ନୂପୁର କାହିଁକି ମୁଁ ବାନ୍ଧିଲି

ନାଚୁଥିଲେ ବୋଲି ଦିନେ ପରିବାର ଲୋକ ତାଙ୍କୁ ନେଇ ଲଜ୍ଜାବୋଧ କରୁଥିଲେ। ଆଜି କିନ୍ତୁ ତାଙ୍କ ନୃତ୍ୟର ମହିମା ଓଡ଼ିଶାକୁ ଗୌରବାନ୍ବିତ କରିଛି। ସ୍କୁଲ୍‌ ନାଟକରେ ନୃତ୍ୟାଭିନୟରୁ ଆରମ୍ଭ ହୋଇଥିବା କଳାଯାତ୍ରା ତାଙ୍କୁ ଜଣେ ବିଶିଷ୍ଟ ନୃତ୍ୟଗୁରୁରେ ରୂପାନ୍ତରିତ କରିଛି।

ghf321

ନାଚୁଥିଲେ ବୋଲି ଦିନେ ପରିବାର ଲୋକ ତାଙ୍କୁ ନେଇ ଲଜ୍ଜାବୋଧ କରୁଥିଲେ। ଆଜି କିନ୍ତୁ ତାଙ୍କ ନୃତ୍ୟର ମହିମା ଓଡ଼ିଶାକୁ ଗୌରବାନ୍ବିତ କରିଛି। ସ୍କୁଲ୍‌ ନାଟକରେ ନୃତ୍ୟାଭିନୟରୁ ଆରମ୍ଭ ହୋଇଥିବା କଳାଯାତ୍ରା ତାଙ୍କୁ ଜଣେ ବିଶିଷ୍ଟ ନୃତ୍ୟଗୁରୁରେ ରୂପାନ୍ତରିତ କରିଛି। ଦୀର୍ଘ ସାଧନା ପରେ ସିଦ୍ଧିର ସ୍ବୀକୃତି ସ୍ବରୂପ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ଭୂଷିତ କରାଯାଉଛି। ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀରଙ୍କ ସଂଘର୍ଷ, ସାଧନା ଓ ସଫଳତାର କାହାଣୀ ତୋଳି ଧରିଛନ୍ତି ସସ୍ମିତା ସାହୁ

୧୯୫୦ ମସିହା ସେପ୍‌ଟେମ୍ବର ୯ରେ ଖୋର୍ଦ୍ଧା ଜିଲ୍ଲାର କମାଗୁରୁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର। ଛୋଟବେଳୁ ତାଙ୍କର ସଙ୍ଗୀତ ଓ ନୃତ୍ୟରେ ପ୍ରଗାଢ଼ ରୁଚିଥିଲା। ସେବେଳର କଥା ମନେପକାଇ ଗୁରୁ ଦୁର୍ଗାଚରଣ କହନ୍ତି, ‘‘ଗୀତ କୋଉଠି ବାଜିଲେ ମୁଁ ଆପେ ନାଚି ଉଠୁଥିଲି। ଚତୁର୍ଥରେ ପଢୁଥିବା ବେଳେ ଗାଁ ସ୍କୁଲ୍‌ରେ ‘ମାଆର ଡାକ’ ନାଟକ ମଞ୍ଚସ୍ଥ ହେଉଥିଲା। ମୋର ନାଚିବା ଆଗ୍ରହ ଦେଖି ପ୍ରଧାନଶିକ୍ଷକ ତ୍ରିଲୋଚନ ସାର୍‌ ମୋତେ ପଚାରିଲେ, ‘ତୁ ସ୍କୁଲ୍‌ ଡ୍ରାମାରେ ନାଚିବୁ?’ ମୁଁ ଅତିଖୁସିରେ ‘ହଁ’ ଭରିଲି। ଏହାପରେ ମୋତେ ସେ ‘ତୁଳସୀ ଚଉରା ମୂଳେ, ରଙ୍ଗଣୀ ଗଛ ତଳେ...’ ଗୀତରେ ନାଚ ଶିଖାଇଲେ। ନାଟକରେ ମୋ ନାଚକୁ ସମସ୍ତେ ପ୍ରଶଂସା କଲେ। ଏହାପରେ ମୋ ଭିତରେ ଏକ ଅଦ୍ଭୁତ ଆତ୍ମବିଶ୍ବାସ ଆସିଯାଇଥିଲା। ଯିଏ ଯେଉଁଠାରେ ଡାକିଲେ, ମୁଁ ଯାଇ ସେଠାରେ ନାଚୁଥିଲି। କିନ୍ତୁ ଆମର ଜମିଦାର ପରିବାର ହୋଇଥିବାରୁ ଏହାକୁ ଘରଲୋକ ନାପସନ୍ଦ କରୁଥିଲେ। ବାପା ସାରଙ୍ଗଧର ରଣବୀର ଓ ବୋଉ ରାଧାରାଣୀ ମୋତେ ନାଚଗୀତ ଛାଡ଼ି ପାଠପଢ଼ାରେ ଧ୍ୟାନ ଦେବାକୁ ତାଗିଦ୍‌ କରୁଥିଲେ। ଜମିଦାର ଘରର ପୁଅ ହୋଇ ନାଚିବା, ତତ୍କାଳୀନ ସମାଜ ପାଇଁ ଏକ ଲଜ୍ଜାଜନକ କଥା ଥିଲା। କିନ୍ତୁ ମୋର ନାଚ ନିଶା ଛାଡୁ ନଥାଏ। ରାତିରେ ଲୁଚି ଗାଁ ଡ୍ରାମାରେ ନାଚିବାକୁ ପଳାଏ। ବୋଉ ବହୁତ କାନ୍ଦେ। ମୋତେ ବୁଝାଏ, ‘‘ଏମିତି ବାଳୁଙ୍ଗା ହୁଅନା। ପାଠ ପଢ଼ିଲେ ସିନା ବଡ଼ ମଣିଷ ହେବୁ।’’ ହେଲେ ମୋ ମନ କ’ଣ ବୁଝେ! ନୃତ୍ୟ ଯେମିତି ମୋ ମନ ଓ ହୃଦୟକୁ ଆଚ୍ଛନ୍ନ କରି ରଖିଥାଏ।

ନାଚରୁ ଦୂରେଇ ରଖିବାକୁ ବାରମ୍ବାର ସ୍କୁଲ୍‌ ବଦଳାଉଥିଲେ ବାପା
ଗାଁରେ ରହିଲେ ଏମିତି କାଣ୍ଡ ଚାଲିବ ଭାବି ବାପା ମୋର ସପ୍ତମ ଶ୍ରେଣୀ ବେଳକୁ ରାମେଶ୍ବର ସ୍କୁଲ୍‌ରେ ନାମ ଲେଖାଇଦେଲେ। ଜଣେ ଦୂର ସମ୍ପର୍କୀୟଙ୍କ ଘରେ ରହି ମୋର ପାଠପଢ଼ା ଜାରି ରହିଲା। ରାମେଶ୍ବରରେ ବି ନାଚଗୀତ ପ୍ରେମୀଙ୍କ ଅଭାବ ନଥିଲା। ସେଠାରେ କେତେକ ମାଷ୍ଟ୍ରେ ନାଚଗୀତ ଶିଖାଉଥିଲେ। ୪ଟା ବାଜିଲେ ମୁଁ ଯାଇ ସେମାନଙ୍କ ପାଖରେ ହାଜର ହୋଇଯାଏ। ଏଠି ବି ଗାଁ’ର ଡ୍ରାମାରେ ମୁଁ ନାଚିଲି। ପ୍ରଶଂସା ଓଜାଡ଼ି ହୋଇପଡ଼ିଲା। ବାପା ଏ ଖବର ପାଇ ରାଗିପାଚି ନିଆଁ। ଫଳରେ ଅଷ୍ଟମ ଶ୍ରେଣୀରେ ସେ ମୋତେ ରାମେଶ୍ବରରୁ ଆଣି ଟାଙ୍ଗୀ ହାଇସ୍କୁଲ୍‌ରେ ଭର୍ତ୍ତିକଲେ। ସେହି ସ୍କୁଲ୍‌ରେ ବି ସେଇ ସମାନ କଥା। ସେଠି ଜଣେ ସମ୍ପର୍କୀୟ ଭାଇଙ୍କ ତତ୍ତ୍ବାବଧାନରେ ରହି ନାଚ ଶିଖିଲି। ମୋ ନାଚକୁ ନେଇ ବାପା, ବୋଉ ଓ ଗାଁ ସାରା ଲୋକ ଭାରି ଅସନ୍ତୁଷ୍ଟ ହେଉଥିଲେ। ଏମିତି ପରିସ୍ଥିତିରେ ଯେନତେନ ମାଟ୍ରିକ୍ ପାସ୍‌ କଲି। 

ପାଞ୍ଚ ଦଶନ୍ଧିରୁ ଅଧିକ ସମୟର ଯାତ୍ରା
ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ଓଡ଼ିଶୀ ନୃତ୍ୟର ଦେବପ୍ରସାଦ ଶୈଳୀର ପ୍ରଚାରପ୍ରସାର ପାଇଁ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଛନ୍ତି। ସେ ବିଭିନ୍ନ ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସାଂସ୍କୃତିକ ପରିଷଦରେ ଭିଜିଟିଂ ପ୍ରଫେସର୍‌, ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଯୁବକେନ୍ଦ୍ରର ଅଧ୍ୟାପକ ରହିବା ସହ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସଙ୍ଗୀତ ନିକେତନ, ଲଳିତ କଳାପୀଠ, କଲିକତାର ଶତାବ୍ଦୀ ନୃତ୍ୟାୟନ ଓ ନ୍ୟୁୟର୍କର ଲୋଟସ୍‌ ଆର୍ଟସ୍‌ ଆଦିରେ ଶିକ୍ଷାଦାନ କରିଛନ୍ତି। ଭୁବନେଶ୍ୱରରେ ସେ ନିଜର ଅନୁଷ୍ଠାନ ‘ନୃତ୍ୟାୟନ’ ମାଧ୍ୟମରେ ଓଡ଼ିଶାକୁ ଶହ ଶହ ନୃତ୍ୟଶିଳ୍ପୀ ଉପହାର ଦେଇଛନ୍ତି। ଗୁରୁ ଶ୍ରୀ ରଣବୀର ଦେବପ୍ରସାଦୀୟ ଶୈଳୀକୁ ଅନୁସରଣ କରୁଥିଲେ ହେଁ ନୃତ୍ୟରେ ନିଜର ସ୍ବତନ୍ତ୍ର ମାର୍ଗ ପ୍ରସ୍ତୁତିରେ ସଫଳ ହୋଇଛନ୍ତି। ତାଙ୍କର ଅନେକ ନୃତ୍ୟ ସଂରଚନା କଳା ସମାଲୋଚକଙ୍କ ଦ୍ବାରା ବେଶ୍‌ ପ୍ରଶଂସିତ ହୋଇଛି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଭଞ୍ଜ କଳାକେନ୍ଦ୍ରର ବେଦବ୍ୟାସ ପୁରସ୍କାର, ଓଡ଼ିଶା ପ୍ରେସ୍ ଏକାଡେମୀର ଓଡ଼ିଶା ସମ୍ମାନ ଆଦିରେ ସମ୍ମାନିତ ହୋଇଛନ୍ତି।

ସଂଗୀତ ସୁଧାକରଙ୍କ ଯୋଗୁଁ ମିଳିଲା ନୃତ୍ୟଶିକ୍ଷା ସୁଯୋଗ 
ନାଚରେ ଏତେ ଆଗ୍ରହ ଦେଖି ମୋର ସମ୍ପର୍କୀୟ ଜଗନ୍ନାଥଭାଇ ମୋତେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାକୁ କହିଲେ। ମୁଁ ଫର୍ମ ପକାଇଥିଲି। ଇଣ୍ଟର୍‌ଭ୍ୟୁ ଲେଟର୍‌ କିନ୍ତୁ ବହୁ ବିଳମ୍ବରେ ମୋ ହସ୍ତଗତ ହେଲା। ଯେଉଁଦିନ ଇଣ୍ଟର୍‌ଭ୍ୟୁ ଥିଲା, ସେହିଦିନ ମୁଁ ‌ଚିଠିଟି ପାଇଥିଲି। ଜଗନ୍ନାଥଭାଇଙ୍କୁ ଏକଥା କହିବାରୁ ସେ ମୋତେ ଧରି ଭୁବନେଶ୍ବର ଆସିଲେ। ସେତେବେଳେ ରବୀନ୍ଦ୍ର ମଣ୍ଡପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଚାଲୁଥିଲା। ଆମେ ଯାଇ ସେଠି ପହଞ୍ଚିଲା ବେଳକୁ ଅପରାହ୍‌ଣ ଓ ଇଣ୍ଟର୍‌ଭ୍ୟୁ ସରିଲାଣି। ମୁଁ ଏହାପର ଦିନ ଅଧ୍ୟକ୍ଷା ମିନତୀ ମିଶ୍ରଙ୍କୁ ଦେଖାକଲି। କିନ୍ତୁ କିଛି ହୋଇପାରିବନି ବୋଲି ସେ ମନା କରିଦେଲେ। ତଥାପି କିଛି ଭଲ ହେବା ଆଶାରେ ମୁଁ ଅପରାହ୍ଣ ପର୍ଯ୍ୟନ୍ତ ଅପେକ୍ଷା କରି ପୁଣି ଅଧ୍ୟକ୍ଷାଙ୍କୁ ଭେଟିଲି। ସେ ମୋ ଉପରେ ବିରକ୍ତ ହୋଇ କହିଲେ, ସାକ୍ଷାତ୍‌କାର ସରିଲାଣି, ଆରବର୍ଷ ଆସ। ଅଧ୍ୟକ୍ଷାଙ୍କ ସାମ୍‌ନାରେ ଜଣେ ପୃଥୁଳକାୟ ବ୍ୟକ୍ତି ବସିଥିଲେ। କ’ଣ ହୋଇଛି ବୋଲି ସେ ଜାଣିବାକୁ ଚାହିଲେ। ଅଧ୍ୟକ୍ଷା କହିଲେ, ‘‘କାଲିଠାରୁ ଇଣ୍ଟର୍‌ଭ୍ୟୁ ସରିଲାଣି, ଆଜି ଏ ପିଲା ଆସିଛି। ନାଚ ପାଇଁ ଇଣ୍ଟର୍‌ଭ୍ୟୁ ଦେବାକୁ। ମୁଁ କହିଲି ଆରବର୍ଷକୁ ଆସ।’’ ସେ ବ୍ୟକ୍ତିଜଣକ ତାଙ୍କୁ କହିଲେ, ‘‘ଆମ କଲେଜରେ ସେମିତିରେ ପିଲା ହେଉନାହାନ୍ତି। ଯଦି ଏ ପିଲାର ଆଗ୍ରହ ଅଛି, ତେବେ ସୁଯୋଗଟିଏ ଦିଆଯାଉ।’’ ଅଧ୍ୟକ୍ଷା ତାଙ୍କ କଥା କାଟି ପାରି ନଥିଲେ। ପରେ ମୁଁ ଜାଣିବାକୁ ପାଇଲି ସେ ବ୍ୟକ୍ତିଜଣକ ଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ। 

ଓଡ଼ିଶୀ ତ ନଥିଲା, ଥିଲା ଫୋଡ଼ିଶୀ
ମୋ ସାକ୍ଷାତ୍‌କାର ‌େନବା ପାଇଁ ଅଧ୍ୟକ୍ଷା ଜଣେ ନୃତ୍ୟଗୁରୁଙ୍କୁ ଡକାଇ ପଠାଇଲେ। ମୁଁ ଅଧ୍ୟକ୍ଷାଙ୍କ ପାଖରେ ଠିଆ ହୋଇଥିବା ବେଳେ କକ୍ଷ ମଧ୍ୟକୁ ଜଣେ କୁଞ୍ଚକୁଞ୍ଚିଆ କେଶ ଥିବା ଗେଡ଼ା ବ୍ୟକ୍ତି ପଶିଆସିଲେ। ସେ ଥିଲେ ମୋ ଗୁରୁ ସ୍ବର୍ଗତ ଦେବପ୍ରସାଦ ଦାସ। ତା’ ପରଦିନ ଗୁରୁ ଦେବପ୍ରସାଦଙ୍କ ସହ ଗୁରୁ ପଙ୍କଜଚରଣ ଦାସ ଓ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣା ମିଶି ମୋ ସାକ୍ଷାତ୍‌କାର ନେଲେ। ଗୁରୁ ଦେବପ୍ରସାଦ ମୋତେ ପଚାରିଲେ, ‘‘ତୁମକୁ କି କି ନାଚ ଆସେ? କ’ଣ ନାଚିପାରିବ?’’ ମୁଁ ତ ସେତେବେଳକୁ ବହୁ ମଞ୍ଚରେ ନାଚି ସାରିଥାଏ। ତେଣୁ ଉତ୍ତର ଦେଲି, ‘‘ମୋତେ ସବୁ ନାଚ ଆସେ।’’ ଗୁରୁ କହି‌େଲ, ‘‘ତା’ହେଲେ ଏଠିକୁ କାହିଁ ଆସିଛ? ଆମକୁ ଶିଖାଇବା ପାଇଁ? ହଉ ଛାଡ଼, ଯାହା ଜାଣିଛ ନାଚ।’’ ମୁଁ ଖୁସିରେ ନାଚିଲି। ଗୁରୁ ପଚାରିଲେ, ‘‘ତୁମେ କ’ଣ କଲ ଏଇଟା?’’ ମୁଁ କହିଲି, ‘‘ଓଡ଼ିଶୀ ନାଚିଲି’’। ତା’ପ‌ରେ ସେ କହିଲେ, ‘‘ତୁମେ ଯାହା ନାଚିଲ, ତାହା ଓଡ଼ିଶୀ ନଥିଲା, ଥିଲା ଫୋଡ଼ିଶୀ।’’ ଯାହା ହେଉ ଗୁରୁଦେବଙ୍କୁ ମୋର ଅଙ୍ଗଭଙ୍ଗୀ ଓ ମୁଖଭଙ୍ଗୀ ପସନ୍ଦ ଆସିଲା। ଏଣୁ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇବାକୁ ମୁଁ ମନୋନୀତ ହୋଇଗଲି। ଏଣେ ଏଡ଼େ କଷ୍ଟରେ ମୁଁ ଓଡ଼ିଶୀ ନୃତ୍ୟ ଶିଖିବାର ଅବସରଟିଏ ପାଇଲି, ତେଣେ ଘରେ ନାଚ ଶିଖିବାକୁ ନେଇ ମହାଭାରତ ଆରମ୍ଭ ହୋଇଯାଇଥିଲା। ବଡ଼ କଷ୍ଟରେ ଜଣେ ସଂପର୍କୀୟ ମାମୁ ବୁଝାଇବା ପରେ ଘରେ ମାନିଥିଲେ। 

ଗୋଡ଼ହାତରେ ଯନ୍ତ୍ରଣା ହେତୁ ହଷ୍ଟେଲରୁ ଲୁଚି ପଳାଉଥିଲି
ସଂଗୀତ ମହାବିଦ୍ୟାଳୟରେ ନାଚ ଶିଖିବାର ସୁଯୋଗ ତ ପାଇଗଲି। କିନ୍ତୁ ଏହା ମୋ ପାଇଁ ଧୀରେ ଧୀରେ ଗୋଟେ ଦୁଃସ୍ବପ୍ନ ପାଲଟିଗଲା। ୪/୫ ଦିନ ନାଚିବା ପରେ ମୋର ହାତଗୋଡ଼ ଆଉ ଉଠାଇ ହେଲାନି। ଶରୀର ଯନ୍ତ୍ରଣାରେ ଭରିଗଲା। ଆଉ ପାରିବିନି ଭାବି ଦିନେ ସକାଳୁ ସକାଳୁ ମୁଁ ବ୍ୟାଗ୍‌ବସ୍ତାନି ଧରି ବାହାରି ପଡ଼ିଲି ଗାଁକୁ। ହଷ୍ଟେଲ୍‌ରୁ ବାହାରୁ ବାହାରୁ ଗୁରୁ ଦେବପ୍ରସାଦ ଦାସ ଦେଖା ହୋଇଗଲେ। କହିଲେ, ‘‘ଆରେ ତୁମେ କୁଆଡ଼େ ଯାଉଛ?’’ ମୁଁ କହିଲି, ‘‘ଘରକୁ ଯାଉଛି।’’ ସେ କହିଲେ, ‘‘ଦଶହରା ଛୁଟି ଆଉ ଅଳ୍ପଦିନ ରହିଲା। ସେବେ ଯିବ। ଏବେ କ୍ଲାସ୍‌ କର।’’ ମୁଁ କାନ୍ଦି କାନ୍ଦି କହିଲି, ‘‘ଆଉ ମୋ ଦ୍ବାରା ଏ ନାଚ ହେଉନି। ଭାରି କଷ୍ଟ ଲାଗୁଛି।’’ ଗୁରୁଦେବ ମୋ ମୁଣ୍ଡକୁ ଆଉଁଶି ଦେଲେ ଓ ପାଖ ହୋଟେଲକୁ ନେଇ ମିଠେଇ ଖାଇବାକୁ ଦେଲେ। ତା’ପରେ ବୁଝାଇଦେଲେ, ‘‘ଏବେ ମାସେ ଦୁଇ ମାସ କଷ୍ଟ ହେବ। ସହି ଯା’। ତା’ ପରେ ଗୋଡ଼ହାତ ଆପେ ଚାଲିବ।’’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe