ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୟାବହ ହେଉଛି ବନାଗ୍ନି

Advertisment

ଗତବର୍ଷ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ଯେଉଁ ବାନାଗ୍ନି ଲାଗିଥିଲା ତାହା ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ ଭୟଙ୍କର ବୋଲି ୟୁରୋପିଆନ୍‌ ୟୁନିଅନ୍‌’ର ମିଳିତ ଗବେଷଣା କେନ୍ଦ୍ରଦ୍ବାରା ପ୍ରକାଶିତ...

ଗତବର୍ଷ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ଯେଉଁ ବାନାଗ୍ନି ଲାଗିଥିଲା ତାହା ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ ଭୟଙ୍କର ବୋଲି ୟୁରୋପିଆନ୍‌ ୟୁନିଅନ୍‌’ର ମିଳିତ ଗବେଷଣା କେନ୍ଦ୍ରଦ୍ବାରା ପ୍ରକାଶିତ...

00

ଗତବର୍ଷ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ଯେଉଁ ବାନାଗ୍ନି ଲାଗିଥିଲା ତାହା ଗତ ୨୩ ବର୍ଷ ମଧ୍ୟରେ ସର୍ବାଧିକ ଭୟଙ୍କର ବୋଲି ୟୁରୋପିଆନ୍‌ ୟୁନିଅନ୍‌’ର ମିଳିତ ଗବେଷଣା କେନ୍ଦ୍ରଦ୍ବାରା ପ୍ରକାଶିତ ‘ଫରେଷ୍ଟ୍‌ ଫାୟାର୍‌ ୨୦୨୩’ ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟରେ ଉଲ୍ଲେଖ ଅଛି ଯେ ପ୍ରାୟ ୫ ଲକ୍ଷ ହେକ୍ଟର୍‌ ପ୍ରାକୃତିକ ଭୂଇଁ ବା ଅରଣ୍ୟାଞ୍ଚଳରେ ବନାଗ୍ନି ଲାଗିଥିଲା। ନିଃସନ୍ଦେହରେ ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୋଲି ମଧ୍ୟ ଏହି ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ଏହି ବନାଗ୍ନି ପୁଣି ଏତେ ବ୍ୟାପକ ଅଞ୍ଚଳରେ ଲାଗିଥିଲା ଯେ ତାହାକୁ ଚିରାଚରିତ ଅଗ୍ନିଶମ ବ୍ୟବସ୍ଥା ଦ୍ବାରା ଲିଭାଇବା ଅସମ୍ଭବ ହୋଇଥିଲା। ଗ୍ରିସ୍‌ର ପୂର୍ବ ମାସିଡୋନିଆ ଓ ଥ୍ରେସ୍‌ ଅନ୍ତର୍ଗତ ଆଲେକ୍‌ଜାଣ୍ଡ୍ରୋପଲିସ୍‌ ସହର ନିକଟରେ ସେଭଳି ଏକ ଭୟାବହ ବନାଗ୍ନିକାଣ୍ଡ ଘଟିଥିଲା। ୨୦୦୦ ମସିହାଠାରୁ ଗୋଟିଏ ଅଗ୍ନିକାଣ୍ଡରେ ଏକକାଳୀନ ଏତେ ବନାଞ୍ଚଳ ଜଳିବାର ରେକର୍ଡ ନ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିଁ ଅଗ୍ନିକାଣ୍ଡ ଅଧିକ ତୀବ୍ର ହେବା ସହିତ ସମ୍ପ୍ରସାରିତ ହୋଇ ନୂତନ ଅଞ୍ଚଳକୁ ବ୍ୟାପିଯାଉଛି। ଭୀଷଣତା ଦୃଷ୍ଟିରୁ ଆକାଶ ଓ ସ୍ଥଳଭାଗରେ ଥାଇ ଏହାକୁ ନିର୍ବାପନ କରିବା କାଠିକର ପାଠ ହୋଇଯାଉଛି।

୨୦୨୩ରେ ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ପ୍ରାୟ ୫ ଲକ୍ଷ ହେକ୍ଟର୍‌ ଜଙ୍ଗଲରେ ନିଆଁ ଲାଗିଥିଲା। ଏହି ବନାଗ୍ନିଗୁଡ଼ିକ ଏତେ ଭୀଷଣ ଥିଲା ଯେ ଚିରାଚରିତ ଅଗ୍ନିଶମ ବ୍ୟବସ୍ଥା ଦ୍ବାରା ଲିଭାଇବା ଅସମ୍ଭବ ସାବ୍ୟସ୍ତ ହୋଇଥିଲା

ବୁଲ୍‌ଗେରିଆ, ସାଇପ୍ରସ୍‌, ଫିନ୍‌ଲ୍ୟାଣ୍ଡ୍‌, ଫ୍ରାନ୍‌ସ, ଜର୍ମାନି, ଗ୍ରିସ୍, ଲିଥୁଆନିଆ, ମରୋକ୍କୋ, ନର୍‌ୱେ ଓ ସ୍ବିଜର୍‌ଲାଣ୍ଡ୍‌ରେ ୨୦୧୩ରୁ ୨୦୨୨ ମଧ୍ୟରେ ହାରାହାରି ଯେତେ ବନାଗ୍ନି ଲାଗିଥିଲା ୨୦୨୩ରେ ତା’ର ଦ୍ବିଗୁଣରୁ ଅଧିକ ଲାଗିଥିବା କଥା ସଂଗୃହୀତ ତଥ୍ୟାବଳିରୁ ଜଣାପଡ଼ିଛି। ଏହି ବନାଗ୍ନିରେ ସାଇପ୍ରସ୍‌ରେ ଶତକଡ଼ା ୧୨୬, ନର୍‌ୱେରେ ଶତକଡ଼ା ୨୭୮ ଓ ସ୍ବିଜର୍‌ଲାଣ୍ଡ୍‌ରେ ଶତକଡ଼ା ୧୪୬ ଠାରୁ ଅଧିକ ବନାଞ୍ଚଳ ପୋଡ଼ିଯାଇଛି। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ୨୦୨୪ ସେପ୍‌ଟେମ୍ବର ସୁଦ୍ଧା ଯେତେ ସଂଖ୍ୟକ ବନାଗ୍ନି କାଣ୍ଡ ଘଟିଛି ତାହା ବିଗତ ୩ ବର୍ଷ ତୁଳନାରେ ସ୍ବଳ୍ପ ଭୟାବହ। କିନ୍ତୁ, ଏହି ଉପରୋକ୍ତ ସମୟ ସୀମା ମଧ୍ୟରେ ଗ୍ରିସ୍‌ ଓ ପର୍ତ୍ତୁଗାଲ୍‌ ଭଳି କେତେକ ଦେଶରେ ଭୟାବହ ବନାଗ୍ନି ଅନୁଭୂତ ହୋଇଥିଲା। ୟୁରୋପୀୟ ୟୁନିଅନ୍‌ରେ ଘଟୁଥିବା ବନାଗ୍ନିରୁ ଶତକଡ଼ା ୯୬ ଭାଗ ହେଉଛି ମାନବକୃତ। ତାହାର ନିରାକରଣ ଲାଗି ଶିକ୍ଷା ଓ ଜନସଚେତନତା ଆବଶ୍ୟକ। ସେହିପରି, ବନାଗ୍ନିଜନିତ ବିପଦ ସମ୍ବନ୍ଧୀୟ ସୂଚନା ଓ ବନ ପରିଚାଳନା ବ୍ୟବସ୍ଥା ପ୍ରଣୟନ କରାଗଲେ ବନାଗ୍ନି ବିଭୀଷିକା ହ୍ରାସ କରାଯାଇ ପାରିବ ବୋଲି ଉକ୍ତ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି।

ୟୁରୋପୀୟ ୟୁନିୟନ୍‌ ଦ୍ବାରା ଜାରି ପ୍ରେସ୍‌ ବିବୃତିରେ ‘କ୍ଲାଇମେଟ୍‌ ଆକ୍‌ସନ୍‌’ର କମିସନର୍‌ ଓପ୍‌କେ ହୋକ୍‌ସ୍‌ତ୍ରା କହିଛନ୍ତି, ‘‘ଜଳବାୟୁ ପରିବର୍ତ୍ତନ ବନାଗ୍ନିର ସଂଖ୍ୟା ଓ  ବିଭୀଷିକା ବୃଦ୍ଧି କରୁଛି। ୨୦୨୩ ବନାଗ୍ନି ପୁନଶ୍ଚ ଦର୍ଶାଇଛି ଯେ ଆମେ ଏସବୁ ବିପଦ ମୁକାବିଲା କରିବାକୁ ପ୍ରସ୍ତୁତ ନୋହୁ। ଉତ୍ତମ ପ୍ରସ୍ତୁତି ଲାଗି ଓ ଏ ସବୁ ବନାଗ୍ନି ପ୍ରତିରୋଧ କରିବା ଲାଗି ଆମେ ଅଧିକ ସମ୍ବଳ ବିନିଯୋଗ କରିବା ଆବଶ୍ୟକ।’’ ୨୦୨୩ରେ କାନାଡାରେ ମଧ୍ୟ ରେକର୍ଡ-ଭଙ୍ଗକାରୀ ବନାଗ୍ନି ଯୋଗୁଁ ୧୫ ନିୟୁତ ହେକ୍ଟର୍‌ ଅରଣ୍ୟ ଧ୍ବଂସ ହୋଇଯାଇଛି। ସେମିତି ଲାଟିନ୍‌ ଆମେରିକା ଅନ୍ତର୍ଗତ ଆମାଜନ୍‌ ଓ କେନ୍ଦ୍ରୀୟ ଆମେରିକା ମଧ୍ୟ ୨୦୨୪ରେ ଭୀଷଣ ବନାଗ୍ନିର ସାମ୍ନା କରିଛନ୍ତି। ଅଗ୍ନି ପ୍ରଶମନ ଲାଗି କେତେକ ରାଷ୍ଟ୍ର ୟୁରୋପୀୟ ୟୁନିଅନ୍‌ର ସହାୟତା ନେଇଛନ୍ତି। ବର୍ତ୍ତମାନ ଏହା ଏକ ବଡ଼ ପାରିବେଶିକ ସଂକଟ ଭାବେ ଉଭା ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe