ନୂଆଦିଲ୍ଲୀ: ଆସନ୍ତା ବର୍ଷମାନଙ୍କରେ ବନାଗ୍ନି ଆହୁରି ଭୟାବହ ହେବ ବୋଲି ୨୦୨୨ ଫେବ୍ରୁଆରି ୧୭ରେ ପ୍ରକାଶିତ ବାର୍ଷିକ ‘ଫ୍ରଣ୍ଟିୟର୍ସ’ ରିପୋର୍ଟରେ ‘ଜାତିସଂଘ ପରିବେଶ ଯୋଜନା’ (ୟୁଏନ୍ଇପି) ସତର୍କ କରାଇ ଦେଇଛି। ଏହା ସୂଚିତ କରୁଛି ଆଗାମୀ ବର୍ଷଗୁଡ଼ିକରେ ପୃଥିବୀର ବିଭିନ୍ନ ଦେଶରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବ। ଗତବର୍ଷ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଯୋଗୁଁ ବହୁ ଗଛପତ୍ର ପୋଡ଼ି ନଷ୍ଟ ହୋଇ ଯାଇଥିଲା। ବଣ୍ୟପ୍ରାଣୀ ମଧ୍ୟ ପ୍ରଭାବିତ ହୋଇଥିଲେ।
ବନାଗ୍ନି ବା ବଣରେ ନିଆଁ ଲାଗିବାକୁ ଏକ ପ୍ରାକୃତିକ ଘଟଣା କୁହାଯାଏ, କିନ୍ତୁ ଏହାର ପ୍ରକୋପ କ୍ରମଶଃ ଅଧିକ ବିପଜ୍ଜନକ ହେବା ସହ ଅଧିକ ଅଞ୍ଚଳକୁ ପ୍ରଭାବିତ କରୁଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ମାନବୀୟ କାର୍ଯ୍ୟକଳାପକୁ ଜାତିସଂଘ ଦାୟୀ କରିଛି।
‘ୟୁଏନ୍ଇପି’ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଇଙ୍ଗର୍ ଆଣ୍ଡର୍ସିନ୍ ଲେଖିଥିବା ମୁଖବନ୍ଧରେ କହିଛନ୍ତି, ବାୟୁମଣ୍ଡଳୀୟ ‘ଗ୍ରିନ୍ହାଉସ୍ ଗ୍ୟାସ୍’ ସାନ୍ଦ୍ରତା ବୃଦ୍ଧି ଯୋଗୁଁ ଅରଣ୍ୟରେ ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
Image Courtesy of Down to Earthଏଭଳି ଅସ୍ବାଭାବିକ ଘଟଣା ମାନବ ସ୍ବାସ୍ଥ୍ୟ ଏବଂ ପରିବେଶ ପାଇଁ ମାରତ୍ମକ ବୋଲି ଉକ୍ତ ରିପୋର୍ଟରେ ସତର୍କ କରାଇଦିଆଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ବନାଗ୍ନି ଦୃଷ୍ଟାନ୍ତ ଦିଆଯାଇ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅଳ୍ପ ଦଶନ୍ଧି ହେବ ଅନେକ ଅଞ୍ଚଳରେ ସହର ସବୁ ଦ୍ରୁତ ବେଗରେ ବନାଞ୍ଚଳ ଆଡ଼କୁ ମାଡ଼ି ଚାଲିଛି। ଏହି ନୂଆ ସହରାଞ୍ଚଳ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବନାଞ୍ଚଳରେ ହିଁ ନିଆଁ ଲାଗିବାର ଭୟ ଅଧିକ ରହିଛି।
ଅଳ୍ପ କେତେ ଦଶନ୍ଧି ହେବ କାଲିଫର୍ଣ୍ଣିଆର ଜଙ୍ଗଲରେ ନିଆଁ ଲାଗୁଥିବା ଅଞ୍ଚଳର ଆକାର ବୃଦ୍ଧି ପାଉଛି। କାଲିଫର୍ଣ୍ଣିଆରେ ସଙ୍ଘଠିତ ୨୦ଟି ସବୁଠୁ ଅଧିକ ଧ୍ବଂସକାରୀ ବନାଗ୍ନିରୁ ୧୩ଟି ଘଟିଛି ଗତ ୫ ବର୍ଷ ମଧ୍ୟରେ। ଏଥିରେ ସମୁଦାୟ ୪୦,୦୦୦ ବାସଗୃହ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ବୋଲି ୨୦୨୧ ସେପ୍ଟେମ୍ବରରେ ‘ନାସା’ କହିଥିଲା।
ଅତୀତରେ ସନ୍ତସନ୍ତିଆ କର୍କଟକ୍ରାନ୍ତୀୟ ଅଞ୍ଚଳକୁ ବନାଗ୍ନି କ୍ବଚିତ୍ ବ୍ୟାପୁଥିଲା। କିନ୍ତୁ, ବୃକ୍ଷଛେଦନ ଏବଂ ବନ ପରିସୀମା ସଙ୍କୋଚନ ଯୋଗୁଁ ଏହି ଅରଣ୍ୟ ସବୁ ଏବେ ବନାଗ୍ନିର କବଳିତ ହେଉଛନ୍ତି। ଅଗ୍ନି ପ୍ରଜ୍ଜ୍ବଳନକାରୀ ଘଡ଼ଘଡ଼ି ମଧ୍ୟ ଏବେ ବନାଗ୍ନିର ନୂଆ କାରଣ ଭାବେ ଉଭା ହୋଇଛି। ଏ ଧରଣର ଘଡ଼ଘଡ଼ି ଏବେ ଅଷ୍ଟ୍ରେଲିଆ, ୟୁରୋପ୍ ଏବଂ ଉତ୍ତର ଆମେରିକାରେ ବାରମ୍ବାର ପଡୁଛି। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନ କାରଣ।
Follow Us