ନୂଆଦିଲ୍ଲୀ: ଥରେ ଭାବି ଦେଖନ୍ତୁ ତ ଆପଣ ବିଛଣାକୁ ଶୋଇବାକୁ ଯାଉଥିବା ବେଳେ ହଠାତ ତା’ତଳେ ସାପ ଥିବା ଜାଣିବାକୁ ପାଇବେ ଏହାପରେ କ’ଣ କରିବେ। ନିକଟରେ ଜଣେ ମହିଳାଙ୍କ ସହିତ ଏମିତି ହିଁ ଘଟିଛି। ସେ ବିଶ୍ରାମ ନେବାକୁ ଗଲାବେଳେ ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗରେ ୧୮ଟି ସାପ ବାହାରିଥିବା ଖବର ସାମ୍ନାକୁ ଆସିଛି।
ଏମିତି ଏକ ଲୋମଟାଙ୍କୁରା ଘଟଣା ଆମେରିକାର ଜାର୍ଜିଆରେ ଘଟିଛି। ଜଣେ ମହିଳା ତାଙ୍କ ସହିତ ଘଟିଥିବା ଏହି ଭୟାବହ ଘଟଣାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଟ୍ରିସ ୱିଲଚର ନାମକ ଜଣେ ମହିଳା ରାତିରେ ଶୋଇବାକୁ ଯାଉଥିବା ସମୟରେ ଘର ସାମ୍ନାରେ ଏକ ଛୋଟ ଜୀବକୁ ଦେଖିବାକୁ ପାଇଥିଲେ। ସେ ଏହାକୁ ଅଣଦେଖା କରି ଘର ଭିତରକୁ ଚାଲି ଆସିଥିଲେ। ଘର ଭିତରେ ବି ସେମିତି କିଛି ଦେଖିଥିଲେ। ଏହାପରେ ତାଙ୍କୁ ସନ୍ଦେହ ହେବାରୁ ସେ ଶୋଇବାକୁ ଯାଉଥିବା ସମୟରେ ବିଛଣା ତଳକୁ ଝାଙ୍କି ଦେଖିଲା ବେଳକୁ ତାଙ୍କ ହୋସ ଉଡି ଯାଇଥିଲା। ସେ ଦେଖିବାକୁ ପାଇଥିଲେ ତାଙ୍କ ବିଛଣା ତଳେ ଏକ ବଡ଼ ସାପ ଥିବା ବେଳେ ତା’ସହିତ ୧୭ଟି ଛୁଆ ରହିଥିଲା। ସେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ସାପ ଧରାଳିଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ମା’ ସହିତ ୧୭ଟି ସାପ ଛୁୂଆଙ୍କୁ ଧରି ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।
Follow Us