିଟିରେ ହଲ୍‌ ଫାଟି ପଡ଼ୁଥିଲା । ଆଜି ଚିର ନିଦ୍ରାରେ ସେଇ ଧରମ୍‌ ଜୀ । 

୮୯ ବର୍ଷ ବୟସରେ ଆଖି ବୁଜିଛନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା 'ଧର୍ମେନ୍ଦ୍ର' । ଆଜି ଅପରାହ୍ଣରେ ଅଚାନକ୍ ସାମ୍ନାକୁ ଆସିଥିଲା ତାଙ୍କ ଦେହାନ୍ତ ଖବର । ପୂର୍ବ ଭଳି ଇଏ ବି ଏକ ଗୁଜବ ହୋଇଥାଉ ବି ପ୍ରାର୍ଥନା କରିଥିଲେ ଫ୍ୟାନ୍ । ହେଲେ ଇଏ ଆଉ ଗୁଜବ ନଥିଲା । ଅମିତାଭ ବଚ୍ଚନଙ୍କ ସମେତ ବହୁ ବଲିଉଡ୍ ତାରକା ତାଙ୍କ ଶେଷ ଦର୍ଶନ କରିବା ପରେ, ପତ୍ନୀ ହେମାମାଳିନୀ ଓ ସନ୍ତାନସନ୍ତତିଙ୍କ ଉପସ୍ଥିତିରେ, ମୁମ୍ୱାଇ ଜୁହୁ ସ୍ଥିତ ପୱନ ହଂସ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

dharmendra last rites
dharmendra last rites Photograph: (sambad.in)

ଧର୍ମେନ୍ଦ୍ରଙ୍କ ଅଭିନୟ ଯାତ୍ରା

ପଞ୍ଜାବର ଏକ ଛୋଟ ଗାଁରୁ ଆସି ବଲିଉଡ୍‌ର ହି-ମ୍ୟାନ୍ ବନିଥିଲେ ଧର୍ମେନ୍ଦ୍ର । ସୁଠାମ ଶରୀର, ଗୁରୁ ଗମ୍ଭୀର ଡାଇଲଗ୍ । ଆକ୍ସନ୍, କମେଡି, ସବୁଥିରେ ନିଆରା ଛାପ । ହ୍ୟାଣ୍ଡସମ୍ ହଙ୍କ୍ ଭାବେ, ବଲିଉଡ୍ ସିନେମାକୁ ଦେଇଥିଲେ ନୂଆ ଏକ ଦିଗ । ୬ ଦଶନ୍ଧିରେ ୩ ଶହରୁ ଅଧିକ ଫିଲ୍ମ । ୧୯୬୦ରେ 'ଦିଲ୍‌ ଭି ତେରା, ହମ୍‌ ଭି ତେରେ'ରୁ ଯାତ୍ରା ଆରମ୍ଭ ହୋଇ, ସରିଥିଲା ଆସନ୍ତା ମାସ ରିଲିଜ୍ ହେବାକୁ ଥିବା ଫିଲ୍ମ ଇକ୍କିସ୍‌ରେ । 

ରାଜନୀତିରେ ଧର୍ମେନ୍ଦ୍ର

ରାଜନୀତିରେ ବି ଥିଲା ତାଙ୍କର ସଂକ୍ଷିପ୍ତ କ୍ୟାରିୟର । ୨୦୦୪ ରୁ ୨୦୦୯ ଯାଏଁ ବିକାନିରରୁ ବିଜେପି ସାଂସଦ ବନିଥିଲେ ଧର୍ମେନ୍ଦ୍ର । ହେଲେ ଅଭିନୟରେ ଲାଗିନଥିଲା ବ୍ରେକ୍ । ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୨ରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ ଭାରତ ସରକାର । ତେବେ ଗତ କିଛି ବର୍ଷ ହେଲା ବାର୍ଦ୍ଧକ୍ୟ ସହ ବିଗିଡ଼ିଥିଲା ସ୍ୱାସ୍ଥ୍ୟ । ଗତ ନଭେମ୍ୱର ୧ରେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛି ଦିନ ତଳେ ଡିସଚାର୍ଜ ହୋଇଥିଲେ । ଆଜି ତାଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।